‘ମୁଁ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ତତ୍ପର ନୁହେଁ’: ତେଜସ୍ଵୀ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚାଲିଥିବା ଆଲୋଚନା ମଧ୍ୟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ସେ ତତ୍ପର ନୁହଁନ୍ତି। ସେ ଆହୁରି କହିଛନ୍ତି ଯେ, ଆମର ଏକମାତ୍ର ଲକ୍ଷ୍ୟ ଥିଲା କିପରି ଭାଜପା ଏବଂ ଆରଏସଏସକୁ ସରକାରରୁ ହଟାଇ ଦିଆଯିବ।ଆମେ ସେମାନଙ୍କୁ ବିହାରରୁ ହଟାଇଛୁ ଏବଂ ବର୍ତ୍ତମାନ ସେମାନଙ୍କୁ କେନ୍ଦ୍ରରୁ ହଟାଇବାକୁ ପଡିବ। ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂଙ୍କ ବିବୃତ୍ତିକୁ ନେଇ ଯାଦବ ଏହା କହିଛନ୍ତି।ସେ ଏହା ମଧ୍ୟ କହିଛନ୍ତି ଯେ, ନୀତୀଶ କୁମାରଙ୍କ ନେତୃତ୍ୱରେ ଆମ ସରକାର ଭଲରେ ଚାଲିଛି। ସମର୍ଥକମାନେ ବେଳେବେଳେ ଏପରି ବିବୃତ୍ତି ଜାରି ରଖନ୍ତି । ଏହା ନୂଆ କଥା ନୁହେଁ।

ଏସବୁ ଭିତରେ ନୀତୀଶ କୁମାର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର କୌଣସି ଇଚ୍ଛା ନାହିଁ। ଏହି ସବୁ ବିଷୟ ଏବେ ଆଲୋଚନା କରିବାର ସମୟ ନୁହେଁ ବୋଲି ନୀତିଶ କହିଛନ୍ତି।

ସୂଚନାଯୋଗ୍ୟ ଯେ, ବିହାର ଆରଜେଡିର ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ଦିଲ୍ଲୀରେ ଦେଇଥିବା ଏକ ବିବୃତ୍ତି ଉପରେ ତେଜସ୍ବୀ ଏହି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସିଂ କହିଥିଲେ ଯେ, ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଜଣେ ଯୁବ ନେତା ମୁଖ୍ୟମନ୍ତ୍ରୀ ହେବେ। ଏହି ବିବୃତ୍ତି ନେଇ ନୀତୀଶ କୁମାରଙ୍କ ଦଳର କିଛି ନେତା ଅସନ୍ତୋଷ ହୋଇଛନ୍ତି। ଜଗଦାନନ୍ଦ କହିଥିଲେ ଯେ ନୀତୀଶ କୁମାର ୨୦୨୩ ସୁଦ୍ଧା ନିଜକୁ ଜାତୀୟ ରାଜନୀତିରେ ଉତ୍ସର୍ଗ କରିବେ। ସେତେବେଳେ ତେଜସ୍ବୀ ତାଙ୍କ ଉତ୍ତରାଧିକାରୀ ଭାବରେ ରାଜ୍ୟରେ ଦାୟିତ୍ୱ ଗ୍ରହଣ କରିବେ।

Related Posts