ଟି-ଟ୍ବେଣ୍ଟିରେ ଭାରତର ସବୁଠାରୁ ଲଜ୍ଜାଜନକ ପରାଜୟ;ନ୍ୟୁଜିଲାଣ୍ଡ 80 ରନ୍‌ରେ ଜିତିଲା

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତର ଲଜ୍ଜାଜନକ ପରାଜୟ । ନ୍ୟୁଜିଲାଣ୍ଡଠାରୁ ୮୦ ରନ୍‌ରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ । T-୨୦ ଫର୍ମାଟରେ ଏହା ଭାରତର ସବୁଠୁ ବଡ଼ ପରାଜୟ । ୨୨୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ୧୩୯ ରନ୍‌ରେ ସୀମିତ ହୋଇଯାଇଛି ।

ଏହି ବିଜୟ ସହ ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ରେ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ସେଇଫର୍ଟଙ୍କ ବିସ୍ଫୋରକ ୮୪ ରନ ବଳରେ ୨୦ ଓଭରରେ ୬ ୱିକେଟ୍‌ରେ ୨୧୯ ରନ୍‌ କରିଥିଲା । କଲିନ ମୁନ୍‌ରୋ ୩୪ ଓ ଅଧିନାୟକ ଓ୍ବିଲିୟମସନ ୩୪ ରନ୍‌ କରିଥିଲେ ।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍‌ ନେଇଥିଲେ । ଜବାବରେ ଟିମ୍‌ ଇଣ୍ଡିଆ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା । ୧୯.୨ ଓଭରରେ ଭାରତ ମାତ୍ର ୧୩୯ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା । ଦଳ ପକ୍ଷରୁ ମହେନ୍ଦ୍ର ସିଂ ଧୋନୀ ସର୍ବାଧିକ ୩୯, ଶିଖର ଧାଓ୍ବନ ୨୯, ବିଜୟ ଶଙ୍କର ୨୭ ଓ କ୍ରୁନାଲ ପାଣ୍ଡ୍ୟା ୨୦ ରନ୍‌ କରିଥିଲେ । ସିରିଜ୍‌ର ପରବର୍ତ୍ତୀ ମ୍ୟାଚ୍‌ ଶୁକ୍ରବାର ଅକ୍‌ଲାଣ୍ଡ ସ୍ଥିତ ଇଡେନ ପାର୍କଠାରେ ଖେଳାଯିବ।

Related Posts