ଏଥର ପୋଲିସ୍‌ଙ୍କ ଆନ୍ଦୋଳନ, ଶୁକ୍ରବାର କରିବେ କାର୍ଯ୍ୟବନ୍ଦ

ହାବିଲଦାର, କନେଷ୍ଟବଳ, ସିପାହୀ ମହାସଂଘକୁ ଓପିଏ ଏବଂ ଓପିଏସ୍‌ ସଂଘର ସମର୍ଥନ, ସୃଷ୍ଟି ହୋଇପାରେ ଭୟଙ୍କର ଆଇନ ଶୃଙ୍ଖଳା ପରିସ୍ଥିତି

୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ପୋଲିସ ସମନ୍ବୟ ସମିତି । ୪ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଇଥିବା ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘ ସହ ହାତ ମିଶାଇଛି ଓପିଏ ଏବଂ ଓପିଏସ୍‌ ସଂଘ । ଦାବି ପୂରଣ ନ ହେଲେ ଆସନ୍ତାକାଲି କଳାବ୍ୟାଜ୍‌ ପରିଧାନ କରିବେ ।

ଗୁରୁବାର ସନ୍ଧ୍ୟା ଦାବି ସୁଦ୍ଧା ପୂରଣ ନ ହେଲେ ସନ୍ଧ୍ୟାରେ ଅସ୍ତ୍ରଶସ୍ତ୍ର ସହ ପୋଷାକ ଓ ଗାଡ଼ି ଚାବି ହସ୍ତାନ୍ତର କରିବେ । ଶୁକ୍ରବାର ସକାଳୁ ପ୍ରାୟ ୭୨ହଜାର କର୍ମଚାରୀ ସମୂହ ଛୁଟିରେ ଯିବେ । ବୁଧବାର ଭୁବନେଶ୍ବର ସହିଦ୍‌ ନଗର ଫାଣ୍ଡି‌ରେ ଅନୁଷ୍ଠିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କଡ଼ା ଚେତାବନୀ ଦେଇଛି ଓଡ଼ିଶା ପୋଲିସ ସମନ୍ବୟ ସମିତି । ଓପିଏସ୍‌ଏ ସଭାପତି ଅଶୋକ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ପି.କେ ଦାସ, ଓପିଏ ସଭାପତି ସତ୍ୟଜିତ ମିଶ୍ର, ଉପସଭାପତି କ୍ଷିତୀଶ ତ୍ରିପାଠୀ, ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘ ସଭାପତି ସନ୍ତୋଷ ଶତପଥୀ, ସାଧାରଣ ସମ୍ପାଦକ ପଞ୍ଚାନନ ବେହେରା ପ୍ରମୁଖ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ ।

ପୂର୍ବରୁ ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘ ୪ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିବା ବେଳେ ବହୁଥର ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା । ଫଳରେ ଆନ୍ଦୋଳନ ଏକ ପ୍ରକାର ନିଶ୍ଚିତ ହୋଇଥିଲା । ଏବେ ଅଧିକାରୀମାନଙ୍କର ସଂଘ ଏହି ସଂଘ ସହ ମିଶିଥିବାରୁ ସମୂହ ଛୁଟିରେ ଗଲେ ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟରେ ଏକ ଭୟଙ୍କର ପରିସ୍ଥିତି ସୃ‌ଷ୍ଟି ହେବା ଆଶଙ୍କା ରହିଛି ।

ସଂଘ ରଖିଥିବା ୬ ଦଫା ଦାବି ହେଲା; ବିଭିନ୍ନ ଛୁଟି ଦିନରେ ଓ ଜୀବନକୁ ବିପନ୍ନ କରି ଖଟୁଥିବାରୁ ଭତ୍ତା ଆକାରରେ ବର୍ଷକୁ ଏକମାସର ଅତିରିକ୍ତ ଦରମା, ଏଏସ୍‌ଆଇ, ଏସ୍‌ଆଇ ଓ ଇନିସ୍‌ପେକ୍ଟରଙ୍କ ପାଇଁ ୬ଷ୍ଠ ଓ ସପ୍ତମ ବେତନ ଲାଗୁ, କ୍ୟାସ୍‌ଲେସ୍‌ ହେଲ୍ଥ କାର୍ଡ ଜରିଆରେ ଅତି କମ୍‌ରେ ୫ଲକ୍ଷ ଟଙ୍କାର ସହାୟତା, ଆରସିଏମ୍‌ ବଦଳରେ ୧୨ଶହ ମେଡିକାଲ ଭତ୍ତା, ମୋଟର ସାଇକେଲ ଭତ୍ତା ୭୫୦ରୁ ୧୫ଶହକୁ ବୃଦ୍ଧି, ଠିକା କର୍ମଚାରୀଙ୍କୁ ସମସ୍ତ ଭତ୍ତାରେ ସାମିଲ କରିବା, ଡିଏସ୍‌ପି ପାଇଁ ସିଧାସଳଖ ନିଯୁକ୍ତି ।

ପୂର୍ବରୁ ହାବିଲଦାର, କନେଷ୍ଟବଳ ସିପାହୀ ମହାସଂଘ ଶୁକ୍ରବାରଠାରୁ ସମୂହ ଛୁଟିରେ ଯିବା ପାଇଁ ଚେତାବନୀ ଦେଇଥିଲା । ୫୦ଟି ଶାଖା ସଂଘର ପ୍ରାୟ ୬୨ହଜାର କର୍ମଚାରୀ ସାମିଲ ଥିଲେ । ଏବେ ଏଏସ୍‌ଆଇ, ଏସ୍‌ଆଇ ଓ ଇନ୍‌ସ୍‌ପେକ୍ଟର ସାମିଲ ହୋଇଥିବାରୁ ଏହି ସଂଖ୍ୟା ୭୨ହଜାରରେ ପହଞ୍ଚିଛି ।

Related Posts