
ଭୁବନେଶ୍ୱର – କବାଟ ଖଟଖଟ କଲାଣି ସାଧାରଣ ନିର୍ବାଚନ । ଯାହାକୁ ନେଇ ଓଡିଶା ରାଜନୀତି ଆକାଶରେ ନିର୍ବାଚନୀ ଲୁ’ ବହିବା ଆରମ୍ଭ ହୋଇଗଲାଣି । ହେଲେ ଜୟ ପଣ୍ଡାଙ୍କ ପାରା କିନ୍ତୁ ତଳକୁ ତଳକୁ ଖସିବାରେ ଲାଗିଛି । ବିଜେଡିରୁ ବିଦା ହୋଇ ସାଂସଦ ପଦରୁ ଇସ୍ତଫା ଦେଇ ବି କୌଣସି ଦଳକୁ ନଯିବା ଓ ନିଜ ଭବିଷ୍ୟତ ରାଜନୈତିକ ଦିଗକୁ ସାର୍ବଜନୀନ ନକରିବା ପ୍ରମାଣ କରୁଛି ଯେମିତି ଉଣେଇଶି ଉଷ୍ମତାରେ ବି ଉଚ୍ଚାକାଂକ୍ଷାର ପ୍ରବଳ ଶୀତରେ ଥରୁଛନ୍ତି ବୈଜୟନ୍ତ ପଣ୍ଡା ।
୨୪ ଜାନୁଆରୀ ୨୦୧୮ରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ ହେଲେ ବୈଜୟନ୍ତ ପଣ୍ଡା । ଏହାର ଚାରିମାସ ପରେ ୨୮ମେ ୨୦୧୮ରେ ବିଜେଡିରୁ ଇସ୍ତଫା ଦେଲେ ବୈଜୟନ୍ତ । ସେତେବେଳେ ସେ ବିଜେପିରେ ମିଶିବା ନେଇ ଘମାସନ ଚର୍ଚ୍ଚା ହୋଇଥିଲା । କିନ୍ତୁ ସେଭଳି କିଛି ହେଲା ନାହିଁ । ବରଂ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବି ନିଜ ରାଜନୈତିକ ଅଭିସନ୍ଧି ବା ଅଭିଳାଶା ସଂପର୍କରେ ସର୍ବଦା ନୀରବ ରହିଛନ୍ତି ଜୟ ପଣ୍ଡା ।
ହେଲେ ଏହାପଛର ଏକ ବଡ କାରଣ ଏବେ ଶୁଣିବାକୁ ମିଳୁଛି । ନିଜର ଉଚ୍ଚ ଅଭିଳାଶ ବା ଉଚ୍ଚାକାଂକ୍ଷା ପାଇଁ ବୈଜୟନ୍ତଙ୍କୁ ବିଜେପି ନେବାକୁ ଚାହୁଁ ନଥିବା ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ବୈଜୟନ୍ତ ସର୍ବଦା ନିଜକୁ ସର୍ବାଗ୍ରେ ରଖିବାକୁ ଚାହାଁନ୍ତି । ଏପରିକି ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବି ଭାବନ୍ତି ବୈଜୟନ୍ତ । ଏମିତିରେ ଗତ କିଛି ଦିନ ତଳେ ଜୟ ପଣ୍ଡାଙ୍କୁ ନେଇ ବିଜେପି ଏକ ସର୍ଭେ କରିଥିବା ମଧ୍ୟ ଶୁଣିବାକୁ ମିଳୁଛି । ଯେଉଁଥିରେ ବୈଜୟନ୍ତଙ୍କ ଲୋକପ୍ରିୟତା ଓ ବିଜୟ ସମ୍ଭାବନା କମ ଥିବା ଦଳ ଜାଣିବାକୁ ପାଇଛି । ଯେଉଁଥିପାଇଁ ଅପରାଜିତା ଷଡଙ୍ଗୀଙ୍କୁ ଦଳରେ ମିଶାଯାଇଥିଲେ ବି ବୈଜୟନ୍ତ କ୍ଷେତ୍ରରେ ନିର୍ବାଚନ ପୂର୍ବରୁ ରିସ୍କ ନେବାକୁ ଚାହୁଁନି ଭାରତୀୟ ଜନତା ପାର୍ଟି ।
କେବଳ ଏତିକି ନୁହେଁ, ବୈଜୟନ୍ତଙ୍କ ଯୋଗଦାନ ବିଜେପିକୁ ସେଭଳି କିଛି ଲାଭ ଦେବ ନାହିଁ ବୋଲି ମଧ୍ୟ କେନ୍ଦ୍ରୀୟ ନେତୃତ୍ୱ ଅନୁଭବ କରୁଛନ୍ତି । ଅବଶ୍ୟ ତାଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ସଂସ୍ଥା ବା ନ୍ୟୁଜ ଚ୍ୟାନେଲ ବିଜେପିର ପ୍ରଚାର ପାଇଁ ଦରକାର କିନ୍ତୁ ବୈଜୟନ୍ତଙ୍କ ମିଶ୍ରଣ ପରେ ଦଳରେ ଅନ୍ତଃକନ୍ଦଳ ଆଶଙ୍କା କରି ଦଳ କୌଣସି ଶେଷ ନିଷ୍ପତିରେ ପହଂଚି ପାରି ନଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ଏପରିକି ବୈଜୟନ୍ତଙ୍କ ବିଜେପିରେ ଯୋଗଦାନକୁ ସଂଘର ପ୍ରାନ୍ତୀୟ ସଦସ୍ୟମାନେ ମଧ୍ୟ ଭିତରେ ଭିତରେ ବିରୋଧ କରୁଛନ୍ତି । ଯେଉଁଥିପାଇଁ ଗତ ଡିସେମ୍ବରରେ ପତ୍ନୀ ଜାଗୀ ପଣ୍ଡାଙ୍କ ଦ୍ୱାରା ମୋହନ ଭାଗବତଙ୍କ ସହ ଏ ସଂପର୍କରେ ଆଲୋଚନା ହୋଇଥିଲେ ବି ତାହା ସମ୍ଭବ ନହୋଇ ବରଂ ଝୁଲା ବୁଝାମଣାରେ ରହିଯାଇଛି ।
ସବୁଠୁ ବଡ କଥା ହେଉଛି, ନିଜେ ବୈଜୟନ୍ତ ମଧ୍ୟ ନିଜ ରାଜନୈତିକ ଭବିଷ୍ୟତ ନେଇ ସନ୍ଦୀହାନ । ନଚେତ ବାରମ୍ବାର ‘ଖୁବଶୀଘ୍ର ନିଷ୍ପତି ନେବି’ ବୋଲି କୁହନ୍ତେନି । ରାଜନୀତିରେ ରୁଚି ରଖୁଥିବା ଲୋକ ଜାଣନ୍ତି ଏହି ‘ଖୁବଶୀଘ୍ର’ ଶବ୍ଦର ରାଜନୀତିରେ ଅର୍ଥ କଣ ? ଅର୍ଥାତ କେଉଁ ନା କେଉଁଠି ଦୋଛକିରେ ଫସି ଯାଇଛନ୍ତି ଜୟ ପଣ୍ଡା । ଯେଉଁଥି ପାଇଁ ଗୋଟିଏ ଦଳରୁ ଇସ୍ତଫା ଦେବାର ୮ମାସ ପରେ ବି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବାରେ ବିଫଳ ହୋଇଛନ୍ତି ବୈଜୟନ୍ତ । ତେବେ ରାଜନୀତିରେ ‘ଖୁବଶୀଘ୍ର’ ଶବ୍ଦ ମୂଲ୍ୟହୀନ ହୋଇଥିବା ବେଳେ ଜୟ ପଣ୍ଡାଙ୍କ କ୍ଷେତ୍ରରେ ଏହାର ମୂଲ୍ୟ କେତେ ତାହା ଦେଖିବାକୁ ବାକି ରହିଲା…..