କନ୍ଧମାଳର ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା; ୯ଜଣଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କନ୍ଧମାଳର ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଫୁଲବାଣୀ ସଦର ଥାନା ପୋଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ, ଲମ୍ବଦର ମଲ୍ଲିକ, ଅନିଲ ମଲ୍ଲିକ, ବତି ବେହେରା, ସୁକୁରୁ ମଲ୍ଲିକ, ସୁମନ ମଲ୍ଲିକ, ସାନନ୍ଦ ମଲ୍ଲିକ ଏବଂ ବିଶ୍ୱନାଥ ମଲ୍ଲିକ ।ଏହା ପୁର୍ବରୁ ଅନ୍ୟ ଜଣକୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା ପୂର୍ବରୁ ନାବାଳିକାକୁ ମାଡ଼ ମାରି ଲହୁ ଲୁହାଣ କରାଯିବା ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ଏହାକୁ ନେଇ ଜିଲ୍ଲାରେ କଂଗ୍ରେସ, କୁଇ ସମାଜ ଏବଂ ଏବିଭିପି ପକ୍ଷରୁ ଏସ୍‌ପିଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଥିଲା । ଏହି ଘଟଣାର ତଦନ୍ତ କରିବା ପାରେ ଆଜି ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି।

ସୁଚନାଯୋଗ୍ୟ, ଗଉଡପଡା ଗ୍ରାମର ଜଣେ ୧୪ ବର୍ଷ ଝିଅ ଦୂତିପଡା ଲେମ୍ବୁ ବଗିଚା ହାଇସ୍କୁଲ ହଷ୍ଟେଲରେ ରହି ନବମ ଶ୍ରେଣୀରେ ପାଠ ପଢୁଥିଲେ । ସ୍କୁଲ ଛୁଟି ହେବାରୁ ସେ ତାଙ୍କ ମାଆଙ୍କ ସାଙ୍ଗରେ ଘରକୁ ଆସିଥିଲେ । ଘରେ କିଛି ଦିନ ରହିବା ପରେ ସେ ଡକାଙ୍ଗିରେ ଥିବା ସାଙ୍ଗ ଘରକୁ ଯାଇଥିଲେ । କିନ୍ତୁ ସେଠାରୁ ଆଉ ଘରକୁ ଫେରି ନ ଥିଲେ । ଦୁଇଦିନ ପରେ ଆଇଟିଆଇ ପାଖ ନିକଟସ୍ଥ ଏକ ଆମ୍ବ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇ ଥିବା ନେଇ ପରିବାର ଲୋକେ ସଦର ଥାନାରେ ଏତଲା ଦେଇଥିଲେ ।

Related Posts