ବିଜେପି ଭଳି କଂଗ୍ରେସ ବଡ଼ ସ୍ବପ୍ନ ଦେଖିବା ଦରକାର : ସଲମାନ ଖୁର୍ଶିଦ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିନେ ଭାରତୀୟ ରାଜନୀତିରେ କଂଗ୍ରେସ ପାର୍ଟି ଆଗରେ ଟକ୍କର ଦେବା ଭଳି କୌଣସି ରାଜନୈତିକ ଦଳ ଦେଖାଯାଉନଥିଲା। ଆଉ ସମୟ ଓଲଟି ଯାଇଛି ଏବେ ଦଳର ସ୍ଥିତି ଆଉ ସେଭଳି ସୁଦୃଢ଼ ନାହିଁ ଭାରତୀୟ ଜନତା ପାର୍ଟିର ଉତ୍ଥାନ ଘଟିଛି । ଏହାର ନିଚ୍ଛକ ଉଦାହରଣ ହେଉଛି, ନିକଟରେ ଶେଷ ହୋଇଥିବା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ବିଧାନସଭା ନିର୍ବାଚନ। ୨୦୧୯ ଲୋକସଭା ନିର୍ବାଚନରେ କେରଳରେ ଦଳର ଉତ୍ସାହଜନକ ପ୍ରଦର୍ଶନ ସତ୍ତ୍ୱେ ୨୦୨୧ରେ ଦଳ କ୍ଷମତାକୁ ଫେରିବା ଏହାର ଏକ ବଡ ଉଦାହରଣ। ତେବେ ଦଳର ଏଭଳି ସ୍ଥିତିକୁ ନେଇ ବହୁ ବରିଷ୍ଠ ନେତା ଚିନ୍ତିତ। କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ଏକ ସାକ୍ଷାତକାରରେ ଦଳର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ବିଜେପି ଭଳି କଂଗ୍ରେସ ଦଳକୁ ମଧ୍ୟ ବଡ଼ ସ୍ବପ୍ନ ଦେଖିବାର ଆବଶ୍ୟକତା ରହିଛି । ଏବଂ ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ଗ୍ରହଣ କରିବାକୁ କେହି ପ୍ରସ୍ତୁତ ନୁହନ୍ତି। ଦଳର ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ଛୋଟ ହୋଇ ହୋଇ ଯାଉଛି । ଆଉ ଦଳ ହରାଇଥିବା ନିଜର ଗଡକୁ ପୁଣି ଥରେ ଫେରି ପାଇବ ନାହିଁ ବୋଲି ଭାବୁଛି। ଏହାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ପିଟିଆଇ କୁ ଦେଇଥିବା ଏକ ସାକ୍ଷାତକାରରେ ଖୁର୍ସିଦ୍ କହିଛନ୍ତି ଯେ,” ପଶ୍ଚିମବଙ୍ଗ ଓ ଆସାମ ଫଳାଫଳକୁ ନେଇ ଦଳ ନିରାଶ ହେବା ଉଚିତ୍ ନୁହେଁ। ସେଠାରେ ଦଳ ଦୁର୍ବଳ ହୋଇଯାଇଛି, ସଙ୍ଗଠନ ଦୁର୍ବଳ ଆଉ ଦଳ ସେଠାରେ ଉପରକୁ ଉଠି ପାରିବ ନାହିଁ। ” ଏଭଳି ଧାରଣା ଠାରୁ ଦୂରରେ ରହିବା ଉଚିତ୍ ବୋଲି ସେ କହିଛନ୍ତି।  ଖୁର୍ସିଦ୍ କହିଛନ୍ତି ଯେ, “ମୁଁ ଭାବୁଛି, ବିଜେପିର ଯେଉଁଠି ଅସ୍ତିତ୍ୱ ହିଁ ନାହିଁ ସେଠାରେ ସେମାନେ ବଡ ଚାଲାଖିର ସହ ରଣନୀତି ପ୍ରସ୍ତୁତ କରୁଛି। ” ତାଙ୍କର ଭାବନା ହେଉଛି କଂଗ୍ରେସ ପାର୍ଟି ନିଷ୍ଠା ଏବଂ ଆତ୍ମବିଶ୍ୱାସର ସହ କାମ କଲେ ପୁଣି ଥରେ ଭଲ ପ୍ରଦର୍ଶନ କରି ପାରିବ। ଏଥର ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମ ଦଳ ରାଜନୈତିକ ଦୃଶ୍ୟ ପଟରୁ ସମ୍ପୂର୍ଣ୍ଣ ଶେଷ ହୋଇଯିବାକୁ ସେ ସ୍ବୀକାର କରିଥିଲେ।  ସେ କହିଛନ୍ତି, “ଏହା ସତ୍ୟ ଯେ ବେଙ୍ଗଲ ଭଳି ଭୋଟିଂ ଆସାମରେ ହୋଇ ନଥାଇ ପାରେ । କିନ୍ତୁ ଉଭୟ ସ୍ଥାନରେ ଏକ କୌଶଳପୂର୍ଣ୍ଣ ମତଦାନ ହୋଇଥିଲା। ଯାହାଦ୍ୱାରା କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ।” ପଶ୍ଚିମବଙ୍ଗରେ ଇଣ୍ଡିଆନ୍ ସେକ୍ୟୁଲାର୍ ଫ୍ରଣ୍ଟ ସହ କଂଗ୍ରେସ ପାର୍ଟିର ଗଠବନ୍ଧନକୁ ନେଇ ସେ କହିଛନ୍ତି ଯେ, “ଦଳ ଯଦି ଭଲ ପ୍ରଦର୍ଶନ କରିଥାଆନ୍ତା ତେବେ ରଣନୀତି ଠିକ୍ ଥିଲା ଆଉ ଯଦି ଦଳର ପ୍ରଦର୍ଶନ ଖରାପ ହୁଏ ତେବେ ଏଭଳି ବୟାନ ଦିଆଯାଏ। ” ଫଳାଫଳ ଘୋଷଣା ପରେ ପରସ୍ପର ଉପରେ ଦୋଷାରୋପ କରିବା ଦ୍ୱାରା ଏହାର ସମାଧାନ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମାନିଫେଷ୍ଟୋ ଲୋକମାନଙ୍କ ମଧ୍ୟରେ ଏକ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି। ଜନତା କଣ ଚାହୁଁଛନ୍ତି ଏବଂ ଆମେ କେତେ ଦୂର ଏହାକୁ ପୂରଣ କରିପାରିବା ସେ ନେଇ ଅଧିକ ବିଶ୍ଳେଷଣାତ୍ମକ ହେବା ଉଚିତ୍ ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି। ସୂଚନାଯୋଗ୍ୟ ମେ ଦୁଇରେ ଘୋଷଣା ହୋଇଥିବା ନିର୍ବାଚନ ଫଳାଫଳରେ , ପଶ୍ଚିମବଙ୍ଗରେ କଂଗ୍ରେସର ବିପର୍ଯ୍ୟୟ ହୋଇଛି, ଟିଏମସି 294 ଟି ଆସନରୁ 213 ଟି ଜିତିଛି। କଂଗ୍ରେସ ଦଳ କେରଳ ଏବଂ ଆସାମରେ ଶାସନ କ୍ଷମତାକୁ ଫେରିବାରେ ବିଫଳ ହୋଇଛି।  ପୁଡୁଚେରୀରେ ଦଳ ଏନଆର କଂଗ୍ରେସ ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ ଠାରୁ ପରାସ୍ତ ହୋଇଛି। ତେବେ ତାମିଲନାଡୁରେ ଡିଏମକେ ସହ ଗଠବନ୍ଧନ କରି ଦଳ ଶାସନ କ୍ଷମତାକୁ ଫେରିଛି। 

Related Posts