(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ବିତୀୟ ଲହରରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ଉତ୍ତରପ୍ରଦେଶ। ଏଠାରୁ କରୋନା ପରିଚାଳନା ଅବ୍ୟବସ୍ଥାର ଏଭଳି ଚିତ୍ର ସାମ୍ନାକୁ ଆସୁଛି ଯାହା ଅତ୍ୟନ୍ତ ହୃଦୟବିଦାରକ। କେତେବେଳେ ଅକ୍ସିଜେନ ଅଭାବରୁ ମୃତ୍ୟୁ ତ ପୁଣି କେତେବେଳେ ରୋଗୀଙ୍କୁ ବେଡ୍ ମିଳୁ ନାହିଁ। ପ୍ରଥମ ଲହର ସହରାଞ୍ଚଳରେ ଅଧିକ ପ୍ରଭାବିତ କରିଥିବା ବେଳେ ଦ୍ବିତୀୟ ଲହର ଗ୍ରାମାଞ୍ଚଳରେ ଅଧିକ ପ୍ରଭାବ ପକାଇଛି। ୟୁପିର ସହରାଞ୍ଚଳରେ ତ ଯାହା କିଛି ସ୍ବାସ୍ଥ୍ୟ ଭିତ୍ତିଭୂମି ରହିଛି କିନ୍ତୁ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ଏବେ ଭଗବାନ ରାମଙ୍କ ଭରସାରେ। ଆହ୍ଲାବାଦ ହାଇକୋର୍ଟଙ୍କ ଏହି ମନ୍ତବ୍ୟ ଏବେ ଯୋଗୀ ସରକାରଙ୍କ ସ୍ବାସ୍ଥ୍ୟ ମଡେଲର ପୋଲ୍ ଖୋଲି ଦେଇଛି । ଜଷ୍ଟିସ୍ ସିଦ୍ଧାର୍ଥ ବର୍ମା ଏବଂ ଅଜିତ କୁମାରଙ୍କ ଦୁଇ ଜଣିଆ ଖଣ୍ଡପୀଠ ୟୁପିରେ କୋଭିଡ୍ ର ଦିତୀୟ ଲହରରେ ଗ୍ରାମାଞ୍ଚଳ ଲୋକ କିଭଳି ପ୍ରଭାବିତ ହେଉଛନ୍ତି ସେ ନେଇ ଶୁଣାଣି କରିଥିଲେ। ଗତ ଏପ୍ରିଲ ମାସରେ ପଶ୍ଚିମ ଉତ୍ତରପ୍ରଦେଶର ମେରଟ ସହରର ଜିଲ୍ଲା ଡାକ୍ତରଖାନାରୁ ଜଣେ ରୋଗୀ ନିଖୋଜ ହୋଇଯାଇଥିବା ଏକ ତିନିଜଣିଆ କମିଟି ଦ୍ବାରା ଦାଖଲ ହୋଇଥିବା ଏକ ରିପୋର୍ଟ କୁ କୋର୍ଟ ଉଲ୍ଲେଖ କରିଛନ୍ତି। କୋର୍ଟ କହିଛନ୍ତି ଯେ ରୋଗୀ ସାନ୍ତୋଷ କୁମାର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ କୌଣସି କାରଣରୁ ଶୌଚାଳୟରେ ଖସି ପଡ଼ିଥିଲା। ଏହା ପରେ ତାଙ୍କୁ “ଏକ ଷ୍ଟ୍ରେଚରକୁ ଅଣାଯାଇଥିଲା ଏବଂ ତାଙ୍କୁ ବଞ୍ଚାଇବା ପାଇଁ ଡକ୍ଟର ମାନେ ଉଦ୍ୟମ କରିଥିଲେ କିନ୍ତୁ ରୋଗୀ ଜଣକ ହସ୍ପିଟାଲରେ ପ୍ରାଣ ହରାଇଥିଲେ । ତେବେ ବିଡମ୍ବନାର ବିଷୟ ହେଉଛି ମୃତ ବ୍ୟକ୍ତିର ଶବକୁ ଡାକ୍ତର ଏବଂ କର୍ମଚାରୀମାନେ “ଅଜ୍ଞାତ” ବ୍ୟକ୍ତିଙ୍କ ମୃତଦେହ କହି ପକାଇ ଦେଇଥିଲେ । ଏଥିରୁ ସ୍ପଷ୍ଟ ହେଉଛି ଯେ ୟୁପିର ଜିଲ୍ଲା ଡାକ୍ତରଖାନାରେ ଯଦି ଏଭଳି ଅବ୍ୟବସ୍ଥା ତେବେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା କିଭଳି ହୋଇଥିବ।ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ସେବା ଉପରେ କୋର୍ଟ ମଧ୍ୟ ନଜର ରଖିଛନ୍ତି। ମେଡିକାଲ ଭିତ୍ତିଭୂମି ଏତେ ଦୁର୍ବଳ ଯେ କୋର୍ଟ କହିଛନ୍ତି ଯେ, ଯେତେବେଳେ ସ୍ଥିତି ସାମାନ୍ୟ ଥିଲା ସେତେବେଳେ ତ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳି ପାରୁ ନଥିଲା । ଏବେ ତ ମହାମାରୀର ସଙ୍କଟ। ପଶ୍ଚିମ ୟୁପିର ବିଜନୋର ଜିଲ୍ଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି, ଏଠାରେ ଲେଭେଲ୍ -୩ ଡାକ୍ତରଖାନା ନାହିଁ। ତିନୋଟି ସରକାରୀ ଡାକ୍ତରଖାନାରେ ମାତ୍ର 150 ଟି ବେଡ୍ ରହିଛି। ଯଦି ବିପିଏପି ମେସିନ୍ 5 ଏବଂ ନାସାଲ୍ କାନୁଲା ମାତ୍ର 2 ” । କୋର୍ଟ କହିଛନ୍ତି ଯେ, “ଯଦି ଆମେ ଗ୍ରାମାଞ୍ଚଳର ଜନସଂଖ୍ୟାକୁ 32 ଲକ୍ଷ ବୋଲି ଧରୁ , ଯେହେତୁ ସେଠାରେ କେବଳ 10 ଟି କମ୍ୟୁନିଟି ହେଲ୍ଥ ସେଣ୍ଟର କିମ୍ବା CHC ଅଛି, ତେଣୁ ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ରରେ 3 ଲକ୍ଷ ଲୋକ ନିର୍ଭରଶୀଳ। ଏବଂ 3 ଲକ୍ଷ ଲୋକଙ୍କ ପାଇଁ ମାତ୍ର 30 ଟି ବେଡ୍। ଏହାର ଅର୍ଥ ହେଉଛି, ଗୋଟିଏ CHC କେବଳ 0.01 ପ୍ରତିଶତ ଜନସଂଖ୍ୟାରେ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ପୂରଣ କରିପାରିବ । ଏବଂ ସେଠାରେ କୌଣସି ଭେଣ୍ଟିଲେଟର ନା ଅନ୍ୟ କୌଣସି ମେଡିକାଲ ଉପକରଣର ରହିଛି। “300 ବେଡ୍ ପାଇଁ ମାତ୍ର 250 ଅମ୍ଳଜାନ ସିଲିଣ୍ଡର ଆଉ 17 ଅମ୍ଳଜାନ କନସେନଟ୍ରେଟର୍ ଉପଲବ୍ଧ । ଅମ୍ଳଜାନ ସିଲିଣ୍ଡରର କ୍ଷମତା ଏବଂ CHC ରେ ଅକ୍ସିଜେନ କନସେନଟ୍ରେଟର ଚଳାଇବା ପାଇଁ ତାଲିମପ୍ରାପ୍ତ କର୍ମଚାରୀ ଅଛନ୍ତି କି ନାହିଁ ତାହା କହିବା ଅସମ୍ଭବ। ମହାମାରୀ ଆରମ୍ଭ ହେବା ଦିନଠାରୁ ଉତ୍ତରପ୍ରଦେଶ 16.19 ଲକ୍ଷ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କୁ ବେଡ୍ ମିଳୁ ନାହିଁ ଯଦି ବେଡ୍ ମିଳୁଛି ତେବେ ଅମ୍ଳଜାନ ଅଭାବରୁ ମୃତ୍ୟୁ ହେଉଛି। ଆଉ ମୃତ୍ୟୁ ପରେ ଶବଦାହ ପାଇଁ ମଶାଣିରେ ଜାଗା ମିଳୁନି। ଲୋକେ ଗଙ୍ଗା ନଦୀରେ ଶବକୁ ଭସାଇ ଦେଉଛନ୍ତି। ଏହା ଦର୍ଶାଉଛି ୟୁପିର ଗ୍ରାମାଞ୍ଚଳରେ ଆଗକୁ ସ୍ଥିତି କିଭଳି ଭୟାନକ ହେବାକୁ ଯାଉଛି।





