ପ୍ରାକ୍ତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆଙ୍କ ପରଲୋକ


(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆଙ୍କର ଗତକାଲି ରାତ୍ରି ୮.୪୫ ରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସ୍ୱର୍ଗତ ତିରିଆ କିଛି ଦିନ ହେଲା ଗଭୀର କାମଳ ରୋଗର ପୀଡ଼ିତ ଥିଲେ । ପ୍ରଥମେ ଭୁବନେଶ୍ବର ଓ ପରେ ହାଇଦ୍ରାବାଦରେ ଚିକିତ୍ସତ ହୋଇ ସୁସ୍ଥ ହୋଇଥିଲେ । ପରେ ବୁର୍ଲାସ୍ଥିତ ତାଙ୍କ ତୃତୀୟ ଝିଅ ସଂଘମିତ୍ରା ଓ ଜ୍ବାଇଁ ପ୍ରୟାସ ଦଣ୍ଡସେନାଙ୍କ ପାଖରେ ରହୁଥିଲେ । ସ୍ବର୍ଗତ ତରିଆଙ୍କ ୫ ଝିଅ ନିବେଦିତା, ସଂଘମିତ୍ରା, ଅରୁନ୍ଧତୀ, ଅନୁରାଧା ଓ ପଲ୍ଲବୀ, ୪ ଜ୍ବାଇଁ, ପତ୍ନୀ ଶୈଳସୁତା ଓ ପରିବାର ବର୍ଗ ଅଛନ୍ତି । ଗତକାଲି ରାତ୍ରିରେ ତାଙ୍କର ପାର୍ଥିବ ଶରୀର ବୁର୍ଲାରୁ ଆସି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପହଞ୍ଚିଛି । ଆଜି ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି ।ଶ୍ରୀଯୁକ୍ତ ତିରିଆ ଶେଷଥର ପାଇଁ କଂଗ୍ରେସ ଟିକେଟ୍ ରେ ୨୦୧୪ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ୩୪, ୫୮୯ ଖଣ୍ଡ ଭୋଟ୍ ପାଇଥିଲେ । ସୂଚନାଯୋଗ୍ୟ ୧୯୫୨ ଜାନୁଆରି ୨୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ଉପକଣ୍ଠ ଉଫୁଲା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସ୍ବର୍ଗତ ତରିଆ ଏକାଧାରରେ ଜଣେ ଦକ୍ଷ ସଂଗଠକ ଓ ଆଇନଜୀବୀ ଭାବରେ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ। ଉଫୁଲାରେ ପ୍ରାଥମିକ ଶିକ୍ଷା ସମାପନ ପରେ, ବୀରମହାରାଜପୁର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ । ପରେ ପରେ ସୋନପୁର କଲେଜ୍ ଓ ରାଜେନ୍ଦ୍ର କଲେଜରେ ଅଧ୍ୟୟନ ଉଚ୍ଚ ଅଧ୍ୟୟନ କରିଥିଲେ। ସମ୍ବଲପୁର ଆଇନ୍ କଲେଜରୁ ଆଇନ୍ ଡିଗ୍ରି ହାସଲ ପରେ ସୋନପୁରରେ ଓକିଲାତି କୁ ପେଶା ଭାବେ ଗ୍ରହଣ କରିଥିଲେ । ଏବଂ ବୀରମହାରାଜପୁର ନ୍ୟାୟାଳୟ ପ୍ରତିଷ୍ଠା ହେବା ପରେ ସେଠାରେ ଓକିଲାତି ଅଭ୍ୟାସ କରିଥିଲେ। ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କଂଗ୍ରେସ ଦଳର ନୀତି ଆଦର୍ଶକୁ ଗ୍ରହଣ କରି କଂଗ୍ରେସ ରେ ଯୋଗଦାନ କରିଥିଲେ। କଂଗ୍ରେସ ଟିକଟରୁ ୧୯୮୫ ମସିହାରେ ବୀରମହାରାଜପୁର ନିର୍ବାଚନମଣ୍ଡଳୀରୁ ଥରେ ମାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେମାନନ୍ଦ ବିଶ୍ବାଳଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ କୃଷି ଓ ସମବାୟ ମନ୍ତ୍ରୀ ଭାବରେ ଦକ୍ଷତା ସହିତ କାର୍ଯ୍ୟ କରି ବେଶ ଉଚ୍ଚ ପ୍ରଶଂସିତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ବୀରମହାରାଜପୁରକୁ ଉପଖଣ୍ଡ ମାନ୍ୟତା ମିଳିଥିଲା। ଏହା ସହିତ ବୀରମହାରାଜପୁର ଉପଖଣ୍ଡସ୍ତରୀୟ ୭ଟି ବିଭାଗର ଉପଖଣ୍ଡସ୍ତରୀୟ କାର୍ଯ୍ୟାଳୟ ମଧ୍ୟ ଖୋଲାଯାଇଥିଲା। ବୀରମହାରାଜପୁର ମହାବିଦ୍ୟାଳୟର ସେ ପ୍ରତିଷ୍ଠାତା ସମ୍ପାଦକ ଥିଲେ। ଏତଦ୍ ବାଦ୍ ଲୁତୁରପଙ୍କଠାରେ ଆୟୁର୍ବେଦ ଡାକ୍ତରଖାନା, ସୁବଳୟା କଲେଜ୍ ପ୍ରତିଷ୍ଠା ପଛରେ ମଧ୍ୟ ତାଙ୍କର ଅବଦାନ ରହିଥିଲା।ସାଧାରଣ ଜୀବନରେ ସେ ବେଶ୍ ମେଳାପୀ ଓ ଗ୍ରହଣୀୟ ଥିଲେ । ତାଙ୍କର ବିୟୋଗରେ ସର୍ବସାଧାରଣରେ ବିଷାଦର ଛାୟା ଖେଳିଯାଇଛି ।

Related Posts