ଲିଜ୍ ଟ୍ରସଙ୍କୁ ବ୍ରିଟେନରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କଲେ ରାଣୀ ଏଲିଜାବେଥ ୨ୟ

ଲଣ୍ଡନ : ବ୍ରିଟେନକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ଲିଜ୍ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଲିଜ୍ ଟ୍ରସଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି ରାଣୀ ଏଲିଜାବେଥ ୨ୟ । ଗତ କାଲି ଅର୍ଥାତ ସୋମବାରଦିନ ସେ କଂଜରଭେଟିଭ ଦଳର ନେତ୍ରୀ ଚୟନ ହେବା ପରେ ମଙ୍ଗଳବାରଦିନ ସେ ବାଲମୋରାଲ କାସଲ ଯାଇ ରାଣୀଙ୍କୁ ସାକ୍ଷାତ କରିଥିଲେ ।

ରାଣୀ ଏଲିଜାବେଥ ୨ୟଙ୍କ ରାଜତ୍ବରେ ଲିଜ୍ ଟ୍ରସ ହେଉଛନ୍ତି ୧୫ତମ ବ୍ରିଟିଶ ପ୍ରଧାନମନ୍ତ୍ରୀ । ରାଣୀ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ସହ ନିଜର ମନ୍ତ୍ରୀମଣ୍ଡଳ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ପୂର୍ବ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଜି ୧୦ ଡାଉନିଂ ଷ୍ଟ୍ରିଟ୍ ତ୍ୟାଗ କରିଛନ୍ତି । ସେ ଲିଜ ଟ୍ରସଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ସହ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତ୍ୟାଗ କରିଛନ୍ତି । ଗତ ୧୭ ଜୁଲାଇରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ପାଇଁ ଏକ ଲମ୍ବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଲିଜ୍ ଟ୍ରସଙ୍କ ସଂପୂର୍ଣ୍ଣ ନାମ ହେଉଛି ମେରି ଏଲିଜାବେଥ ଟ୍ରସ୍ । ୨୬ ଜୁଲାଇ, ୧୯୭୫ରେ ଇଂଲଣ୍ଡର ଅକ୍ସଫୋର୍ଡରେ ଜନ୍ମ ଗ୍ରହଣ କରିଥିବା ଟ୍ରସ୍ ଗତ ୨୦୨୧ରୁ ବ୍ରିଟେନର ବିଦେଶ, ରାଜ୍ୟଗୋଷ୍ଠୀ ଓ ଉନ୍ନୟନ ବ୍ୟାପାର ମନ୍ତ୍ରୀ ଅଛନ୍ତି । ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟରେ ପଢିଥିବା ଟ୍ରସ ପୂର୍ବରୁ ତୈଳ କମ୍ପାନି ସେଲରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାମ କରିଥିଲେ ।

Related Posts