ୟୁପିରେ ଆରମ୍ଭ ହେଲା ‘ଯଦୁକୂଳ ପୁର୍ନଜାଗରଣ ମିଶନ’; ଅଖିଳେଶଙ୍କ ଠାରୁ ଯାଦବ ଭୋଟ ଛଡାଇ ଆଣିବା ଲକ୍ଷରେ ଶିବପାଲ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶ ରାଜନୀତିରେ ଜାତିଗତ ସମୀକରଣ ବହୁ ଗୁରୁତ୍ଵ ରଖେ । ଆଉ ରାଜ୍ୟର ଏକ ବଡ଼ ଭୋଟ ବ୍ୟାଙ୍କ୍ କୁହାଯାଉଥିବା ଯାଦବ ସମ୍ପ୍ରଦାୟ ଏବେ ଚର୍ଚ୍ଚାରେ । ଉତ୍ତରପ୍ରଦେଶରେ ପାଖାପାଖି ୧୦ ପ୍ରତିଶତ ମତଦାତା ଯାଦବ ସମ୍ପ୍ରଦାୟର । ଏମାନେ ମୁଲାୟାମ ସିଂହଙ୍କ ସମୟରୁ ଲଗାତର ଭାବେ ସମାଜବାଦୀ ପାର୍ଟିକୁ ଭୋଟ ଦେଇ ଆସୁଛନ୍ତି । ତେବେ ସମୟ ବଦଳିବା ସହ ୨୦୨୨ ନିର୍ବାଚନରେ ଏହି ଭୋଟରଙ୍କୁ ଅଖିଳେଶ ଯାଦବ ଉପେକ୍ଷା କରି ବ୍ରାହ୍ମଣ, ଦଳିତ ଏବଂ ଅଣଯାଦବ ସମ୍ପ୍ରଦାୟକୁ ନିଜପଟକୁ ଆଣିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ଯାଦବ ସମାଜର ନେତା ନିଜକୁ ଉପେକ୍ଷିତ ମଣିଥିଲେ ମଧ୍ୟ ରାଜନୈତିକ ସ୍ଥିତିକୁ ଦେଖି ସାପା ସହ ଯୋଡିହୋଇ ରହିଥିଲେ । ଅନ୍ୟପକ୍ଷରେ କିନ୍ତୁ ସପା ସହ ସମସ୍ତ ସମ୍ପର୍କ ଭାଙ୍ଗିସାରିଥିବା ଶିବପାଲ ଯାଦବ ବର୍ତ୍ତମାନ ଅଖିଳେଶଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ କରିବା ଆରମ୍ଭ କରିଦେଇଛନ୍ତି । ଯଦୁବଂଶୀୟ ସର୍ବମାନ୍ୟ ନେତା ହେବା ଲକ୍ଷ୍ୟରେ ସେ ପୂର୍ବତନ ସାଂସଦ ଡିପି ଯାଦବଙ୍କ ସହ ବନ୍ଧୁତା ସ୍ଥାପନା କରିଛନ୍ତି । ଯାଦବ ସମାଜ ପାଇଁ ଲଢେଇ କରିବାକୁ ସେ ଆଗକୁ ବଢିବା ଆରମ୍ଭ କରିଛନ୍ତି । ଏହା ସହ ସେ ଆରମ୍ଭ କରିଛନ୍ତି ‘ଯଦୁକୂଳ ପୁର୍ନଜାଗରଣ ମିଶନ’ । ଯାଦବ ବଂଶୀୟ ବଡ ବଡ ନେତାଙ୍କୁ ନେଇ ନିଜ ପୁତୁରା ଅଖିଳେଶଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରିଛନ୍ତି ଶିବପାଲ ଯାଦବ।

ଧୀରେ ଧୀରେ ରାଜ୍ୟ ରାଜନୀତିରୁ ପ୍ରଭାବ ହରାଉଥିବା ଶିବପାଲ ଯାଦବଙ୍କ ଗୋଟିଏ ଚାଲ ରାଜ୍ୟ ରାଜନୀତିରେ ପୁଣି ହଇଚଇ ସୃଷ୍ଟି କରିଛି । ଗୁରୁବାର ଲଷ୍ମୌର ଆୟୋଜିତ ଯଦୁକୂଳ କାର୍ଯ୍ୟକ୍ରମରେ ସେ ଯାଦବ ସମୁଦାୟର ବଡ ବଡ ନେତାଙ୍କୁ ଏକାଠି କରି ରାଜନୀତିରେ ଆଉ ଗୋଟିଏ ବଡ ମିଶନ ଆରମ୍ଭ କରୁଥିବା ସଙ୍କେତ ଦେଇଛନ୍ତି । ଯଦୁକୂଳ ପୁର୍ନଜାଗରଣ ମିଶନ ଜରିଆରେ ଏହି ସନ୍ଦେଶ ଦେଇଛନ୍ତି । ଏହାର ନାରା ରହିଛି ‘ନୂଆ ଚିନ୍ତାଧାରା, ନୂଆ ତରିକା, ନୂଆ ନେତ୍ୱତ୍ୱ’ । ଶିବପାଲ ନିଜେ ଏହାର ସଂଯୋଜକ ଥିବା ବେଳେ ପୂର୍ବତନ ସାଂସଦ ଡିପି ଯାଦବଙ୍କୁ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି । ଉଭୟ ମିଳିମିଶି ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଯଦୁକୂଳ ମଞ୍ଚରେ ବାଲେଶ୍ୱର ଯାଦବ, ସୁଖରାମ ଯାଦବ, ମୁଲାୟାମ ସିଂହଙ୍କ ସମସାମୟିକ ହରିଓମ ଯାଦବଙ୍କ ସହ ତମାମ ପୂର୍ବତନ ସାଂସଦ ଏବଂ ବିଧାୟକ ଏକାଠି ହୋଇଥିଲେ । ଶିବପାଲ ଏହି ମଞ୍ଚରେ ଅଖିଳେଶଙ୍କୁ ବାଦ ଦେଇ ସେମାନଙ୍କ ନେତା ନିର୍ବାଚିତ କରିବାର ବିକଳ୍ପ ନିର୍ଣ୍ଣୟ କରିବାକୁ କହିଥିଲେ ।

ଶିବପାଲ ଏହାକୁ ସାମାଜିକ ଲଢେଇର ନାମ ଦେଉଥିଲେ ମଧ୍ୟ ଏହା ପଛରେ ଥିବା ତାଙ୍କର ରାଜନୈତିକ ଉଦ୍ଦେଶ୍ୟ ସଫାସଫା ଜଣାପଡୁଛି । ରାଜ୍ୟର ଯାଦବ ସମାଜର ନେତା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଆଖିରେ ରଖି ଯାଦବ ସମାଜର ଭୋଟକୁ ନେଇ ନିଜର ରାଜନୈତିକ ଉଦ୍ଦେଶ୍ୟକୁ ବଞ୍ଚାଇରଖିବାକୁ ଉଦ୍ଦ୍ୟମ ଆରମ୍ଭ କରିଛନ୍ତି । ସେହିଭଳି ଡିପି ଯାଦବ ମଧ୍ୟ ନିଜର ରାଜନୈତିକ କ୍ୟାରିୟରକୁ ନୂଆ ଜୀବନ ଦେବାକୁ ଚେଷ୍ଟା କରୁଛନ୍ତି । ଆଉ ଏହି ଦୁଇ ନେତା ବର୍ତ୍ତମାନ ମିଳିମିଶି ଅଖିଳେଶଙ୍କୁ ଧୂଳି ଚଟାଇବାକୁ ଯୋଜନା ଆରମ୍ଭ କରିଛନ୍ତି ।

Related Posts