କଂଗ୍ରେସର ମିଶନ ଗୁଜୁରାଟ; ବିଧାନସଭା ନିର୍ବାଚନରେ କଂଗ୍ରେସର ସ୍ଥିତିକୁ ମଜବୁତ କରିବା ପାଇଁ ପ୍ରଶାନ୍ତଙ୍କ ସହ ବୈଠକ କଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବଂ ପୂର୍ବତନ କଂଗ୍ରେସ ଜାତୀୟ ସଭାପତି ରାହୁଲ ଗାନ୍ଧୀଙ୍କ ସହିତ ବୈଠକ ହୋଇଥିବାର ଖବର ସାମ୍ନାକୁ ଆସିଛି । ତେବେ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ଅଭିଯାନକୁ ମଜବୁତ କରିବା ପାଇଁ ପ୍ରଶାନ୍ତ କିଶୋର ଏବଂ ରାହୁଲ ଗାନ୍ଧୀଙ୍କ ବୈଠକ ହୋଇଥିବାର ଅନୁମାନ କରାଯାଉଛି । ସେପଟେ କଂଗ୍ରେସ ଠାରୁ ପ୍ରଶାନ୍ତ ଦୂରେଇ ଯିବା ପରଠାରୁ ଏହା ହେଉଛି ରାହୁଲଙ୍କ ସହ ତାଙ୍କର ପ୍ରଥମ ବୈଠକ । ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କର ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରିଥାନ୍ତି । ଗତ ବର୍ଷ ସେପ୍ଟେମ୍ବର ମାସରେ କଂଗ୍ରେସ ସହିତ ପ୍ରଶାନ୍ତଙ୍କର ଆଲୋଚନା ହୋଇଥିଲା । ଯାହା ପରେ ସେମାନଙ୍କର ପଥ ଅଲଗା ହେଲା । ଏହା ପରେ କଂଗ୍ରେସ ନିଜର ପୂର୍ବତନ ନିର୍ବାଚନ ପ୍ରଚାରକୁ ଆଗେଇ ନେବା ପାଇଁ ପ୍ରଶାନ୍ତଙ୍କ ସହଯୋଗୀଙ୍କ ସହ ଏକ ଚୁକ୍ତି କରିଥିଲା। ସେପଟେ ପ୍ରଶାନ୍ତ ନିର୍ବାଚନ ପ୍ରଚାରରେ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ ।

ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ ପ୍ରଶାନ୍ତ କେବଳ ଗୁଜୁରାଟ ପାଇଁ ଏକାଠି କାମ କରିବାକୁ କଂଗ୍ରେସକୁ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଏହି ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ନେଇନାହିଁ। ତେବେ ଏହା ମଧ୍ୟ ସ୍ପଷ୍ଟ ଯେ ଗୁଜୁରାଟ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର କଂଗ୍ରେସ ସହ କାମ କରିବାକୁ ଚାହୁଁଛନ୍ତି। ଏଥି ସହିତ ଅନେକ କଂଗ୍ରେସ ନେତା ଅଛନ୍ତି ଯେଉଁମାନେ ଚାହୁଁଛନ୍ତି କି ପ୍ରଶାନ୍ତ କିଶୋର ଗୁଜୁରାଟରେ ଦଳର ନିର୍ବାଚନ ପ୍ରଚାର କରନ୍ତୁ। କିନ୍ତୁ ଏହି ସବୁ ଜିନିଷ ଉପରେ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତି ଚୂଡାନ୍ତ ହେବ ବୋଲି କୁହାଯାଉଛି । ସେପଟେ ଗତ ବର୍ଷ ପ୍ରଶାନ୍ତ କିଶୋର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଅନେକ ରାଉଣ୍ଡ ଆଲୋଚନା କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଘରକୁ ଯାଉଥିବା ପି.କେ.ର ଚିତ୍ର ରାଜନୈତିକ ବଜାରକୁ ଗରମ କରିଦେଇଥିଲା।

Related Posts