‘ଇଏସ୍ଆଇସି ହସ୍ପିଟାଲକୁ ନେଇ ସାଧାରଣ ସଭାରେ ମିଛ କହିଲେ ମୋଦି’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୋମବାରର ଓଡିଶା ଗସ୍ତ ଅବସରରେ ଖୋର୍ଦ୍ଧାରେ ଇ.ଏସ୍.ଆଇ. ହସ୍ପିଟାଲକୁ ନେଇ ସାଧାରଣ ସଭାରେ ରଖିଥିବା ମନ୍ତବ୍ୟକୁ ଦୃଢ଼ ବିରୋଧ କରିଛି କଂଗ୍ରେସ । ଏ ନେଇ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, ଇ.ଏସ୍.ଆଇ. ହସ୍ପିଟାଲର ଶଯ୍ୟା ସଂଖ୍ୟା ୫୦ ରୁ ୧୦୦ କୁ ବୃଦ୍ଧି କରିବାକୁ ନେଇ ଡିଣ୍ଡିମ ପିଟୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ହସ୍ପିଟାଲକୁ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ମେଡିକାଲ କଲେଜରେ ରୂପାନ୍ତରିତ କରିବା ପାଇଁ ନିଷ୍ପତ୍ତି ।

କିନ୍ତୁ ଏ ନେଇ ସଂପୂର୍ଣ୍ଣ ନିରବ ରହିଥିଲେ ମୋଦି । ପୂର୍ବରୁ କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ଇ.ଏସ୍.ଆଇ.ସି. ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ତଦନୁଯାୟୀ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ଠାରେ ୨୫ ଏକର ସରକାରୀ ଜାଗାରେ କର୍ମଚାରୀ ରାଜ୍ୟ ବୀମା ନିଗମଙ୍କ ଦ୍ୱାରା ୧୩.୯୭ କୋଟି ଟଙ୍କା ବ୍ୟୟରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଥିଲା ।

ଏ ସଂପର୍କରେ ବିଧାନସଭାରେ ବିଧାୟକ ଶ୍ରୀ ଭୁଜବଳ ମାଝୀଙ୍କ ଦ୍ୱାରା ପଚରା ଯାଇଥିବା ଏକ ପ୍ରଶ୍ନର ଉତର ରଖି ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ସରକାରଙ୍କ ଠାରୁ ୨୦୧୫ ଅକ୍ଟୋବର 9 ତାରିଖରେ ଓଡିଶା ଶ୍ରମ ଓ ନିଯୁକ୍ତି ବିଭାଗକୁ ଲେଖା ଯାଇଥିବା ପତ୍ର ଅନୁଯାୟୀ ପ୍ରକଳ୍ପଟିକୁ ବର୍ତମାନ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏହି ଆବଣ୍ଟିତ ଜମିରେ ଏକ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପତ୍ରାଳାପ କରିଛନ୍ତି ।

ଇତି ମଧ୍ୟରେ କର୍ମଚାରୀ ରାଜ୍ୟ ବୀମା ନିଗମଙ୍କ ତା ୧୬.୨.୨୦୧୮ ରିଖରେ ୧୭୩ତମ ବୈଠକର ନିଷ୍ପତି ଅନୁଯାୟୀ ଭୁବନେଶ୍ୱର ନିକଟ ଅନ୍ଧାରୁଆ ଠାରେ ଏକ ୧୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଖୋଲାଯିବା ପାଇଁ ମଞ୍ଜୁର ହୋଇଅଛି ଯାହାକି କ୍ରମଶଃ ୨୫୦ ଶଯ୍ୟାକୁ ଉନ୍ନିତ କରାଯିବ । ଏଣୁ ରାଜ୍ୟ ସରକାର ଯୋଗାଇ ଦେଇଥିବା ୨୫ ଏକର ଜମିରେ ୨୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ପ୍ରଥମେ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଚକ୍ରାନ୍ତ କରି ୨୫୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିଷ୍ପତି ନିଆଯାଇଛି, ଯାହା ପ୍ରାରମ୍ଭିକ ଅବସ୍ଥାରେ ୧୫୦ ଶଯ୍ୟା ବିଶିଷ୍ଟ ହେବ । କିନ୍ତୁ ମେଡିକାଲ କଲେଜ ପାଇଁ କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ନେଇଥିବା ନିଷ୍ପତିକୁ ପରିବର୍ତନ କରି ବର୍ତମାନ ୫୦ ରୁ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରି ବାହାବା ନେବା ଦୁର୍ଭାଗ୍ୟଜନକ । ଏ ସଂପର୍କରେ ବିଜୁ ଜନତା ଦଳ ସବୁ ଜାଣି ନିରବ ରହିବା ଏବଂ ଓଡିଶାର ସ୍ୱାର୍ଥ ସହିତ ସାଲିସ କରିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

କେଉଁ ପରିପ୍ରେକ୍ଷୀରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ କେବଳ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରି ଦିଆଗଲା ଓ ମେଡିକାଲ କଲେଜକୁ ବନ୍ଦ କରି ଦିଆଗଲା ସେ ସଂପର୍କରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଆଗରେ ଉତର ରଖନ୍ତୁ । ଇଏସ୍ଆଇ ମେଡିକାଲ କଲେଜକୁ ବନ୍ଦ କରିବାକୁ ନେଇ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବା ପ୍ରମାଣ କରୁଛି ଯେ ବିଜେପି ଏବଂ ବିଜେଡି ଭିତରେ ଭିତିରିଆ ସଂପର୍କ ରହିଛି ଏବଂ ଉଭୟ ଦଳର ଆଚରଣ ଏବଂ ଉଚ୍ଚାରଣ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ଭଳି ।

ସୋମାବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଧାରଣ ସଭା ପୁଣି ଥରେ ପ୍ରମାଣିତ କରିଛି ଯେ ଓଡିଶାର ସ୍ୱାର୍ଥ ଅପେକ୍ଷା ବିଜେପି ଏବଂ ବିଜେଡି ନିଜର ଦଳୀୟ ସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦେଉଛି ବୋଲି କଂଗ୍ରେସ ସିଧାସଳଖ କଟାକ୍ଷ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ବିଭୁ ପ୍ରସାଦ ତରାଇ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Related Posts