
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ଅପାରଗତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଯେପରି ଚେତାବନୀକୁ ଅଣଦେଖା କରିଛନ୍ତି ଏବଂ ରାଜନୈତିକ ସମାବେଶ ଓ କୁମ୍ଭ ମେଳା ଆୟୋଜନ କରି ବିଶ୍ୱକୁ ସୂଚାଇ ଦେଇଛନ୍ତି ଯେ ମହାମାରୀକୁ ନିୟନ୍ତ୍ରଣ କରିବାରେ ସରକାର କିପରି ବିଫଳ ହୋଇଛନ୍ତି। ANI କୁ ସୂଚନା ଦେଇ ଶିବଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ୍। ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ – ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଏପ୍ରିଲରେ ଅନୁଷ୍ଠିତ ହୋଇଥିବାବେଳେ ଗତ ମାସରେ ହରିଦ୍ୱାରରେ ଏକ ମାସର କୁମ୍ଭ ମେଳାର ମଧ୍ୟ ଆୟୋଜିତ ହୋଇଥିଲା। “କେନ୍ଦ୍ର ସରକାର ଭାବିଥିଲେ ଯେ କରୋନା ମହାମାରୀ ସମାପ୍ତ ହୋଇଛି ଏବଂ ବିଶ୍ୱ ଅର୍ଥନୈତିକ ଫୋରମ୍ ଦ୍ବାରା ସେମାନେ ମଧ୍ୟ ପ୍ରଶଂସିତ ହୋଇଛନ୍ତି। ତଥାପି ସେମାନେ ଜାଣି ନାହାଁନ୍ତି ଯେ ଏମିତି ଏକ ସମୟ ଆସିବ ଯେତେବେଳେ କୌଣସି ଟେଷ୍ଟିଂ ହେବ ନାହିଁ କି ଅମ୍ଳଜାନ ମିଳିବ ନାହିଁ।” ବୋଲି କଂଗ୍ରେସର ବରିଷ୍ଠ ନେତା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମାର୍ଚ୍ଚରେ ଆମର ନିଜସ୍ୱ ନଅଟି ଲାବୋରେଟୋରୀ ଚେତାବନୀ ଦେଇଥିଲା ଯେ କରୋନାର ନୂତନ ଭ୍ଯାରିଏଣ୍ଟ୍ ଭାରତରେ ଅତି ଶୀଘ୍ର ବିସ୍ତାର ହେବ ଏବଂ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ତଥାପି ବି ସରକାର ଭାବିଥିଲେ ଯେ ସେମାନେ ରାଜନୈତିକ ସମାବେଶ କରିବେ , କୁମ୍ଭ ମେଳା ଆୟୋଜନ କରି ସମସ୍ତଙ୍କୁ ଏକତ୍ରିତ କରିପାରିବେ।” ସେ କହିଛନ୍ତି, “ଯେଉଁଭଳି ଭାବରେ ସେମାନେ ଅବହେଳା ପ୍ରଦର୍ଶନ କରିଥିଲେ, ଏହାର ଏକ ଉଦାହରଣ ହେଉଛି କିପରି ଏଭଳି ମହାମାରୀ ବେକାବୁ ହେଉଛି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ।” ଭାରତରେ ଏବେ କରୋନାର ଦ୍ବିତୀୟ ଲହର ଭୟାନକ ସ୍ଥିତି ସୃଷ୍ଟି କରିଛି। ଲୋକେ ଅମ୍ଳଜାନ ଅଭାବରୁ ପ୍ରାଣ ହରାଉଛନ୍ତି। ପ୍ରତିଦିନ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୈନିକ ୩ ହଜାରରୁ ଊର୍ଦ୍ଧ୍ବ କରୋନା ରୋଗୀ ପ୍ରାଣ ହରାଉଛନ୍ତି।