ନିରବି ଗଲେ ମୋଦି ! ବାରିପଦା ଜନସଭାରେ ନବୀନ ସରକାରଙ୍କ ପ୍ରତି ଡିଫେନ୍ସ !

ନବୀନଙ୍କ ପ୍ରତି କାହିଁକି ନିରବି ଗଲେ ମୋଦି, ସବୁବେଳେ ଆଟାକିଂ ଖେଳୁଥିବା ପ୍ରଧାନମନ୍ତ୍ରୀ ବାରିପଦାରେ କାହିଁକି ଡିଫେନ୍ସ କଲେ ତାକୁ ନେଇ ଚର୍ଚ୍ଚା ।

ମାତ୍ର 13 ଦିନ ଭିତରେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ଓଡ଼ିଶା ଗସ୍ତ । 2019ର ମହାଲଢ଼େଇ ପୂର୍ବରୁ ରାଜ୍ୟକୁ ମୋଦିଙ୍କ ଘନ ଘନ ଗସ୍ତରୁ ଫାଇଦା ନେବାକୁ ଜୋରଦାର ଉଦ୍ୟମ କରୁଛି ବିଜେପି । ଏଥିପାଇଁ ବିଜେପି ପକ୍ଷରୁ କରାଯାଇଥିଲା ବଡ଼ ଆୟୋଜନ । ଲଗାତାର ନବୀନ ସରକାରଙ୍କ ଉପରେ ଆକ୍ରମଣ କରୁଥିବା ରାଜ୍ୟ ବିଜେପିର ନେତାଏ ଭାବିଥିଲେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର ବର୍ଷିବେ । ନବୀନଙ୍କୁ ସମାଲୋଚନା କରିବେ, ଯାହା ଦଳ ପାଇଁ 2019 ଲଢ଼େଇରେ ହାୱା ସୃଷ୍ଟି କରିବ । ବାରିପଦା ଜନସଭାରେ ଯୋଗ ଦେଇଥିବା ବିଜେପିର ରାଜ୍ୟ ଓ କେନ୍ଦ୍ରୀୟ ନେତା ତ ନବୀନଙ୍କୁ ଟାର୍ଗେଟ୍‌ କଲେ, କିନ୍ତୁ ଏ ମାମଲାରେ ପ୍ରାୟତଃ ନିରବି ଗଲେ ମୋଦି । ଭାଷଣରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ତ ସମାଲୋଚନା କଲେ କିନ୍ତୁ ନବୀନଙ୍କ ବାବଦରେ ପଦୁଟିଏ ବି କହିଲେ ନାହିଁ ।

ଜନସଭାରେ ମୋଦିଙ୍କ ଭାଷଣରେ ସେପରି ଆକ୍ରାମକ ଭାବ ଦେଖାଯାଇନଥିଲା । କେବଳ ପିପିଲି ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ପ୍ରସଙ୍ଗକୁ ଛାଡ଼ିଦେଲେ, ମୋଦି ନା ରାଜ୍ୟ ସରକାରଙ୍କର କୌଣସି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ, ନା ଓଡ଼ିଶାର ପଛୁଆ ରହିବା ପଛରେ ରାଜ୍ୟ ସରକାରଙ୍କ ଅପାରଗତା କଥା କହିଲେ । ନବୀନଙ୍କ ପ୍ରତି କାହିଁକି ନିରବି ଗଲେ ମୋଦି, ସବୁବେଳେ ଆଟାକିଂ ଖେଳୁଥିବା ପ୍ରଧାନମନ୍ତ୍ରୀ ବାରିପଦାରେ କାହିଁକି ଡିଫେନ୍ସ କଲେ ତାକୁ ନେଇ ଚର୍ଚ୍ଚା ।

ବାରିପଦାରେ ପ୍ରଧାନମନ୍ତ୍ରୀ ୪୫୦୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ । ଭାଷଣରେ କହିଲେ କେନ୍ଦ୍ର ସରକାର ଦେଶର ବିକାଶ ଲାଗି ସଂକଳ୍ପବଦ୍ଧ । ଗତ ସାଢ଼େ ୪ ବର୍ଷ ଧରି ଏହି ସଂକଳ୍ପର ରୂପାୟନ ଲାଗି ସରକାର ଚେଷ୍ଟା ଜାରି ରଖିଛନ୍ତି । ଏଥି ସହ ପୂର୍ବ ଓ ଉତ୍ତରପୂର୍ବ ଭାରତର ବିକାଶକୁ କେନ୍ଦ୍ର ସରକାର ଖୁବ୍‌ ଗୁରୁତ୍ୱ ଦେଉଛନ୍ତି । ଏହା ଦ୍ୱାରା ନୂଆ ଭାରତର ନିର୍ମାଣ ଧାରା ଅଗ୍ରଗତି କରିପାରିଛି ।

ବାରିପଦାରେ ପ୍ରଧାନମନ୍ତ୍ରୀ ଯେଉଁ ୪୫ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ତା ଭିତରେ ରହିଛି ନୂଆ ସଡ଼କପଥ, ରେଳପଥ, ଏଲ୍‌ପିଜି ପାଇପ୍ ଲାଇନ୍, ନୂଆ ପାସେଞ୍ଜର ଟ୍ରେନ୍‌ ଓଏକ ଲଜିଷ୍ଟିକ୍ସ ପାର୍କ । ତିନିଟି ରାଜପଥ ପ୍ରକଳ୍ପର ଭୂମି ପୂଜନ ହୋଇଛି ।

ରେମୁଲି-କୋଇଡ଼ା, କୋଇଡା- ରାଜାମୁଣ୍ଡା ଓ ସିଙ୍ଗରା- ବିଂଜବାହାଳ ୪ ଲେନ୍ ବିଶିଷ୍ଟ ରାଜପଥର ଶିଳାନ୍ୟାସ ହୋଇଛି । ସେହିପରି ବାଲେଶ୍ୱର- ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ପାଇପ୍ ଲାଇନର୍ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ବାଲେଶ୍ୱରଠାରେ ନିର୍ମିତ ମଲ୍ଟି ମୋଡାଲ ଲଜିଷ୍ଟିକ୍ସ ପାର୍କର ମଧ୍ୟ ଶୁଭାରମ୍ଭ ହୋଇଛି ।

ଭଦ୍ରକ, କଟକ, ଆସ୍କା, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝରଠାରେ ନୂଆ ପାସପୋର୍ଟ ସେବା କେନ୍ଦ୍ର ଖୋଲାଯାଇଛି । ହରିପୁରଗ଼ଠାରେ ଥିବା ରସିକରାୟ ମନ୍ଦିର ଓ ଖନନ କରାଯାଇଥିବା ଢାଂଚାର ସଂରକ୍ଷଣ ଏବଂ ବିକାଶ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Related Posts