(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଶିଶୁ ଯୌନ ଉତ୍ପୀଡ଼ନ ବୃଦ୍ଧିରେ ଓଡ଼ିଶାର ସ୍ଥାନ ଦେଶରେ ଚତୁର୍ଥ। ଏବଂ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ୧୮ ଗୁଣା ବଢ଼ିଛି। ଏ ନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ। ମନ୍ତ୍ରୀଙ୍କ ସୂଚନା ମୁତାବକ ୨୦୦୯ ରେ ଓଡ଼ିଶାରେ ୮୭ଟି ଶିଶୁ ଯୌନ ନିର୍ଯାତନା ମାମଲା ଥିବାବେଳେ ୨୦୧୯ ରେ ଏହି ସଂଖ୍ୟା ୧୬୪୮କୁ ବୃଦ୍ଧି ପାଇଛି। ଏଥି ମଧ୍ୟରୁ ୨୩୧ଟି ଶିଶୁ ଦୁଷ୍କର୍ମ ମାମଲା ,ଏବଂ ପୋକ୍ସୋ ଆଇନ୍‌ ଅଧୀନରେ ୧୪୧୭ ଟି ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ସାରା ଦେଶରେ ୨୦୦୯ ମସିହାରେ ଶିଶୁ ଯୌନ ନିର୍ଯାତନା ମାମଲା ୫୩୬୮ ଥିଲା ବେଳେ ୨୦୧୯ରେ ଏହା ୫ ଗୁଣା ବୃଦ୍ଧି ପାଇ ୩୧ ହଜାର ୧୩୨ରେ ପହଁଚିଛି। ଅର୍ଥାତ୍ ଜାତୀୟ ହାରଠାରୁ ଓଡିଶାରେ ଶିଶୁ ଯୌନ ନିର୍ଯାତନା ମାମଲା ବୃଦ୍ଧି ହାର ବହୁତ ଅଧିକ।

ତେବେ ଏ ସମ୍ପର୍କରେ ଶିଶୁ ଅଧିକାର ସୁରକ୍ଷା କର୍ମୀଙ୍କ ମତ ହେଉଛି ମୋବାଇଲ, ଟେଲିଭିଜନ, ଇଣ୍ଟରନେଟ୍‌ ବହୁଳ ବ୍ୟବହାର ଶିଶୁ ଯୌନ ଉତ୍ପୀଡ଼ନ ବୃଦ୍ଧିର ମୁଖ୍ୟ କାରଣ । ଏଥିସହିତ ଅଭିଭାବକ ଓ ପୁଲିସ୍‌ର ଦାୟିତ୍ୱହୀନତା ମଧ୍ୟ କିଛି ପରିମାଣରେ ଦାୟୀ।

ତେବେ ରାଜ୍ୟରେ ଶିଶୁ ଯୌନ ଉତ୍ପୀଡ଼ନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ପୋକ୍ସୋ ଆଇନ ଆସିବା ପରେ ସଚେତନତା ବଢ଼ିଛି। ତେଣୁ ଅଧିକ ଶିଶୁ ଯୌନ ଉତ୍ପୀଡ଼ନ ମାମଲା ରୁଜୁ ହେଉଛି। ତେଣୁ କିଭଳି ଭାବେ ପୋକ୍ସୋ କୋର୍ଟରେ ଶିଶୁ ଯୌନ ଉତ୍ପୀଡ଼ନ ମାମଲାର ତୁରନ୍ତ ସମାଧାନ କରାଯିବ ଓ ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବ ଏବଂ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ମିଳି ପାରିବ, ସେ ଦିଗରେ କମିଶନ କାମ କରୁଛି। ଶ୍ରୀମତୀ ପ୍ରଧାନ କହିଛନ୍ତି ଯେ ମହିଳା ଥାନା ଭଳି ଶିଶୁଙ୍କ ଲାଗି ସ୍ୱତନ୍ତ୍ର ଶିଶୁ ଥାନା ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।