ଆଖୁ କିଆରୀରେ ନିରଂଜନ !

Niranjan patnaik

ଭୁବନେଶ୍ୱର – ଜବ୍ ଦେନେ ୱାଲା ଦେତା ହୈ , ତବ୍ ଛପର୍ ଫାଡ୍ କେ ଦେତା ହୈ । ଯାହା କ୍ରମାଗତ ଭାବେ ଘଟିଚାଲିଛି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କ୍ଷେତ୍ରରେ । ହୁଏତ ପାଠକେ ସହଜରେ ବୁଝିପାରୁ ନଥିବେ କିନ୍ତୁ ଏହା ହେଉଛି ବାସ୍ତବତା । ଆଜ୍ଞା ହଁ ନିରଂଜନ ବାବୁଙ୍କୁ ଏବେ ବହୁତ କିଛି ମିଳିଯାଇଛି ଯାହା ସେ କେବେ ଭାବି ଥିବେ କି ନାହିଁ ସନ୍ଦେହ । ଆଉ ନିରଂଜନ ବାବୁଙ୍କ ଅବସ୍ଥା ଦେଖିଲେ ଲାଗୁଛି ଯେମିତି ସେ ଆଖୁ କିଆରୀରେ ପଶି ଯାଇଛନ୍ତି ଏବଂ କେଉଁ ଆଖୁ ଖାଇବେ ତାହା ଜାଣି ପାରୁ ନାହାଁନ୍ତି ।

ଥରେ ଭାବନ୍ତୁ ଆଖୁ ପ୍ରତି ଆପଣଙ୍କର ପ୍ରବଳ ଦୁର୍ବଳତା ଥିବ ଏବଂ ବିଲେଇ କପାଳକୁ ଶିକା ଛିଡିବା ଭଳି ଆପଣଙ୍କୁ ବିରାଟ ଆଖୁ କିଆରୀରେ ଛାଡି ଦିଆଯିବ । ଆପଣ କଣ କରିବେ ? ଆପଣଙ୍କ ଚାରିପାଖରେ କେବଳ ଆପଣଙ୍କ ମନ ପସନ୍ଦର ଆଖୁ ଥିବ । ସରୁଆ ଗଛ, ମୋଟା ଗଛ ଭିତରେ ଆପଣ ପୁଳାଏ ଆଖୁ ଗଛ ଭାଙ୍ଗି ସ୍ୱାଦ ଚାଖିବାରେ ଲାଗିବେ । ଯାହା ଏବେ କରୁଛନ୍ତି ଓ ଆଗକୁ ବି କରିବାକୁ ଯାଉଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ।

ନିରଂଜନ ବାବୁ ପିସିସି ସଭାପତି ହେବା ପାଇଁ ସେ ଓ ତାଙ୍କ ଟିମ କେତେ ପରିଶ୍ରମ କରିଛନ୍ତି ତାହା କେବଳ ସେ ହିଁ ଜାଣନ୍ତି । ବାରମ୍ବାର ଦିଲ୍ଳୀ ଯିବା ଓ ଏଆଇସିସିକୁ ନିଜ ସପକ୍ଷରେ ଆଣିବା ଏଡେ ସହଜ ବି ନଥିଲା । ଏପଟେ ପୁଣି ବିରୋଧୀ ଗୋଷ୍ଠୀଙ୍କ ଗୋଡଟଣା । ସବୁକୁ ସହି ପିସିସି ସଭାପତି ପଦଟା ମିଳିଲା । ହାଲ କୁ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ଏଆଇସିସି ଏକ ପ୍ରକାର ନିଷ୍ପତି ନେଇ ସାରିଲାଣି । ଖାଲି ଯାହା ଘୋଷଣା ହେବ । ଏମିତି କଣ ସବୁ ସଭାପତିଙ୍କୁ ଯୋଗ ଅଛି ନା କଣ ?

ଖାଲି କଣ ସେତିକି ! ନିରଂଜନ ପ୍ରାର୍ଥୀ ହେବାକୁ ଏବେ ତାଙ୍କ ଆଖି ସାମ୍ନାରେ ଏତେ ଆସନ ପଡିଛି ଯେ କେଉଁ ଆସନରୁ ସେ ପ୍ରାର୍ଥୀ ହେବେ ତାହା ନିର୍ଣ୍ଣୟ କରି ପାରୁ ନାହାଁନ୍ତି । ଲାଗୁଛି ହାତୀ ଯେମିତି ସୁନା କଳସକୁ ନିରଂଜନଙ୍କ ମୁଣ୍ଡରେ ବାଡେଇ ଭାଙ୍ଗି ସାରିଛି । ନିକଟରେ ଟିଭିରେ ବାଇଟ ଦେଇ ନିରଂଜନ କହିଲେ ଘସିପୁରାରେ ବଦ୍ରି ପାତ୍ର ପ୍ରାର୍ଥୀ ହେଲେ ସେ ବି ପ୍ରାର୍ଥୀ ହେବେ । ଭିତରେ ଭିତରେ କିନ୍ତୁ ବାବୁ ମନ ସ୍ଥିର କରିଛନ୍ତି ଭଣ୍ଡାରୀପୋଖରୀରୁ ଲଢ଼ିବେ । ପୁଣି ନିରଂଜନଙ୍କ କିଛି ପାଖ ଲୋକ ଜୋର ଦେଇ କହିଲେଣି ବାବୁ ବାଲେଶ୍ୱର ସଦର ଆଡେ ନଜର ପକାଇଲେଣି । ପୁଣି ଆଉ କିଛି କହି ବୁଲୁଛନ୍ତି, ନିରଂଜନ ନିଜ ଶ୍ବଶୂର ଘର ବାଲିକୁଦାରୁ ଛିଡା ହେବେ । ମାହୋଲ ତ ଏମିତି ହେଲାଣି ଯେମିତି ୧୪୭ରୁ ୧୪୭ଟାକ ଆସନରେ ନିରଂଜନ ହିଁ ନିରଂଜନ ନାରା ପଡୁଛି ।

ଏବେ ଆପଣ କୁହନ୍ତୁ ନିରଂଜନ ପଟ୍ଟନାୟକ ଆଖୁ କିଆରୀରେ ଫସି ଯାଇଛନ୍ତି କି ନାହିଁ । ଆସନ ରୂପକ କେଉଁ ଆଖୁକୁ ନିରଂଜନ ଏବେ ଖାଉଛନ୍ତି ଓ କେତେ ମିଠା ପାଉଛନ୍ତି ତାହା ସମୟ ହିଁ କହିବ । ହେଲେ ଆଖୁ ଗଛର ଧାରୁଆ ସରୁ ପତ୍ରରେ ଆଉ ଖଣ୍ଡିଆ ଖାବରା ନ ହୁଅନ୍ତୁ । ନହେଲେ ଜଗତେ କେବଳ ଜନେ ହସିବା ହିଁ ସାର ହେବ ।

Related Posts