ଦଳର କାର୍ଯ୍ୟଶୈଳୀ ନେଇ କ୍ଷୋଭ ପ୍ରକାଶ କଲେ ବରିଷ୍ଠ କଂଗ୍ରେସ ନେତା ସୁଶୀଲ ସିନ୍ଦେ, କହିଲେ – ” ପାର୍ଟି ନିଜର ବିଚାରଧାରା ଓ ସଂସ୍କୃତି ହରାଉଛି “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଂଗ୍ରେସ ଭିତରେ ଦଳୀୟ କନ୍ଦଳ ଦିନକୁ ଦିନ ଉଗ୍ର ରୂପ ନେଉଛି। ଦଳର ନେତା ମାନେ ଖୋଲା ଖୋଲି ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଉଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେଙ୍କ ବୟାନକୁ ନେଇ ଏବେ ରାଜନୀତି ସରଗରମ। ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଦଳରେ ବିତର୍କ ଓ ଆଲୋଚନାର ଯୁଗ ଶେଷ ହୋଇଯାଇଛି ।ସେ କହିଛନ୍ତି ଯେ ଦଳ କ୍ରମାଗତ ଭାବରେ ନିଜର ଆଦର୍ଶ ସଂସ୍କୃତି ହରାଉଛି । ପୁଣେର ଇନ୍ଦପୁରରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ସିନ୍ଦେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବାନୁସାରେ, ବର୍ତ୍ତମାନ ପାର୍ଟି କେଉଁ ସ୍ଥାନରେ ଅଛି ତାହା ବୁଝିବା କଷ୍ଟକର । ସୁଶୀଲ କୁମାର ସିନ୍ଦେ କହିଛନ୍ତି ଯେ ପୂର୍ବରୁ ଏମିତି ଏକ ସମୟ ଥିଲା ଯେତେବେଳେ କଂଗ୍ରେସ ଦଳରେ ମୋ କଥାର କିଛି ମୂଲ୍ୟ ରହିଥିଲା, କିନ୍ତୁ ମୁଁ ଜାଣେ ନାହିଁ ବର୍ତ୍ତମାନ ଏହା ଅଛି କି ନାହିଁ । ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ କଂଗ୍ରେସ ବର୍ତ୍ତମାନ ନିଜ ଆଦର୍ଶ ଓ ସଂସ୍କୃତି ହରାଉଛି।  ଏକ ସମୟ ଥିଲା ଯେତେବେଳେ କଂଗ୍ରେସ ‘ଚିନ୍ତନ ଶିବୀର’ର ଆୟୋଜନ କରୁଥିଲା, ଏହି ଶିବିରରେ ଦଳର ପ୍ରଦର୍ଶନ ଏବଂ ନେତାଙ୍କ ଲୋକପ୍ରିୟତା ଏବଂ ଦଳ ପ୍ରତି ଜନସାଧାରଣଙ୍କର କଣ ଧାରଣା ଥିଲା ସେ ବିଷୟରେ ଚର୍ଚ୍ଚା ଓ ଆଲୋଚନା ହେଉଥିଲା। କିନ୍ତୁ ବର୍ତ୍ତମାନ ଦଳ କେଉଁଠାରେ ଅଛି ତାହା ବୁଝିବା କଷ୍ଟକର । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ନୀତି ଭୁଲ ହୋଇପାରେ, କିନ୍ତୁ ସେସବୁକୁ ସଠିକ୍ କରିବା ପାଇଁ ଏଭଳି ବୈଠକର ଆବଶ୍ୟକତା ରହିଛି । ଏହା ଉପରେ ପ୍ରତିକ୍ରିୟା ରଖି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ସୁଶୀଲ ସିନ୍ଦେ ଜଣେ ବରିଷ୍ଠ କଂଗ୍ରେସ ନେତା । ସେ ଦଳ ପାଇଁ ବହୁତ କିଛି କରିଛନ୍ତି । ତେଣୁ ଯଦି ସୁଶୀଲ କୁମାର ସିନ୍ଦେ କିଛି କହିଛନ୍ତି, ତେବେ ସେ ଏହି ପ୍ରସଙ୍ଗରେ ଆଲୋଚନା କରିବାର ଆବଶ୍ୟକତା ରହିଛି । 

Related Posts