ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି

ପବିତ୍ର ଧନୁ ସଂକ୍ରାନ୍ତିରୁ ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି । ତେବେ ପହିଲି ନୀତି ପ୍ରାରମ୍ଭରୁ ହିଁ ନୀତି ହୋଇଛି ବିଳମ୍ବିତ । ଶ୍ରାମନ୍ଦିର ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 2ଟା ରୁ ଶ୍ରୀମନ୍ଦିରର ଦ୍ୱାର ଫିଟାଯାଇ ବିଭିନ୍ନ ନୀତି ଓ ପୂଜାର୍ଚନା ପରେ ଭୋର ସାଢ଼େ ୫ଟାରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପାଦନ ହେବାକଥା ଥିଲା । କିନ୍ତୁ ନୀତି ବିଳମ୍ବ ଯୋଗୁଁ ପ୍ରଥମ ଦିନରେ ହିଁ ଦିନ ୧୦ଟାରେ ପ୍ରଭୁଙ୍କୁ ଲାଗି ହୋଇଛି ପହିଲି ଭୋଗ ।

ସୋମବାରରୁ ନିର୍ଦ୍ଧାରିତ ସମୟରେ ଅର୍ଥାତ ଭୋରରୁ ହିଁ ନୀତି ସମ୍ପାଦିତ ହେବ ବୋଲି ସେବାୟତ କହିଛନ୍ତି । ଧନୁ ସଂକ୍ରାନ୍ତିରୁ ମକର ସକ୍ରାନ୍ତି, ଏହି ଏକ ମାସ ପାଇଁ ମାଆ ଲକ୍ଷ୍ମୀ ସାଆନ୍ତାଣି ବାପାଙ୍କ ଘରକୁ ଯାଇଥାନ୍ତି । ତେଣୁ ନୀଳଶୈଳଙ୍କୁ ସକାଳୁ ସକାଳୁ ଶ୍ରଦ୍ଧାର ସହ ପହିଲି ଭୋଗ ଖୁଆଇଥାନ୍ତି ମାଆ ଯଶୋଦା ।

ଏହି ଭୋଗରେ ଶ୍ରୀଜିଉଙ୍କୁ ବିରି ଓ ଗହମରେ ପ୍ରସ୍ତୁତ ୩୨ କିସମର ସୁସ୍ବାଦୁ ପିଠା ଲାଗି ହୋଇଥାଏ । ତେଣୁ ପହିଲି ଭୋଗ ପାଇବା ସହ ବଡ଼ ଦେଉଳରେ ଶ୍ରୀଜିଉଙ୍କ ଘୋଡ଼ଲାଗି ବେଶ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ହେବ ।

Related Posts