
ପଶୁ ପକ୍ଷୀଙ୍କୁ ଭଲ ପାଉଥିବା ଅନେକ ଲୋକଙ୍କୁ ଆପଣ ଦେଖିଥିବେ । କିନ୍ତୁ କର୍ଣ୍ଣାଟକ କଲବୁର୍ଗୀର ଜଣେ ଭେଟେନାରୀ ଡାକ୍ତର ଅଛନ୍ତି ଯିଏ ନିଜ ଘରକୁ କରିଦେଇଛନ୍ତି ଏକପ୍ରକାର ପକ୍ଷୀ ମାନଙ୍କ ଘର । ସେ ଅଢ଼େଇ ଡଜନରୁ ବି ଅଧିକ ପ୍ରଜାତିର ଶୁଆଙ୍କୁ ପାଳନ କରୁଛନ୍ତି । ତେବେ ରୋଚକ କଥା ହେଲା ତାଙ୍କର ଶୁଆ ପ୍ରେମ ଏତେ ଯେ ସେ ପୃଥିବୀର 29ଟି ଦେଶରୁ ଶୁଆଙ୍କୁ ନିଜ ଘରେ ରଖି ପାଳୁଛନ୍ତି । ଏଥିପାଇଁ ତାଙ୍କୁ କର୍ଣ୍ଣାଟକର ପ୍ୟାରଟ୍ ମ୍ୟାନ୍ ବି କୁହାଯାଉଛି ।
କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ଭେଟେନାରୀ ଡାକ୍ତର ବିଶ୍ବନାଥ ହେଗାଙ୍କୁ ତାଙ୍କର ପକ୍ଷୀ ପ୍ରେମ ସାରା ବିଶ୍ବରେ ବୁଲିବାକୁ ପ୍ରେରଣା ଯୋଗାଇଛି । ଶୁଆ ମାନଙ୍କ ପ୍ରେମୀ ଡାକ୍ତର ବିଶ୍ବନାଥଙ୍କର ଏହି ପକ୍ଷୀ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା କବିଙ୍କ ଦେଶ ନ୍ୟୁଜିଲାଣ୍ଡରୁ ।
29ଟି ଦେଶରୁ ଶୁଆ ମାନଙ୍କୁ ଆଣି କଲବୁର୍ଗୀରେ ଥିବା ନିଜ ଘରେ ରଖିଛନ୍ତି ଡାକ୍ତର ବିଶ୍ବନାଥ । ଏହି ଶୁଆମାନେ ବି ନିଜ ଡାକ୍ତର ବନ୍ଧୁଙ୍କ ସହ ଖୁବ୍ ଖେଳନ୍ତି । ବିଶ୍ବନାଥ ସେମାନଙ୍କ ଭାଷା ବୁଝନ୍ତି, ସେମାନଙ୍କ ସହ କଥା ବି ହୁଅନ୍ତି ।
ବିଶ୍ବନାଥଙ୍କ ପରିବାର ବି ଏହି ଶୁଆମାନଙ୍କର ଖାସ୍ ଯତ୍ନ କରନ୍ତି । ଶୁଆମାନଙ୍କୁ ଖାଦ୍ୟ ଭାବେ ବ୍ରାଜିଲ୍ରୁ ମଗାଯାଇଥିବା ଇମ୍ପୋଟେଡ୍ ସେରେଲେକ୍ ଦିନରେ ଚାରି ଥର ଦିଆଯାଏ । ସବୁ ଶୁଆଙ୍କର ନାଁ ଦିଆଯାଇଛି । ନିଜ ନାଁ ସହ ପ୍ରତ୍ୟକ ଶୁଆ ବି ବେଶ୍ ପରିଚିତ । ନାଁ ଧରି ଡାକିଲେ ସେମାନେ ସେହି ଅନୁସାରେ ଜବାବ୍ ବି ଦିଅନ୍ତି ।