ଦେଶରେ ୧୬ ଦିନରେ ୧୦ ପ୍ରତିଶତ ମହଙ୍ଗା ହେଲାଣି ପେଟ୍ରୋଲ ଓ ଡିଜେଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ୧୬ ଦିନରେ ୧୦ ପ୍ରତିଶତ ମହଙ୍ଗା ହେଲାଣି ପେଟ୍ରୋଲ ଓ ଡିଜେଲ । ଏହା ମଧ୍ୟରେ ପୁଣି ଲିଟର ପିଛା ୮୦ ପଇସା ବଢ଼ିଛି। ଦେଶରେ ଗତ ୧୬ ଦିନ ହେଲା ଇନ୍ଧନ ମୂଲ୍ୟବୃଦ୍ଧି ହେଉଥିବା ବେଳେ ଏପର୍ୟ୍ୟନ୍ତ ମୋଟ ମୂଲ୍ୟରେ ୧୦ ପ୍ରତିଶତରୁ ବି ଅଧିକ ବୃଦ୍ଧି ହେଲାଣି। ଯାହା ଏବେ ଦେଶରେ ଜନ ଅସନ୍ତୋଷର କାରଣ ପାଲଟିଛି। ଗତ ନଭେମ୍ବର ୪ ତାରିଖ ପରେ ତୈଳ କମ୍ପାନୀମାନେ ମୂଲ୍ୟ ହ୍ରାସ ସହ ପୈଟ୍ରୋଲ ଓ ଡିଜେଲ ମୂଲ୍ ସ୍ଥିର ରଖିଥିଲେ। ତେବେ ଚଳିତମାସ ୨୨ ତାରିଖରୁ ମୂଲ୍ୟବୃଦ୍ଧି ଚକ୍ର ଆରମ୍ଭ କରିଥିବା ବେଳେ ଏବେ ଦୈନିକ ଦର ମହଙ୍ଗା ହେବାରେ ଲାଗିଛି। ଏହି ମୂଲ୍ୟ ବୃଦ୍ଧି ସାରା ଦେଶରେ ହେଉଛି। ତେବେ ଅଲଗା ଅଲଗା ରାଜ୍ୟ ଅନୁସାରେ ସ୍ଥାନୀୟ କର ବାଦେ ମୂଲ୍ୟ ପୃଥକ ରହୁଛି। ଦେଶରେ ତୈଳ କମ୍ପାନୀ ମୂଲ୍ୟ ବୃଦ୍ଧି ଆରମ୍ଭ କରିବା ଦିନରୁ ଏପର୍ୟ୍ୟନ୍ତ ୧୪ ଥର ଦର ବଢିଲାଣି।

ଫଳରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏପର୍ୟ୍ୟନ୍ତ ମୋଟ ୧୦ ଟଙ୍କା ମହଙ୍ଗା ହେଲାଣି। ପାକ୍ଷିକ ହିସାବରେ ଏହି ମୂଲ୍ୟ ବୃଦ୍ଧି ଦଶନ୍ଧୀର ପ୍ରଥମ ଘଟଣା ବୋଲି ତୈଳ କମ୍ପାନୀମାନେ ମଧ୍ୟ ଏବେ ସ୍ୱୀକାର କରୁଛନ୍ତି। ପୂର୍ବରୁ ରାଜସ୍ଥାନର ଶ୍ରୀ ଗଙ୍ଗା ନଗରରେ ପେଟ୍ରୋଲ ଦର ଐତିହାସିକ ସ୍ତରରେ ପହଞ୍ଚିଥିବା ବେଳେ ନୂଆ ମୂଲ୍ୟ ବୃଦ୍ଧି ଚକ୍ରରେ ମହାରାଷ୍ଟ୍ରର ପରଭଣୀରେ ତୈଳ ମୂଲ୍ୟ ଦେଶରେ ସର୍ବାଧିକ ବୋଲି ଜଣାପଡିଛି। ଏଠାରେ ଲିଟର ପିଛା ପେଟ୍ରୋଲ ୧୨୩ ଟଙ୍କା ୪୬ ପଇସା ଦରରେ ବିକ୍ରି ହେଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts