ସିଆଇଡି ଅଫିସରଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଛରେ ଆତଙ୍କବାଦୀର ଗାର୍ଲଫ୍ରେଣ୍ଡ, ଧରିବାକୁ ପୋଲିସ୍‌ର ତନାଘନା

ଦିଲ୍ଲୀ ପୋଲିସ୍‌ ପକ୍ଷରୁ ମଙ୍ଗଳବାର ଗିରଫ ହୋଇଥିବା ହିଜବୁଲ୍‌ ମୁଜାହିଦ୍ଦିନ୍‌ର ଆତଙ୍କବାଦୀ ଅନସାର ଉଲ୍‌ ହକ୍‌ର ଗିରଫଦାରୀ ପରେ ସିଆଇଡିର ଗୁଇନ୍ଦା ଅଧିକାରୀ ଇମତିଆଜ୍‌ ମୀରଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ ହେବାରେ ଲାଗିଛି । ମୀରଙ୍କୁ ହତ୍ୟା କରିବାକୁ ନିଜ ଗାର୍ଲଫ୍ରେଣ୍ଡ ମାଧ୍ୟମରେ ଜାଲ ବିଛାଇଥିଲା ଆତଙ୍କବାଦୀ । ଏବେ ଅନସାରର ଗାର୍ଲଫ୍ରେଣ୍ଡ ସାଦିଆ ଶେଖ୍‌କୁ ଖୋଜୁଛି ପୋଲିସ୍‌..

ସାଦିଆ ଶେଖ୍‌ ହେଉଛି ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଯୁବତୀ । ସେ ହିଁ ସିଆଇଡି ସବ୍‌-ଇନ୍‌ସ୍‌ପେକ୍ଟର୍‌ ଇମ୍‌ତିୟାଜ୍‌ ଅଲୀ ମୀରଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍‌ ହୋଇ ସମସ୍ତ ତଥ୍ୟ ଆତଙ୍କବାଦୀଙ୍କୁ ଦେଇଥିଲା । ମୀର ତାଙ୍କ ବାପା ମା’ଙ୍କୁ ଦେଖା କରିବାକୁ ଘରକୁ ଯିବା ନେଇ ଆତଙ୍କବାଦୀମାନଙ୍କୁ ସୂଚନା ଦେଇଥିଲା ସାଦିଆ ।

ଗତ ମାସରେ ପୁଲ୍‌ଓ୍ଵାମାରେ ଆତଙ୍କବାଦୀମାନେ ସିଆଇଡି ଅଫିସର ମୀରଙ୍କୁ ଗୁଳିମାରି ହତ୍ୟା କରିଥିଲେ । ଏହି ମାମଲାରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ ମଙ୍ଗଳବାର ହିଜବୁଲ୍‌ ଆତଙ୍କବାଦୀ ଅନସାର ଉଲ୍‌ ହକ୍‌କୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିଛି । ପୋଲିସ୍‌ର ସୂଚନା ଅନୁସାରେ ମୀରଙ୍କୁ ଫସାଇବା ପାଇଁ ନିଜ ଗାର୍ଲଫ୍ରେଣ୍ଡ ମାଧ୍ୟମରେ ଜାଲ ବିଛାଇଥିଲା ଆତଙ୍କବାଦୀ । ସାଦିଆ ଶେଖ୍‌ ମୀରଙ୍କ ସହ ବନ୍ଧୁତା କରିଥିଲା ।

ମୀର ଯେଉଁଦିନ ନିଜ ଘରକୁ ଯାଉଥିଲେ, ସେହି ଦିନ ଅଧା ରାସ୍ତାରେ ମୀରଙ୍କ ସହ କାର୍‌ରେ ଯାଇଥିଲେ ସାଦିଆ । ରାସ୍ତାରେ ହିଁ ସେ ମୀରଙ୍କ ଗସ୍ତ ସମ୍ପର୍କରେ ଆତଙ୍କବାଦୀ ଅନସାରକୁ ସୂଚନା ଦେଇଥିଲା । ଏବଂ ଅନସାରର ସୂଚନାକ୍ରମେ ଆତଙ୍କବାଦୀମାନେ ରାସ୍ତାରେ ମୀରଙ୍କୁ ଅପହରଣ କରି ହତ୍ୟା କରିଥିଲେ ।

Related Posts