ଦିଲ୍ଲୀ ପୋଲିସ୍‌ ପକ୍ଷରୁ ମଙ୍ଗଳବାର ଗିରଫ ହୋଇଥିବା ହିଜବୁଲ୍‌ ମୁଜାହିଦ୍ଦିନ୍‌ର ଆତଙ୍କବାଦୀ ଅନସାର ଉଲ୍‌ ହକ୍‌ର ଗିରଫଦାରୀ ପରେ ସିଆଇଡିର ଗୁଇନ୍ଦା ଅଧିକାରୀ ଇମତିଆଜ୍‌ ମୀରଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ ହେବାରେ ଲାଗିଛି । ମୀରଙ୍କୁ ହତ୍ୟା କରିବାକୁ ନିଜ ଗାର୍ଲଫ୍ରେଣ୍ଡ ମାଧ୍ୟମରେ ଜାଲ ବିଛାଇଥିଲା ଆତଙ୍କବାଦୀ । ଏବେ ଅନସାରର ଗାର୍ଲଫ୍ରେଣ୍ଡ ସାଦିଆ ଶେଖ୍‌କୁ ଖୋଜୁଛି ପୋଲିସ୍‌..

ସାଦିଆ ଶେଖ୍‌ ହେଉଛି ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଯୁବତୀ । ସେ ହିଁ ସିଆଇଡି ସବ୍‌-ଇନ୍‌ସ୍‌ପେକ୍ଟର୍‌ ଇମ୍‌ତିୟାଜ୍‌ ଅଲୀ ମୀରଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍‌ ହୋଇ ସମସ୍ତ ତଥ୍ୟ ଆତଙ୍କବାଦୀଙ୍କୁ ଦେଇଥିଲା । ମୀର ତାଙ୍କ ବାପା ମା’ଙ୍କୁ ଦେଖା କରିବାକୁ ଘରକୁ ଯିବା ନେଇ ଆତଙ୍କବାଦୀମାନଙ୍କୁ ସୂଚନା ଦେଇଥିଲା ସାଦିଆ ।

ଗତ ମାସରେ ପୁଲ୍‌ଓ୍ଵାମାରେ ଆତଙ୍କବାଦୀମାନେ ସିଆଇଡି ଅଫିସର ମୀରଙ୍କୁ ଗୁଳିମାରି ହତ୍ୟା କରିଥିଲେ । ଏହି ମାମଲାରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ ମଙ୍ଗଳବାର ହିଜବୁଲ୍‌ ଆତଙ୍କବାଦୀ ଅନସାର ଉଲ୍‌ ହକ୍‌କୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିଛି । ପୋଲିସ୍‌ର ସୂଚନା ଅନୁସାରେ ମୀରଙ୍କୁ ଫସାଇବା ପାଇଁ ନିଜ ଗାର୍ଲଫ୍ରେଣ୍ଡ ମାଧ୍ୟମରେ ଜାଲ ବିଛାଇଥିଲା ଆତଙ୍କବାଦୀ । ସାଦିଆ ଶେଖ୍‌ ମୀରଙ୍କ ସହ ବନ୍ଧୁତା କରିଥିଲା ।

ମୀର ଯେଉଁଦିନ ନିଜ ଘରକୁ ଯାଉଥିଲେ, ସେହି ଦିନ ଅଧା ରାସ୍ତାରେ ମୀରଙ୍କ ସହ କାର୍‌ରେ ଯାଇଥିଲେ ସାଦିଆ । ରାସ୍ତାରେ ହିଁ ସେ ମୀରଙ୍କ ଗସ୍ତ ସମ୍ପର୍କରେ ଆତଙ୍କବାଦୀ ଅନସାରକୁ ସୂଚନା ଦେଇଥିଲା । ଏବଂ ଅନସାରର ସୂଚନାକ୍ରମେ ଆତଙ୍କବାଦୀମାନେ ରାସ୍ତାରେ ମୀରଙ୍କୁ ଅପହରଣ କରି ହତ୍ୟା କରିଥିଲେ ।