ଗୁଜୁରାଟ ଆପ କାର୍ଯ୍ୟାଳୟରେ ପୋଲିସର ରେଡ୍; ‘ଆମ ସଫଳତା ଦେଖି ଡରିଯାଇଛି ବିଜେପି’: କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ସରକାରଙ୍କ ନାମରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ସାମ୍ନାକୁ ଆସିବାରେ ଲାଗିଛି । ଅବକାରୀ ନୀତିକୁ ନେଇ ସିବିଆଇ, ଇଡି ନିଜର ଜେରା ସାରିବା ପରେ ଏବେ ସାମ୍ନାକୁ ଆସିଛି ସିଏନ୍‌ଜି ବସ୍‌ କିଣା ଦୁର୍ନୀତି। ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାମଧ୍ୟରେ ଅରବିନ୍ଦ କେଜ୍ରିୱାଲ ଏବେ ଗୁଜରାଟ ଗସ୍ତରେ ଥିବା ବେଳେ ସେଠାରେ ବି ତାଙ୍କ ପିଛା ଛାଡ଼ି ନାହିଁ ବିବାଦ ।ଅହମ୍ମଦାବାଦସ୍ଥିତ ଆପ୍‌ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଗୁଜରାଟ ପୁଲିସ୍‌। ଆପ୍‌ ନେତା ଇସୁଦାନ ଗାଡବୀ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି।ଇସୁଦାନ ଗାଡବୀ କରିଥିବା ଟ୍ୱିଟ ଅନୁଯାୟୀ, ଆପ୍‌ କାର୍ଯ୍ୟାଳୟରେ ଗୁଜରାଟ ପୁଲିସ୍‌ ୨ ଘଣ୍ଟା ରେଡ କରିଥିବା ବେଳେ କିଛି ପାଇନାହିଁ। ହେଲେ ସେମାନେ ପୁଣି ଆସିବେ ବୋଲି ଇସୁଦାନ ଗାଡବୀ କହିଛନ୍ତି।

ସୂଚନା ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅହମ୍ମଦାବାଦରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ପାର୍ଟି କାର୍ଯ୍ୟାଳୟରେ ଗୁଜରାଟ ପୁଲିସ୍‌ ରେଡ କରିଥିଲା। ଏନେଇ ଟ୍ୱିଟ କରି କେଜ୍ରିୱାଲ କହିଛନ୍ତି, ଗୁଜରାଟ ପୁଲିସ୍‌ ପାର୍ଟି କାର୍ଯ୍ୟାଳୟରେ କିଛି ପାଇ ନାହିଁ। କାରଣ ଆପ ନେତା ଓ କର୍ମୀମାନେ ଅତ୍ୟନ୍ତ ସଚ୍ଚୋଟ ଅଟନ୍ତି। ଅନ୍ୟପଟେ ଆପ୍‌ର ଦାବି ଉପରେ ଗୁଜରାଟ ପୁଲିସ୍‌ର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

କେଜ୍ରିୱାଲ ଏନେଇ ଟୁଇଟ୍ କରି କହିଛନ୍ତି, ଗୁଜରାଟର ଲୋକଙ୍କଠାରୁ ଆପକୁ ମିଳିଥିବା ସମର୍ଥନ ଯୋଗୁଁ ବିଜେପି ଗଭୀର ଭାବେ ଚକିତ ହୋଇ ଯାଇଛି। ଆପ୍‌ ସପକ୍ଷରେ ଗୁଜୁରାଟରେ ଏକ ଝଡ଼ ସୃଷ୍ଟି ହୋଇଛି। ପୂର୍ବରୁ ଦିଲ୍ଲୀରେ ବାରମ୍ବାର ଚଢ଼ାଉ କରି ମଧ୍ୟ କିଛି ମିଳି ନ ଥିଲା । ଏବେ ଗୁଜୁରାଟରେ ମଧ୍ୟ ସେପରି କିଛି ମିଳି ନାହିଁ। ଆମେ ବହୁତ ସଚ୍ଚୋଟ ଏବଂ ଦେଶପ୍ରେମୀ ଲୋକ ବୋଲି କେଜ୍ରିୱାଲ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଦିଲ୍ଲୀ ସରକାରଙ୍କ ନାମରେ ନୂଆ ଅବକାରୀ ନୀତିକୁ ନେଇ ଦୁର୍ନୀତି ଅଭିଯୋଗ ଆସିଥିଲା। ତେବେ ଏହି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସିବିଆଇ ଓ ଇଡି ଜେରା ମଧ୍ୟ କରିଥିଲେ। ଏବେ ପୁଣି ଦିଲ୍ଲୀରେ ସିଏନଜି ବସ୍‌ କିଣା ମାମଲାରେ ଘୋର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ଏହି ଅଭିଯୋଗ ପାରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts