ପ୍ରକାଶଙ୍କ ମୁହଁରେ ବିଜେଡି ଭାଷା, କଂଗ୍ରେସରେ ପଡ଼ିବ ଆଉ ଗୋଟିଏ ୱିକେଟ୍‌ !

ନବ ଦାସଙ୍କ ପରେ କଂଗ୍ରେସର ଆଉ ଜଣେ ଟାଣୁଆ ବିଧାୟକ ହାତକୁ ବାଏ ବାଏ କହିପାରନ୍ତି । ଏ ଚର୍ଚ୍ଚା ଏବେ ଆହୁରି ତେଜିଛି । କାରଣ ପ୍ରକାଶଙ୍କ ମୁହଁରୁ ବାହାରିଛି ବିଜେଡିର ଭାଷା । ସାଲେପୁର କୁଳିଆରେ ଆଜି ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ସମାବେଶ ଥିବାବେଳେ ପ୍ରକାଶ କରିଛନ୍ତି ସମାନ୍ତରାଳ ରାଲି ।

କିନ୍ତୁ ପ୍ରକାଶଙ୍କ ରାଲିରେ ନ ଥିଲା କଂଗ୍ରେସ ପତାକା, ବ୍ୟାନର କି ପୋଷ୍ଟର । ବରଂ ବିକାଶର ସ୍ଲୋଗାନ ଦେଇ ପଦଯାତ୍ରା କରିଛନ୍ତି ପ୍ରକାଶ । ପ୍ରକାଶ କହିଛନ୍ତି ତାଙ୍କ ପାଇଁ ପାର୍ଟି ନୁହେଁ, ମାଟି ବଡ଼ । ଫଳରେ ଅନୁମାନ କରାଯାଉଛି ପ୍ରକାଶଙ୍କ ରୂପରେ ରାଜ୍ୟ କଂଗ୍ରେସକୁ ଲାଗିପାରେ ଆଉ ଏକ ଝଟ୍‌କା । ନବ-ଯୋଗେଶ-ଶ୍ରୀକାନ୍ତ-ସଗରିଆଙ୍କ ପରେ ଦଳକୁ ବାଏ ବାଏ କରିପାରନ୍ତି ପ୍ରକାଶ ।

ସାଲେପୁରରେ ରାଲି କରିବା ବେଳେ ପ୍ରକାଶ ଗଣମାଧ୍ୟମକୁ ଆହୁରି ମଧ୍ୟ କହିଲେ ଯେ, ‘ବିଗତ ସାଢ଼େ ୪ ବର୍ଷରେ ଟାଙ୍ଗୀ-ସାଲେପୁରର ବିକାଶ ସ୍ପଷ୍ଟ ପ୍ରତିଫଳିତ ହୋଇଛି ଓ ପ୍ରମାଣିତ ହୋଇଛି । ଏହି ବିକାଶ ଧାରାରେ ସାମିଲ ହେବାକୁ ସେ ସାଲେପୁରବାସୀଙ୍କୁ ଆହ୍ବାନ ଦେଇଛନ୍ତି ।’

ପ୍ରକାଶଙ୍କ ମନ୍ତବ୍ୟର କଡ଼ା ଜବାବ ରଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । କହିଛନ୍ତି, ପ୍ରକାଶ ଦଳ ଛାଡ଼ିବେ କି ନାହିଁ, ସେ ତାହା ଜାଣନ୍ତିନାହିଁ । ତେବେ ତାଙ୍କ ପାଇଁ କୌଣସି ବ୍ୟକ୍ତି ନୁହଁନ୍ତି ବରଂ ପାର୍ଟି ବଡ଼ ।

ଏବେ ପ୍ରକାଶ ଯେଉଁ ସ୍ବରରେ କଥା କହିଛନ୍ତି ପୂର୍ବରୁ ନବ ଓ ଯୋଗେଶ ବି ସମାନ ଢଙ୍ଗରେ କଥା କହିଥିଲେ । ଏଥିରୁ ଆଭାସ ମିଳୁଛି, ପ୍ରକାଶ କଂଗ୍ରେସଠୁଁ ଦୂରେଇ ଯିବା କିମ୍ବା କଂଗ୍ରେସ ପ୍ରକାଶଙ୍କୁ ଦୂରେଇ ଦେବା, ଆଉ ବେଶୀ ଦୂର ନୁହେଁ ।

Related Posts