ଧର୍ମେନ୍ଦ୍ରଙ୍କୁ ଜଖମ କରିବାକୁ ପ୍ରତାପଙ୍କ ଯକ୍ଷ କାହାଣୀ !

ସତ୍ୟପାଠ ବ୍ୟୁରୋ : ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କ ଯକ୍ଷ କାହାଣୀ । ପୁରାଣରୁ କଥା ତୋଳି ଆଣି ପ୍ରତାପ ଏମିତି ବାଣ ମାରିଛନ୍ତି ଯେ, ଦଳ ଭାଇ ଜଖମ । କେନ୍ଦ୍ରମନ୍ତ୍ରୀ ହେବା ପରେ ଧିରେ ଧିରେ ଖୋଲୁଛି ପ୍ରତାପଙ୍କ ଡେଣା । ଯେଉଁମାନେ ଦଳର ପଦ ଆଉ ପତିଆରା ନେଇକି ତାଙ୍କୁ ସାଇଡ୍ କରୁଥିଲେ, ଏବେ ପ୍ରତାପ ବି ତାଙ୍କୁ ଆଇନା ଦେଖାଇବାକୁ ଆରମ୍ଭ କରିଛନ୍ତି । ଯାହା ଦେଖିବାକୁ ମିଳିଥିଲା ଶନିବାର ବିଜେପିର ସମ୍ବର୍ଦ୍ଧନା ସଭାରେ ।

ସିଧାସଳଖ ନହେଲେ ବି ପ୍ରତାପ ଉଦାହରଣ ଦେଇ କହିଛନ୍ତି ବିଜେପିରେ ସବୁ ସମ୍ଭବ । ଅନେକ ଅଦ୍ଭୁତ ଘଟଣା ଘଟିପାରେ । ଚା ବିକାଳି ପ୍ରଧାନମନ୍ତ୍ରୀ ହୋଇପାରେ ଆଉ କୁଡିଆ ଘରେ ରହୁଥିବା ଲୋକ କେନ୍ଦ୍ରମନ୍ତ୍ରୀ । ଏହାକୁ ବୁଝାଇବାକୁ ଯାଇ କଥାଛଳରେ ଯକ୍ଷ କାହାଣୀ ଶୁଣାଇଥିଲେ ପ୍ରତାପ । କିଭଳି ଅଗ୍ନିଦେବ, ବାୟୁଦେବ ନିଜ ଅହଂକାର ପାଇଁ ଯକ୍ଷଙ୍କ ଆଗରେ ହାର ମାନିକି ଆସିଲେ ତାହା କହିଥିଲେ ।

ତେବେ ରାଜନୈତିକ ମହଲରେ ଏହାକୁ ନେଇ ଏଇଥିପାଇଁ ଚର୍ଚ୍ଚା କାରଣ ପ୍ରତାପଙ୍କ ଉଦାହରଣର ସେହି ଅଗ୍ନିଦେବ ଓ ବାୟୁଦେବ ବି ଜଣେ ଜଣେ ମନ୍ତ୍ରୀ ଥିଲେ ନିଜ ବିଭାଗର । ଅହଂକାର ଦେଖାଉଥିଲେ , ସେଥିପାଇଁ ହାରିଲେ । ହେଲେ ଏହା କହି ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ରଙ୍କୁ ନିଶାନା ଫିଙ୍ଗିଥିବା କୁହାଯାଉଛି । ଧର୍ମେନ୍ଦ୍ର କୁଆଡେ ରାଜ୍ୟ ବିଜେପିକୁ ନିଜ ଅନୁସାରେ ଚଳାଇବାକୁ ଚାହୁଁଥିବା ବେଳେ ପ୍ରତାପ ଷଢ଼ଙ୍ଗୀ ଏହାର ଏକ ବ୍ୟତିକ୍ରମ ବୋଲି ଆଲୋଚନା ହୁଏ । ତେଣୁ ଅଗ୍ନି ଓ ବାୟୁଙ୍କ ଭଳି ମନ୍ତ୍ରୀମାନେ ଅହଂକାର ନଦେଖାଇବା ଦରକାର ବୋଲି ପ୍ରତାପ କହିବାକୁ ଚାହିଁଛନ୍ତି । କାରଣ ଅତି ସରଳ ଭାଷାରେ ପ୍ରତାପ କହିଥିଲେ ସେ ନିଜେ ହୁଅନ୍ତୁ କି ଯିଏ ହୁଅନ୍ତୁ, ମନ୍ତ୍ରୀ ଯିଏ ହୁଏ ତା ପଛରେ କେବଳ ଶୀର୍ଷ ନେତୃତ୍ୱଙ୍କ ହାତ ଥାଏ । କିନ୍ତୁ ନିଜର ବିଜୟ ପଛରେ କର୍ମୀମାନଙ୍କର ପ୍ରଛନ୍ନ ହାତ ଥାଏ । ଅର୍ଥାତ ଜିତିକି ମନ୍ତ୍ରୀ ହେବା ବଡକଥା ବୋଲି ବି କଥାଛଳରେ କହିଛନ୍ତି ସେ ।

ଶେଷରେ ଦଳ ପ୍ରତିଷ୍ଠାତାଙ୍କ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଏ ସମସ୍ତଙ୍କ ନାଁରେ ଜିନ୍ଦାବାଦ ପକାଇଥିଲେ ପ୍ରତାପ । କିନ୍ତୁ ଧର୍ମେନ୍ଦ୍ରଙ୍କ ନାଁ ନେଇ ନଥିଲେ । ଓଡିଶାରେ ବିଜେପିର ଶକ୍ତିବୃଦ୍ଧି ପାଇଁ ଧର୍ମେନ୍ଦ୍ର ଯେତିକି ପରିଶ୍ରମ କରିଛନ୍ତି ତାହା ସମସ୍ତେ ଜାଣନ୍ତି କିନ୍ତୁ କୁହାଯାଏ ଦଳ ଭିତରେ ଥାଇ ବି ସେ କୁଆଡେ ସମାନ୍ତରାଳ ଭାବେ ନିଜର ଗୋଟିଏ ସଂଗଠନ ରଖିଛନ୍ତି । ଯାହାକୁ ପସନ୍ଦ କରନ୍ତିନି ସଂଘରୁ ଆସିଥିବା ଷଢ଼ଙ୍ଗୀ ।

ନେତୃତ୍ୱର ଇଏ ଗୋଟିଏ ଝଲକ ବୋଲି କୁହାଯାଇପାରେ । ମଂଚ ଉପରେ ପ୍ରତାପ ଓ ଧର୍ମେନ୍ଦ୍ରଙ୍କ ଛଡା ଆଉ କେହି ମନ୍ତ୍ରୀ ନଥିଲେ । ତେଣୁ ପ୍ରତାପଙ୍କ ନିଶାନା ଯେ କୁଆଡେ ଥିଲା ତାହା ବୁଝାଇବା ଦରକାର ପଡିବନି ।

Related Posts