
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଇଦ୍ ଅବସରରେ ପଞ୍ଜାବର ମଲେରକୋଟଲା ଅଞ୍ଚଳବାସୀଙ୍କୁ ଭେଟି ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। କଂଗ୍ରେସ ଦଳର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି ଇଦ୍-ଉଲ୍-ଫିତର ଅବସରରେ ମଲେରକୋଟଲାକୁ ରାଜ୍ୟର 23 ତମ ଜିଲ୍ଲା ଭାବରେ ଘୋଷଣା କରିଛନ୍ତି।ମଲେରକୋଟଲାକୁ ଏକ ସ୍ବାଧୀନ ଜିଲ୍ଲାର ମାନ୍ୟତା ଦେବା ପାଇଁ ମୁସଲମାନ ସମ୍ପ୍ରଦାୟ ତଥା ସହରର ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ଥିଲା। ତେବେ ଇଦ୍ ଅବସରରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏହି ଅଞ୍ଚଳରେ ମୁସଲମାନ ଜନସଂଖ୍ୟା ଅଧିକ । 2017 ମସିହାରେ ମଲେରକୋଟଲାକୁ ଏକ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିବାକୁ ପ୍ରତିଶୃତି ଦେଇଥିଲେ। ତା’ପରେ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଏବଂ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ ଏବଂ ରଜିଆ ସୁଲତାନା 2017 ରେ ମଲେରକୋଟଲାରେ ଏକ ଇଦ୍ କାର୍ଯ୍ୟକ୍ରମରେ ଏହା ଖୁବ୍ ଶୀଘ୍ର ଏକ ଜିଲ୍ଲା ହେବ ବୋଲି ଘୋଷଣା କରିଥିଲେ। ଏହାପୂର୍ବରୁ, ମଲେରକୋଟଲା ସାଙ୍ଗରୁର ଜିଲ୍ଲାର ଏକ ଅଂଶ ଥିଲା ଏବଂ ସରକାରୀ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏହି ଅଞ୍ଚଳର ବାସିନ୍ଦାଙ୍କୁ ସାଙ୍ଗରୁରକୁ ଆସିବାକୁ ପଡୁଥିଲା । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ମଲେରକୋଟଲା ଜିଲ୍ଲାରେ ଶେର ମହମ୍ମଦ ଖାନଙ୍କ ନାମରେ 500 କୋଟି ଟଙ୍କା ବ୍ୟୟରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଏଥିସହ ସରକାର 500 କୋଟି ଟଙ୍କା ଖର୍ଚ୍ଚ କରି ବାଳିକା କଲେଜ ପ୍ରତିଷ୍ଠା କରିବେ ବୋଲି ଘୋଷଣା କରିଛନ୍ତି। ଜିଲ୍ଲାର ସମସ୍ତ ମହିଳା ପୋଲିସ ଷ୍ଟେସନ ସହିତ ଏକ ନୂତନ ବସ୍ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯିବ।