ସରିଲା ପାଣ୍ଡ୍ୟା ଓ ରାହୁଲଙ୍କ ବନବାସ

କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ୍‌ ରାହୁଲଙ୍କୁ ଆଶ୍ବସ୍ତି । କରନ୍‌ ଜୋହରଙ୍କ ଟିଭି ସୋ’ରେ ଯୋଗ ଦେଇ ମହିଳା ବିରୋଧୀ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଯୋଗୁଁ ଦୁଇ କ୍ରିକେଟରଙ୍କ ଉପରେ ଲଗାଯାଇଥିବା ମଧ୍ୟବର୍ତ୍ତୀ ନିଲମ୍ବନକୁ ହଟାଇ ଦିଆଯାଇଛି । ସୁପ୍ରିମକୋର୍ଟ ନିଯୁକ୍ତ ପ୍ରାଶାସନିକ କମିଟି -ସିଓଏ ଦୁଇ କ୍ରିକେଟରଙ୍କ ଉପରୁ ନିଲମ୍ବନ ହଟାଇ ଦେଇଛନ୍ତି ।

ପାଣ୍ଡ୍ୟା ଓ ରାହୁଲ କରନ ଜୋହରଙ୍କ ଟକ୍ ଶୋରେ ଯୋଗ ଦେଇ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏଥିପାଇଁ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଜାନୁଆରୀ 11 ତାରିଖରେ ଦୁଇ ଖେଳାଳିଙ୍କୁ ସସ୍‌ପେଣ୍ଡ କରାଯାଇଥିଲା ।

ଏହାଛଡ଼ା ଦୁଇ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ଫେରାଇ ଦିଆଯାଇଥିଲା । ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ଏହି ମାମଲା । ଆମିକସ୍ କ୍ୟୁରିଙ୍କ ପରାମର୍ଶ କ୍ରମେ ଦୁଇ କ୍ରିକେଟରଙ୍କ ଉପରୁ ମଧ୍ୟବର୍ତ୍ତୀ ନିଲମ୍ବନ ଆଦେଶ ହଟିଛି । ଦୁଇ ଖେଳାଳି ନିଜର ଭୁଲ ପାଇଁ କ୍ଷମା ମାଗିଥିଲେ । ସୋ’ର ହୋଷ୍ଟ କରନ ଜୋହର ମଧ୍ୟ ଏଥିପାଇଁ ପଶ୍ଚାତାପ କରିଛନ୍ତି ।

Related Posts