ଟୁଲକିଟ୍ ମାମଲାରେ ରାହୁଲଙ୍କ ବୟାନ, ‘ସତ୍ୟ ସର୍ବଦା ନିର୍ଭୟ’

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀ ସ୍ଥିତ ଟ୍ୱିଟର ଇଣ୍ଡିଆର ଅଫିସ୍ ରେ ଦିଲ୍ଲୀ ପୋଲିସ ବିଳମ୍ବିତ ରାତିରେ ଏକ ନୋଟିସ୍ ମାରିଥିଲା । ଏହାସହ ପୋଲିସ ଗୁରୁଗ୍ରାମ ସ୍ଥିତ ଅଫିସରେ ମଧ୍ୟ ପହଞ୍ଚି ଥିଲା । ଏହି ଘଟଣାର ଗୋଟିଏ ଦିନ ପରେ ପୂର୍ବତନ ଏଆଇସିସି ଅଧ୍ୟକ୍ଷ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ମାମଲାରେ କେନ୍ଦ୍ରର ବିଜେପି ସରକାରକୁ କଟାକ୍ଷ କରିଛନ୍ତି । ରାହୁଲ ଟୁଲକିଟ୍ ହ୍ୟସଟ୍ୟାଗ୍ ସହ ଟ୍ୱିଟ୍ କରି କହିଛନ୍ତି ଯେ, ‘ସତ୍ୟ ସର୍ବଦା ନିର୍ଭୟ’ ।

ସୂଚନା ଯୋଗ୍ୟ ଯେ, ଗତ ସପ୍ତାହରେ କଂଗ୍ରେସର ଏକ ତଥାକଥିତ ଟୁଲକିଟ୍ ସମ୍ପର୍କରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଏକ ଟ୍ୱିଟ୍ କରିଥିଲେ । ତେବେ ଏହି ଟ୍ୱିଟ ମିଥ୍ୟା ତଥା ପ୍ରକୃତ ତଥ୍ୟ ସହ ଛେଡଛାଡ କରାଯାଇଥିବା ଅଭିଯୋଗରେ ଟ୍ୱିଟର ମାନୁପଲେଟେଡ୍ ମିଡିଆ ଟ୍ୟାଗ୍ ଲଗାଇ ଦେଇଥିଲା। କଂଗ୍ରେସ ପକ୍ଷରୁ ଏକ ଟୁଲକିଟ୍ ତିଆରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବାକୁ ଉଦ୍ୟମ ହୋଇଛି ବୋଲି ଭାଜପା ଅଭିଯୋଗ କରିଥିଲା । କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯିବ ସହ କଂଗ୍ରେସ ପାର୍ଟିକୁ ବଦନାମ କରିବା ଉଦ୍ଦେଶ୍ୟରେ ଭାଜପା ଟୁଲକିଟର ସାହାରା ନେଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏନେଇ କଂଗ୍ରେସ ପକ୍ଷରୁ ଭାଜପାର କିଛି ବରିଷ୍ଠ ନେତାଙ୍କ ନାମରେ ମାମଲା ଦାୟର କରାଯାଇଛି। ସେହିପରି ଆଗାମୀ ଦିନରେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଦିଲ୍ଲୀ ପୋଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି ।

Related Posts