ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜଭରଙ୍କ ଅଦ୍ଭୁତ ପ୍ରତିଶୃତି; ଆମ ସରକାର କ୍ଷମତାକୁ ଆସିଲେ ତିନି ଜଣ ବାଇକରେ ବସିଲେ ଲାଗିବନି ଫାଇନ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳମାନେ ଲୋକଙ୍କୁ ବିଭିନ୍ନ ପ୍ରତିଶୃତ ଦେଇ ଭୋଟ ହାତେଇବା ଲକ୍ଷ୍ୟରେ ରହିଛନ୍ତି । କିଏ କୃଷକମାନଙ୍କ କଥା ଉଠାଉଥିବାବେଳେ ଆଉ କିଏ ଗରିବମାନଙ୍କ କଥା କହୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ସହଯୋଗୀ ସୁହେଲଦେବ ଭାରତୀୟ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି ଓମ ପ୍ରକାଶ ରାଜଭର ଜନସାଧାରଣଙ୍କୁ ଏକ ଅଦ୍ଭୁତ ପ୍ରତିଶୃତି ଦେଇଛନ୍ତି। ତେବେ ଆମ ସରକାର ଯଦି ଗଠନ ହୁଏ ତେବେ ବାଇକରେ ତିନି ଜଣ ବସି ଯାତ୍ରା କରିପାରିବେ । ଏହା ପାଇଁ ଆମେ ଅନୁମତି ଦେବୁ । ଏହା ସହ ଏକ ଟ୍ରେନର କୋଚ୍ ୭୦ ଜଣ ବସିବାର ଅନୁମତି ଅଛି । ଯଦି ଦୁଇଗୁଣ ଲୋକ ବସନ୍ତି, ତାହାଲେ ମଧ୍ୟ ଆମ ସରକାର କୌଣସି ଫାଇନ ନେବେ ନାହିଁ ବୋଲି କହିଛନ୍ତି । ସେପଟେ ଏଥର ୟୁପି ବିଧାନସଭା ନିର୍ବାଚନରେ ଏସପି ଏବଂ ସୁଭାସପା ଗଠବନ୍ଧନ କରିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ୟୁପିରୁ ବହିଷ୍କାର କରିବାକୁ ସୁଭାସପାର ଜାତୀୟ ସଭାପତି ଓମପ୍ରକାଶ ରାଜଭର ଶପଥ ନେଇଛନ୍ତି।

ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ପାଇଁ ଓମ ପ୍ରକାଶ ରାଜଭର ବାରଣାସୀରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ଓମପ୍ରକାଶ ଲୋକଙ୍କ ଆଗରେ ଏକ ବଡ଼ ଘୋଷଣା କରିଥିବାର ଦେଖିବାକୁ ମିଳିଛି । ତେବେ ଟ୍ରେନରେ ୭୦ ଟି ସିଟ ଥାଏ କିନ୍ତୁ ୩୦୦ ଜଣ ଲୋକ ଟ୍ରେନ ବଗିରେ ବସିଥାନ୍ତି । ସେହିପରି ଜିପ ଗୁଡ଼ିକରେ ୯ ଜଣଙ୍କୁ ବସାଇବା ପାଇଁ ଅନୁମତି ଥାଏ କିନ୍ତୁ ଜିପରେ ପ୍ରାୟ ୨୨ ଜଣ ବସିଥାନ୍ତି । କିନ୍ତୁ ଏସବୁରେ ସରକାର ଫାଇନ ପକାଇନଥାନ୍ତି । ହେଲେ ବାଇକରେ ତିନି ଜଣ ବସିଲେ ସରକାର ଫାଇନ ପକାଇଦେଇଥାନ୍ତି । ଏପରି କାହିଁକି ସରକାର କରନ୍ତି ? ଆମ ସରକାର ଗଠନ ହେବା ପରେ ବାଇକରେ ତିନିଜଣ ବସିଲେ କୌଣସି ଫାଇନ ଦେବାକୁ ପଡ଼ିବ ନାହିଁ ବୋଲି ଓମପ୍ରକାଶ ରାଜଭର କହିଛନ୍ତି । ଏହା ସହ ନିର୍ବାଚନରେ ବିଜେପି ଦଳରେ ସର୍ବାଧିକ ମାଫିଆ ଏବଂ ଗୁଣ୍ଡା ରହିଛନ୍ତି ।

ବିଜେପି ପାଖରେ ବ୍ରିଜେଶ ସିଂହ ରହିଲେ ଆମ ପାଖରେ ମୁଖତାର ଅନସାରୀ ଅଛି । ନିର୍ବାଚନରେ ଜିତିବା ପରେ ମୁଖତାର ଅନସାରୀ ପୁନର୍ବାର ବିଧାନସଭାରେ ପହଞ୍ଚିବେ। ରାଜଭାର କହିଛନ୍ତି ଯେ ମୁଖତାରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିନାହାଁନ୍ତି। ତେଣୁ ତାଙ୍କୁ ଅପରାଧୀ କିମ୍ବା ଦୋଷୀ କୁହାଯାଇପାରିବ ନାହିଁ । ତାଙ୍କ ନାମ ଭୋଟର ତାଲିକାରେ ଅଛି । ସେ ଚାହୁଁଥିବା ସ୍ଥାନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଯୋଗୀ ଆଦିତ୍ୟନାଥ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ, ତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ହୋଇଥିଲା। ସରକାର ଗଠନ ପରେ ସେ ନିଜ ବିରୋଧରେ ଥିବା ସମସ୍ତ ମାମଲା ଶେଷ କରିଥିଲେ। ଡେପୁଟି ସିଏମ୍ କେଶବ ପ୍ରସାଦ ମୌର‌୍ୟ୍ୟଙ୍କର ମଧ୍ୟ ଅନେକ ଅପରାଧିକ ମାମଲା ରହିଛି ବୋଲି ଓମପ୍ରକାଶ ରାଜଭର କହିଛନ୍ତି ।

Related Posts