ଟୁଲକିଟ ମାମଲାରେ ଏଫ୍ ଆଇ ଆର ଦର୍ଜ୍ ହେବାରୁ ଥାନା ବାହାରେ ଧାରଣାରେ ବସିଲେ ରମଣ ସିଂ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: ଟୁଲକିଟ୍ ବିବାଦକୁ ନେଇ ଦିନକୁ ଦିନ ରାଜନୀତି ଜୋର ଧରୁଛି। ସୋମବାର ଦିନ ରାୟପୁର ପୋଲିସ ଏହି ମାମଲାରେ ବିଜେପିର ବରିଷ୍ଠ ନେତା ତଥା ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ବୟାନ୍ ରେକର୍ଡ କରିଛି। ଏକ ତଥାକଥିତ ଟୁଲକିଟ୍ ସେୟାର କରିବା ମାମଲାରେ ବିଜେପି ନେତା ରମଣ ସିଂ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ରାୟପୁର ପୋଲିସ ସମନ ଜାରି କରିଥିଲା। ତେବେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ସିଭିଲ୍ ପୋଲିସ ଷ୍ଟେସନ ବାହାରେ ବିଜେପିର ବରିଷ୍ଠ ନେତା ରମଣ ସିଂ ଦଳର ଅନ୍ୟ ନେତାଙ୍କ ସହ ଧାରଣା ଦେଇଥିଲେ। ଗତ ମେ ୧୯ ତାରିଖରେ ଛତିଶଗଡ଼ର ସିଭିଲ୍ ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ପଞ୍ଜୀକୃତ କରାଯାଇଥିଲା। ରମଣ ସିଂଙ୍କୁ ଏ ସମ୍ପର୍କରେ ପୋଲିସ ନୋଟିସ ଜାରି କରି ସୋମବାର ତାଙ୍କର ବୟାନ ରେକର୍ଡ଼ କରିବା ପାଇଁ ଦିନ 12:30 ସମୟରେ ତାଙ୍କ ବାସଭବନରେ ଉପସ୍ଥିତ ରହିବାକୁ କହିଥିଲା । “ସିଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ସିଭିଲ୍ ଲାଇନ୍ସ) ନାସାର ସିଦ୍ଦିକିଙ୍କ ଅଧୀନରେ ଏକ ଟିମ୍ ରମଣ ସିଂଙ୍କ ବୟାନ ରେକର୍ଡ କରିଛନ୍ତି। ଶ୍ରୀ ସିଂ ଗତ ସପ୍ତାହରେ ତାଙ୍କୁ ପଠାଯାଇଥିବା ନୋଟିସ୍ ରେ ଉଲ୍ଲେଖ କରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି। ରମଣ ସିଂ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ସେ ଯାହା ପୋଷ୍ଟ କରିଛନ୍ତି କିମ୍ବା ସେୟାର କରିଛନ୍ତି ସେ ସବଙ ସୋସିଆଲ ମିଡିଆରେ ଏବଂ ପବ୍ଲିକ ଡୋମେନରେ ଅଛି । ଏହା ପରେ ବିଜେପି ନେତା ରମଣ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ଏଫଆଇଆର ହେଉଛି କଂଗ୍ରେସ ଦ୍ୱାରା ଏକ ଷଡଯନ୍ତ୍ର। ସେ କହିଛନ୍ତି ଯେ ଛତିଶଗଡରେ ପୋଲିସ ଏବେ ଆଇନ ଦ୍ୱାରା ନୁହେଁ କଂଗ୍ରେସ ଦ୍ବାରା ପରିଚାଳିତ ହେଉଛି । ସେ ପ୍ରଶ୍ନ କରିଛନ୍ତି ଯେ “ପୋଲିସ ଦ୍ବାରା ମୋତେ ଦିଆଯାଇଥିବା ନୋଟିସ ପାଇବା ପୂର୍ବରୁ କଂଗ୍ରେସ ଟ୍ୱିଟ୍ କରିଛି। ଏହି ଡକ୍ୟୁମେଣ୍ଟ ପୋଲିସ୍ ପାଖରେ ରହିବା ଉଚିତ୍ କିନ୍ତୁ କଂଗ୍ରେସ ପାଖରେ କେମିତି ଥିଲା। ପୋଲିସ୍ କେଉଁଠାରୁ ନିର୍ଦ୍ଦେଶ ନେଉଛି ତାହା ସ୍ପଷ୍ଟ ଭାବେ ଜଣା ପଡୁଛି ।” କଂଗ୍ରେସର ଏନଏସୟୁଆଇ ଛାତ୍ର ସଂଗଠନ ରାୟପୁରରେ ଟୁଲକିଟ୍ ମାମଲାରେ ବିଜେପି ନେତା ରମଣ ସିଂହ , ସମ୍ବିତ୍ ପାତ୍ରଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଯେଉଁଥିରେ ଏଆଇସିସିର ନକଲି ଲେଟର ପ୍ୟାଡ ବ୍ୟବହାର କରି ଜାଲ୍ ଟୁଲକିଟ୍ ବିଜେପି ତିଆରି କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ତେବେ ଏହି ଟୁଲକିଟ୍ ମିଥ୍ୟା ବୋଲି ଦର୍ଶାଇ ଟ୍ବିଟର୍ କମ୍ପାନୀ ଏହା ଉପରେ “ମାନୁପଲେଟେଡ୍ ମିଡିଆ ” ଟ୍ୟାଗ୍ ଲଗାଇ ଦେଇଛି।

Related Posts