ଅଶାନ୍ତ ଜମ୍ମୁ ଓ କଶ୍ମୀର: ଆତଙ୍କବାଦୀଙ୍କ ଗୁଳିଚୋଟରେ ଜଣେ ପ୍ରବାସୀ ବିହାରୀ ଶ୍ରମିକଙ୍କର ମୃତ୍ୟୁ

ଶ୍ରୀନଗର: ଗତ ମଧ୍ୟରାତ୍ରରେ ଜମ୍ମୁ ଓ କଶ୍ମୀରର ବନ୍ଦୀପୋରା ଅନ୍ତର୍ଗତ ସୌଦନାରା ସୁମ୍ବଲ୍‌ ଅଞ୍ଚଳରେ ଆତଙ୍କବାଦୀ ମାନେ ଗୁଳି ବର୍ଷା କରିଛନ୍ତି । ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ଜଣେ ପ୍ରବାସୀ ବିହାରୀ ଶ୍ରମିକଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।

ଗୁଳିଚୋଟ ଲାଗିଥିବା ଉକ୍ତ ଶ୍ରମଜୀବୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।

ଘଟଣା ସଂକ୍ରାନ୍ତରେ ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ କହିଛି, ଗୁରୁବାର-ଶୁକ୍ରବାର ରାତିରେ ବନ୍ଦୀପୋରାର ସୌଦନାରା ସୁମ୍ବଲ୍‌ ଅଞ୍ଚଳରେ ଆତଙ୍କବାଦୀମାନେ ଗୁଳି ଚଳାଇ ବିହାର ରାଜ୍ୟର ବେସ୍‌ରା ଅନ୍ତର୍ଗତ ମାଧେପୁରବାସୀ ମହମଦ୍‌ ଆମ୍‌ରେଜ୍‌ଙ୍କୁ ଆହତ କରିଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଲା।

ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀମାନେ ସୁବ୍ୟବସ୍ଥିତ ଭାବେ ପ୍ରବାସୀମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି। ପୂର୍ବରୁ ଜୁନ୍‌ ୨ ତାରିଖରେ କୁଲ୍‌ଗାମ୍‌ରେ ଆତଙ୍କବାଦୀମାନେ ରାଜସ୍ଥାନର ଜଣେ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ସେହି ମାସରେ ବିହାରର ଦିଲ୍‌ଖୁସ୍‌ କୁମାର ନାମରେ ଜଣେ ୧୭ ବର୍ଷିୟ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଥିଲେ।

ସୂଚନାଯୋଗ୍ୟ, ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ରାଜୌରିରେ ଥିବା ଗୋଟାଏ ସେନା ଶିବିରରେ ଆତଙ୍କବାଦୀମାନଙ୍କ ସହ ଗୁଳି ବିନିମୟ କରି ୪ଜଣ ଯବାନ ସହିଦ ଓ ଜଣେ ଆହତ ହୋଇଥିଲେ।

Related Posts