ୟୁପିର ଜନସଂଖ୍ୟା ନିୟନ୍ତ୍ରଣ ଡ୍ରାଫ୍ଟ ବିଲ୍ କୁ କଡା ସମାଲୋଚନା କଲେ ସଲମାନ ଖୁର୍ସିଦ , ପଚାରିଲେ ” ଆପଣଙ୍କର ମନ୍ତ୍ରୀମାନଙ୍କ ପାଖରେ କେତୋଟି ବୈଧ, ଅବୈଧ ପିଲା ଅଛନ୍ତି ?”

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ୟୁପି ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ପ୍ରସ୍ତାବିତ ଡ୍ରାଫ୍ଟ ବିଲ୍ କୁ  ନେଇ ଏବେ ରାଜନୀତି ଜୋର ଧରିଛି। ବିରୋଧୀ ଦଳର ନେତାମାନେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଉପରେ ଜୋରଦାର ବର୍ଷୁଛନ୍ତି। ସମାଜବାଦୀ ପାର୍ଟି ଏହାକୁ “ନିର୍ବାଚନ ପ୍ରଚାର” ବୋଲି କହିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ୟୁପି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ପ୍ରଥମେ ତାଙ୍କ ମନ୍ତ୍ରୀ ମଣ୍ଡଳରେ କେତେ “ବୈଧ ଏବଂ ଅବୈଧ ଶିଶୁଙ୍କ ପିତା ମାତା ଅଛନ୍ତି ?”

 ବିଶ୍ଵ ଜନସଂଖ୍ୟା ଦିବସ ଅବସରରେ ମାତୃ ଓ ଶିଶୁ ମୃତ୍ୟୁକୁ ହ୍ରାସ କରିବା ଏବଂ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଏହି ଡ୍ରାଫ୍ଟ ଉନ୍ମୋଚନ କରାଯାଇଥିଲା।  ଏହା ପରଠାରୁ ବିରୋଧୀ ଦଳ ଗୁଡ଼ିକ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା ସଲମାନ ଖୁରସିଦ ଏହି ଡ୍ରାଫ୍ଟକୁ କଡା ସମାଲୋଚନାକରରି କହିଛନ୍ତି “ଆଇନ ପ୍ରଣୟନ କରିବା ପୂର୍ବରୁ ସରକାର ଏହାର ମନ୍ତ୍ରୀମାନଙ୍କର କେତୋଟି ବୈଧ ଏବଂ ଅବୈଧ ସନ୍ତାନ ଅଛନ୍ତି ତାହା କହିବା ଉଚିତ୍।  ରାଜନେତାମାନେ ଘୋଷଣା କରିବା ଉଚିତ୍ ଯେ ସେମାନଙ୍କର କେତୋଟି ପିଲା ଅଛନ୍ତି । ମୋର କେତୋଟି ସନ୍ତାନ ଅଛନ୍ତି ତାହା ମଧ୍ୟ ମୁଁ ଘୋଷଣା କରିବି ଏବଂ ତା’ପରେ ଆଲୋଚନା ହେବା ଉଚିତ ବୋଲି ସେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ  କହିଛନ୍ତି। ଯେତେବେଳେ ବୈଧ ଏବଂ ଅବୈଧ ପିଲା କଣ  ? ତାକୁ ବର୍ଣ୍ଣନା କରିବାକୁ କୁହାଗଲା, ସେ କହିଥିଲେ ଯେ ଯେଉଁମାନେ ଏହି ଵୟାନକୁ ଭୁଲ ବୋଲି ଭାବନ୍ତି ସେମାନେ ମୋ ସହ କଥା ହେବା ଉଚିତ୍।

ସେହିପରି ସମାଜବାଦୀ ପାର୍ଟିର ସାଂସଦ “ଏହାକୁ (ଡ୍ରାଫ୍ଟ ବିଲ୍) ଏକ ନିର୍ବାଚନୀ ପ୍ରଚାର ବୋଲି କହି ଥିଲେ। ସେମାନେ (ବିଜେପି) ସବୁକିଛି ରାଜନୈତିକ ଦୃଷ୍ଟିକୋଣରୁ ଦେଖନ୍ତି  , ତାଙ୍କର ଲକ୍ଷ୍ୟ ସବୁବେଳେ ନିର୍ବାଚନରେ ​​ଜିତିବା । କିନ୍ତୁ, ଲୋକଙ୍କ ସ୍ୱାର୍ଥ ପାଇଁ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ । ବିଧାନସଭା ନିର୍ବାଚନ ଆସୁଥିବାରୁ ସେମାନେ ଏହାକୁ ନେଇ ଚିନ୍ତିତ ଅଛନ୍ତି।  ଆଲ୍ଲାଙ୍କ ଅନୁଗ୍ରହରେ ଆମେ ସେମାନଙ୍କୁ ଜିତିବାକୁ ଦେବୁ ନାହିଁ ବୋଲି ସମ୍ୱାଲର ସମାଜବାଦୀ ପାର୍ଟି ସାଂସଦ ଶାଫିକୁର ରହମାନ ବାରକ ପିଟିଆଇକୁ କହିଛନ୍ତି ।

 ଏଥିସହ ସେ କହିଛନ୍ତି ଯେ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବାକୁ ଚାହୁଁଥିଲେ ରାଜ୍ୟ ସରକାର ବିବାହ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ। ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରି ବାରକ କହିଛନ୍ତି, “ଯୋଗୀ ଆଦିତ୍ୟନାଥ, ପ୍ରଧାନମନ୍ତ୍ରୀ (ନରେନ୍ଦ୍ର) ମୋଦୀ ଏବଂ (ଆରଏସଏସ ମୁଖ୍ୟ) ମୋହନ ଭଗବତ ଯେତେ ଚିନ୍ତା କରୁଛନ୍ତି, ସେମାନଙ୍କର ସନ୍ତାନ ନାହିଁ… । ଯଦି ଏମିତି ଏକ ପରିସ୍ଥିତି ଉପୁଜେ ଯେ ଆମକୁ ଅନ୍ୟ ଦେଶ ସହ ଯୁଦ୍ଧ କରିବାକୁ ପଡିବ, ତେବେ ପୁରୁଷ କେଉଁଠୁ ଆସିବେ ?  ”

 ସେ କହିଛନ୍ତି ଯେ ଚୀନ୍ ନିଜ ନାଗରିକମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବାକୁ ଉତ୍ସାହିତ କରୁଥିବାବେଳେ ଭାରତ ଏହାର ବିପରୀତ କାର୍ଯ୍ୟ କରୁଛି ଯାହା ଯୁଦ୍ଧ ହେଲେ କ୍ଷତି ପହଞ୍ଚାଇପାରେ।  “ଚାଇନାରେ ଜନ୍ମ ସଂଖ୍ୟା ବୃଦ୍ଧି ଘଟୁଛି ଏବଂ ତୁମେ (ଭାରତ) ଲୋକଙ୍କୁ ସନ୍ତାନ ଜନ୍ମ କରିବାକୁ ଅଟକାଉଛ । ଏମିତି ଏକ ସମୟ ଆସିବ ଯେତେବେଳେ ଆମ ସଂଖ୍ୟା କମ୍ ହୋଇଯିବ । ଯଦି ଯୁଦ୍ଧ ହୁଏ, ତେବେ ଆପଣ କେଉଁଠାରୁ ଲୋକଙ୍କୁ ଯୁଦ୍ଧ କରିବାକୁ ଆଣିବେ ବୋଲି ସେ କହିଛନ୍ତି।

 ରାଜ୍ୟସଭାରେ ବିରୋଧୀ ଦଳର ନେତା ରାମ ଗୋବିନ୍ଦ ଚୌଧୁରୀ ଅଭିଯୋଗ କରିଛନ୍ତି ଯେ ଆଇନ ଶୃଙ୍ଖଳା ହେଉ କିମ୍ବା ଚାକିରୀ ଯୋଗାଇବାରେ ରାଜ୍ୟ ସରକାର ସବୁ ଦିଗରେ ବିଫଳ ହୋଇଛନ୍ତି। ଏହାର ବିଫଳତା ଠାରୁ ଧ୍ୟାନ ହଟାଇବା ପାଇଁ ଏମିତି ଏକ ବିଲ୍ ଆସିଛି।  ସଚେତନତା ମାଧ୍ୟମରେ ଜନସଂଖ୍ୟା ନିୟନ୍ତ୍ରଣ କରାଯାଇପାରିବ। ଲୋକମାନେ ବର୍ତ୍ତମାନ ନିଜେ ସଚେତନ ଏବଂ ଦୁଇଟି ସନ୍ତାନ ବିଷୟରେ ବିଚାର କରୁଛନ୍ତି । ଯଦି କାହାର ଦୁଇଟି ଝିଅ ଅଛି, ତେବେ ସେ ଏକ ପୁଅ ହେବା ଆଶାରେ ତୃତୀୟ ସନ୍ତାନ ପାଇଁ ଚିନ୍ତା କରିବେ ନାହିଁ। ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଥିବା ବେଳେ ନୂଆ ଆଇନର କି ଆବଶ୍ୟକ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

 ଉତ୍ତରପ୍ରଦେଶର ଜନସଂଖ୍ୟା ନିୟନ୍ତ୍ରଣ ଡ୍ରାଫ୍ଟ ବିଲ୍, 2021 ରେ ପ୍ରସ୍ତାବ ଦିଆଯାଇଛି ଯେ ରାଜ୍ୟରେ ଦୁଇ ଶିଶୁ ନୀତି ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରିରେ ସୁଯୋଗ ମିଳିବ ନାହିଁ ଏବଂ ପଦୋନ୍ନତିରୁ ମଧ୍ୟ ବଞ୍ଚିତ ହେବେ।  ଡ୍ରାଫ୍ଟ ବିଲ୍ ସମ୍ପର୍କରେ ଜୁଲାଇ 19 ସୁଦ୍ଧା ଜନସାଧାରଣଙ୍କ ମତାମତ ଲୋଡା ଯାଇଛି। 

Related Posts