
ବିବାଦରେ ସାତକୋଶିଆ ଇକୋ ରିର୍ସଟ ଏକ୍ସକ୍ଲୁସିଭ ରିପୋର୍ଟ
ସତ୍ୟପାଠ ବ୍ୟୁରୋ :୧୭/୦୪; ଓଡିଶାରେ ଇକୋଟୁରିଜିମ୍ ବନାମ ବନ୍ୟଜନ୍ତୁ ସଂରକ୍ଷଣ ବିତର୍କ ପୁଣିଥରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜୋର ଧରିଛି । ଟୁରିଜିମ ବେପାର ଓ ପ୍ରସାର ନାଁରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବା ଏନଟିସିଏର ନିର୍ଦ୍ଦେଶକୁ ରାଜ୍ୟ ସରକାରଙ୍କ ଦୁଇ ଦୁଇଟି ବିଭାଗ କିଭଳି ଖାତିର କରୁ ନାହାଁନ୍ତି ତାକୁ ନେଇ ଉଠିଛି ବିବାଦ । ସମସ୍ୟାର କେନ୍ଦ୍ରସ୍ଥଳି ହେଉଛି ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ମହାନଦୀ ବେଳା ଭୂମି ଉପରେ ତିଆରି ହୋଇଥିବା ବଡମୁଳ ସାତକୋଶିଆ ସାଣ୍ଡ୍ସ ରିର୍ସଟ । ଗତ ୧୬ ତାରିଖ ଶୁକ୍ରବାର ଅପରାହ୍ନ ୫ଟା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସାତକୋଶିଆ ସାଣ୍ଡ୍ସ ରିର୍ସଟର ପ୍ରଚାର ପ୍ରସାର ପାଇଁ ଏକ ଟ୍ୱିଟ ପୋଷ୍ଟ କରାଗଲା । ଏଥିସହ ଫେସବୁକ ଇନଷ୍ଟାଗ୍ରାମ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାତକୋଶିଆର ଏହି ରିର୍ସଟର ଡିଜିଟାଲ ପ୍ରମୋସନ କରାଗଲା । ସାତକୋଶିଆ ଅଭୟାରଣ୍ୟ ଯେଉଁଥିରେ ରାଜ୍ୟର ଦ୍ୱିତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି । ପରିବେଶ ସୁରକ୍ଷା ଦୃଷ୍ଟିରୁ ସେପରି ଏକ ଅତି ସମ୍ବେଦନଶୀଳ ଇଲାକାରେ ଓଡିଶା ଟୁରିଜିମ ପକ୍ଷରୁ ଘରୋଇ ବ୍ୟବସାୟୀଙ୍କ ସହଭାଗୀତାରେ ଯେଉଁ ସାତକୋଶିଆ ସାଣ୍ଡ୍ସ ରିର୍ସଟ ତିଆରି କରାଯାଇଛି ତାହାକୁ ୱାଇଲ୍ଡଲାଇଫ ସୋସାଇଟି ଅଫ ଓଡିଶା ପକ୍ଷରୁ ଘୋର ବିରୋଧ କରାଯାଇଛି ।
କାହିଁକି ବିବାଦ ?
ଗୁରୁତ୍ୱପୁର୍ଣ୍ଣ କଥା ହେଲା ଇକୋଟୁରିଜିମ ନାଁରେ ମହାନଦୀ ବେଳାଭୂମି ଉପରେ ଯେଉଁ ରିର୍ସଟଟି ତିଆରି କରାଯାଇଛି ସେ ସ୍ଥାନଟି ଓଡିଶାର ଘଡିଆଳ ମଧୁର ଜଳ କୁମ୍ଭୀରଙ୍କର ଏକମାତ୍ର ବାସସ୍ଥଳୀ । “ସାତକୋଶିଆ ଗଣ୍ଡର ସେଇ ବାଲି ପଠା ମଗର ଜାତୀୟ କୁମ୍ଭୀରଙ୍କର ରହିବା ଓ ଅଣ୍ଡାଦାନ ସ୍ଥଳୀ ଭାବରେ ଜଣାଶୁଣା । କେବଳ କୁମ୍ଭୀର ନୁହଁ ବହୁ ବିରଳ ପକ୍ଷୀ ଏବଂ ମଧୁରଜଳ କଇଁଚଙ୍କର ମଧ୍ୟ ପ୍ରଜନନ ସ୍ଥାନ । ଏଭଳି ସମ୍ବେଦନଶୀଳ ସ୍ଥାନରେ ଇକୋଟୁରିଜିମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ” ବୋଲି ଗ୍ରିନ ପିସ ଇଣ୍ଡିଆର ଚେୟାରମ୍ୟାନ ଡକ୍ଟର ବିଶ୍ୱଜିତ ମହାନ୍ତି କହିଛନ୍ତି ।
ମୂଳକଥାଟି ହେଲା, ସାତକୋଶିଆ ଟାଇଗର ରିର୍ଜଭ ଅଞ୍ଚଳ ମଧ୍ୟରେ ଇକୋରିଟ୍ରିଟ କ୍ୟାମ୍ପ କରାଯିବାକୁ ବିରୋଧ କରି ୨୦୧୯ ମସିହାରୁ ରାଜ୍ୟ ସରକାରଙ୍କର ଜଙ୍ଗଲ ପରିବେଶ ବିଭାଗ ତଥା ଏନଟିସିଏ ପାଖରେ ଅଭିଯୋଗ କରାଯାଇ ଆସୁଅଛି । ୱାଇଲ୍ଡଲାଇଫ ସୋସାଇଟି ଓଡିଶା ପକ୍ଷରୁ ଦିଆଯାଇଥିବା ପିଟିସନକୁ ବିଚାର କରି ସମ୍ପୃକ୍ତ ଇକୋଟୁରିଜିମ ପ୍ରକଳ୍ପ ଯୋଗୁଁ ସାତକୋଶିଆ ଟାଇଗର ରିର୍ଜଭ ଅଞ୍ଚଳର ପରିବେଶ ଉପରେ କଣ ପ୍ରତିକୂଳ ପ୍ରଭାବ ପଡିବ ତା’ର ତଦନ୍ତ କରି ରିପୋର୍ଟ ଯଥାଶୀଘ୍ର ପଠାଇବାକୁ ଗତ ଫେବୃଆରୀ ୧୦-୨୦୨୧ରେ ନ୍ୟାସନାଲ ଟାଇଗର କଂଜରଭେଶନ ଅଥରିଟିର ଡେପୁଟି ଇନ୍ସପେକ୍ଟର ଜେନେରାଲ ରାଜେନ୍ଦ୍ର ଗରୱାଡ ଓଡିଶାର ଚିଫ୍ ୱାଇଲ୍ଡଲାଇଫ ୱାଡେନ ଏବଂ ସାତକୋଶିଆ ଟାଇଗର ରିର୍ଜଭର ଫିଲ୍ଡ ଡାଇରେକ୍ଟରକୁ ନିର୍ଦ୍ଦେଶ ଦେଲେ ।

ଆଶ୍ଚର୍ଯ୍ୟର କଥା କେନ୍ଦ୍ରସରକାରଙ୍କ ଠାରୁ ନିର୍ଦ୍ଦେଶ ଆସିବାର ଦୁଇମାସ ବିତିଯାଇଥିଲେ ମଧ୍ୟ ରାଜ୍ୟସରକାରଙ୍କ ବନବିଭାଗ ପକ୍ଷରୁ ରିପୋର୍ଟ ଦିଆଗଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ଡକ୍ଟର ମହାନ୍ତି । ଅନ୍ୟପଟେ ଚିଫ ୱାଇଲ୍ଡଲାଇଫଙ୍କ ଆଖି ଆଗରେ ପରିବେଶ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ତଥା ବିବାଦୀୟ ସ୍ଥାନରେ ଚାଲିଥିବା ଶାତକୋଶିଆ ସାଣ୍ଡ ରିର୍ସଟର ପ୍ରମଶନ କରିବାରେ ବ୍ୟସ୍ତ ଓଡିଶା ପର୍ଯ୍ୟଟନ ବିଭାଗ । ଇକୋଟୁରିଜିମ ନାମରେ ବଡମୁଲର ସଂମ୍ପୃକ୍ତ ରିର୍ସଟ ଏକ ଅଭୟାରଣ୍ୟ ଏବଂ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ପରିବେଶ ଓ ବନ୍ୟଜନ୍ତୁଙ୍କ ଜୀବନ ଓ ସଂରକ୍ଷଣ ପ୍ରତି ବିପଦ ସୃଷ୍ଟି କରୁଥିବା ବେଳେ ରାଜ୍ୟ ଚିଫ୍ ୱାଇଲ୍ଡଲାଇଫ ୱାଡେନ ଏନଟିସିଏର ନିର୍ଦ୍ଦେଶକୁ ପାଳନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଟକ୍ଟର ବିଶ୍ୱଜିତ ମହାନ୍ତି ଅଭିଯୋଗ କରିଛନ୍ତି । ୯୮୮ ବର୍ଗକି.ମି ବ୍ୟାପ୍ତ ସାତକୋଶିଆ ଅଞ୍ଚଳକୁ ୧୯୭୬ ମସିହାରେ ଅଭୟାରଣ୍ୟର ମାନ୍ୟତା ମିଳିଲା । ପରବର୍ତ୍ତୀ ସମୟରେ ୨୦୦୭ ମସିହାରେ କେନ୍ଦ୍ରସରକାର ସାତକୋଶିଆକୁ ଓଡିଶାର ଦ୍ୱିତୀୟ ବ୍ୟାଘ୍ର ସଂରକ୍ଷଣ ଭାବରେ ସ୍ୱିକୃତି ଦେଲେ । ଦୁର୍ଭାଗ୍ୟର ବିଷୟ ସାତକୋଶିଆ ଜଙ୍ଗଲରେ ଗୋଟିଏ ହେଲେ ବି ବାଘ ନାହାଁନ୍ତି । ମଧ୍ୟପ୍ରଦେଶରୁ ବାଘ ଭଡାରେ ଅଣାଗଲା ତାକୁ ମଧ୍ୟ ରାଜ୍ୟ ବନ୍ୟବିଭାଗ ସଫଳ ଭାବରେ କାର୍ଯ୍ୟକାରୀ କରି ପାରିଲା ନାହିଁ । ପରିଣାମ ସ୍ୱରୁପ ସୁନ୍ଦରି ମହାବଳ ବାଘକୁ ମଧ୍ୟପ୍ରଦେଶ ଫେରେଇବାକୁ ରାଜ୍ୟସରକାର ବାଧ୍ୟ ହେଲେ । ସେପଟେ ବନ୍ୟଜନ୍ତୁଙ୍କର ଆବାସସ୍ଥଳୀକୁ ସୁରକ୍ଷିତ କରିବାରେ ସରକାରଙ୍କ ବିଫଳତା ଯୋଗୁଁ ସାତକେଶିଆ ଗଣ୍ଡରେ ବିରଳ ଘଡିଆଳ କୁମ୍ଭୀରଙ୍କ ସଂଖ୍ୟା ନିଶ୍ଚିନ୍ନ ପ୍ରାୟ । ଯାହାକିଛି ମଗରଜାତୀୟ କୁମ୍ଭୀର ଅଛନ୍ତି । ଏପରିସ୍ଥଳେ କିଛି ନିର୍ଦ୍ଧିଷ୍ଟ କମ୍ପାନୀର ମୁନାଫା ପାଇଁ ଇକୋଟୁରିଜିମ ନାମରେ ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣକୁ ବିପନ୍ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଡକ୍ଟର ବିଶ୍ୱଜିତ ମହାନ୍ତି ମତ ଦେଇଛନ୍ତି ।
ସବୁବେଳେ ବିବାଦରେ ଇକୋଟୁରିଜିମ
ରାଜ୍ୟସରକାରଙ୍କର ଇକୋଟୁରିଜିମ ପ୍ରକଳ୍ପ ଆରମ୍ଭରୁ ହିଁ ବିବାଦ ଘେରରେ ରହି ଆସିଛି । ଇକୋଟୁରିଜିମ ଦ୍ୱାରା ଜାତୀୟ ଆନ୍ତର୍ଜାତୀୟ ପର୍ଯ୍ୟଟକମାନେ ଓଡିଶାକୁ ଅଧିକ ସଂଖ୍ୟାରେ ଆସିବେ ଓ ଏହା ଦ୍ୱାରା ଦୁର୍ବଳ ସ୍ଥିତିରେ ଥିବା ରାଜ୍ୟର ପର୍ଯ୍ୟାଟନ ଶିଳ୍ପର ବିକାଶ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି । ମାତ୍ର ଯେଉଁ ସ୍ଥାନରେ ଏବଂ ଯେଭଳି ଭାବରେ ଘରୋଇ କମ୍ପାନି ମାନଙ୍କ ସହ ମିଶି ଇକୋଟୁରିଜିମ ରିର୍ସଟ ସ୍ଥାପନା କରିଛନ୍ତି ଏହାକୁ ବିିଭିନ୍ନ ମହଲରେ ମଧ୍ୟ ସମାଲୋଚନା କରାଯାଉଛି । ନିକଟରେ ଆରଟିଆଇ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ସରକାର ଇକୋରିଟ୍ରଟ୍ କ୍ୟାମ୍ପ ଓ ରିର୍ସଟ ପ୍ରତିଷ୍ଠା ପାଇଁ ଘରୋଇ କମ୍ପାନୀମାନଙ୍କୁ ୨୪ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି ଏବଂ ପ୍ରାୟ ସମସ୍ତ କମ୍ପାନୀ ଗୁଡିକ ରାଜ୍ୟ ବାହାରର ଏଥିରୁ ଜଣାପଡୁଛି ରାଜ୍ୟସରକାର କିଛି ନିର୍ଦ୍ଦିଷ୍ଟ ଅଣ-ଓଡିଆ କମ୍ପାନୀକୁ ମୁନାଫା ଯୋଗାଇ ଦେବା ପାଇଁ ଏହି ପ୍ରକଳ୍ପ କରିଛନ୍ତି ବୋଲି ସୂଚନା ଅଧିକାର ଆନ୍ଦୋଳନର ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି ।