ବିଧାୟକ ବୋଲି ଲାଜ ଲାଗୁଛି – କୋଭିଡ଼ ସ୍ଥିତି ପାଇଁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ହେବା ଦରକାର : ଆପ ଏମ୍ଏଲ୍ଏ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ଦିଲ୍ଲୀର କରୋନା ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଶାସକ ଦଳର ବିଧାୟକ ଶୋଏବ ଇକବାଲ । ରାଜଧାନୀ ଦିଲ୍ଲୀରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଦିଲ୍ଲୀର ମାଟିଆ ମହଲରୁ ଆମ୍ ଆଦମୀ ପାର୍ଟି ବିଧାୟକ ଶୋଏବ ଇକବାଲ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, “ଦିଲ୍ଲୀର ପରିସ୍ଥିତି ଦେଖି ମୋ ହୃଦୟ କାନ୍ଦୁଛି। ହସ୍ପିଟାଲରେ ଅମ୍ଳଜାନ କିମ୍ବା ମେଡିସିନ ଉପଲବ୍ଧ ନାହିଁ। ମୋର ପ୍ରିୟଜନ ଯନ୍ତ୍ରଣା ଭୋଗୁଛନ୍ତି। ବର୍ତ୍ତମାନ ତାଙ୍କ ପାଖରେ ଅମ୍ଳଜାନ କିମ୍ବା ଭେଣ୍ଟିଲେଟର ନାହିଁ। ମୁଁ ଜାଣେ ନାହିଁ ତାଙ୍କୁ ରିମେଡେସିଭର୍ ଔଷଧ କେଉଁଠୁ କିଣିବି। ” ଶୋଏବ ଇକବାଲ କହିଛନ୍ତି ଯେ , ବିଧାୟକ ହୋଇଥିବାରୁ ମୁଁ ଲଜ୍ଜିତ, କାରଣ ମୁଁ ଏପରି ଦୁଃଖଦ ପରିସ୍ଥିତିରେ କାହାକୁ ସାହାଯ୍ୟ କରିପାରିବି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସରକାର ଆମକୁ ସମର୍ଥନ କରିବାକୁ ସକ୍ଷମ ନୁହଁନ୍ତି। ମୁଁ ଜଣେ ୬ ଥରର ବିଧାୟକ କିନ୍ତୁ ମୋ କଥା ଶୁଣିବାକୁ କେହି ପ୍ରସ୍ତୁତ ନୁହଁନ୍ତି।” ସେ କହିଛନ୍ତି ଯେ ସେ କୌଣସି ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ। ସୂଚନାଯୋଗ୍ୟ, ଗୁରୁବାର ରାଜଧାନୀ ଦିଲ୍ଲୀରେ ୨୪,୨୩୫ ଜଣ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୩୯୫ ରୋଗୀଙ୍କ ମୃତ୍ୟୁ ଘଟିଛି। ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୨୨ ହଜାର ୨୮୬ କୁ ବୃଦ୍ଧି ପାଇଛି। ଆଉ ଏପର୍ଯ୍ୟନ୍ତ ଏହି ମହାମାରୀ ଯୋଗୁଁ ୧୫ ହଜାର ୭୭୨ ଲୋକ ପ୍ରାଣ ହରାଇଛନ୍ତି। ଏପର୍ଯ୍ୟନ୍ତ ଦିଲ୍ଲୀରେ କୋଭିଡରେ ୧୦ ଲକ୍ଷ ୮ ହଜାର ୫୩୭ ଲୋକ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୯୭୯୭୭ ଲୋକ ଚିକିତ୍ସିତ ହେଉଛନ୍ତି।

Related Posts