ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ସମୟରେ ଗୁଳିମାଡ; ଜଣେ ମୃତ, ୨ ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଲେଶ୍ବର ଜିଲ୍ଲା ବଳରାମଗଡ଼ି ସମୁଦ୍ରକୂଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ମାରୁଥିବା ବେଳେ ଗୁଳିମାଡ଼ରେ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିବା ସହିତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ କମଳାକାନ୍ତ ମାଝୀ ଓ ଗୁରୁତର ଆହତ ପଦ୍ମଲୋଚନ ମଳିକ। ଅନ୍ୟଜଣେ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଆଜି ୭ ଜଣ ମତ୍ସ୍ୟଜୀବୀ ଜୟମା’ ତାରିଣୀ ଡ଼ଙ୍ଗାରେ ସମୁଦ୍ରର ଜୁଡ଼ାକୁଟି ଓ ଗଦାନଈ ମଝିରେ ଜାଲ ବିଛାଇ ମାଛ ମାରୁଥିଲେ। ଏହି ସମୟରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଫଳରେ ଡ଼ଙ୍ଗାରେ ଥିବା କମଳାକାନ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥି ସହିତ ଡ଼ଙ୍ଗାର ମାଲିକ ପଦ୍ମଲୋଚନଙ୍କର ପିଠିରେ ଗଭୀର ଆଘାତ ଲାଗିଥିଲା। ଏଥିରେ ଥିବା ଅନ୍ୟଜଣେ ମତ୍ସ୍ୟଜୀବୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। କମଳାକାନ୍ତ ଓ ପଦ୍ମଲୋଚନଙ୍କୁ ତୁରନ୍ତ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡ଼ାକ୍ତର କମଳାକାନ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବାବେଳେ, ପ୍ରତିରକ୍ଷା ବିଭାଗ ତରଫରୁ ଗୁଳାମାଡ଼ ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ମାତ୍ର ଏହି ଦୁର୍ଘଟଣା ନେଇ କୌଣସି ସବିଶେଷ ସୂଚନା ମିଳିପାରି ନାହିଁ।

Related Posts