ଆଜି ଲୋକାର୍ପଣ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ: ମୁଖ୍ୟ ଅତିଥିଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ପୁରୀ : ଆବୁ ଅପେକ୍ଷାର ଆଜି ଘଟିବ ଅନ୍ତ | ଲୋକାର୍ପଣ ହେବ ପୁରୀ ବାଲିଗୁଆଳି ଠାରେ ନିର୍ମିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ | ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଡିକାଲ କଲେଜର ଲୋକାର୍ପଣ କରିବେ।

ଏଥିସହ ପ୍ରଥମ ବ୍ୟାଚରେ ଆଡମିଶନ କରିଥିବା ଶହେ ଜଣ MBBS ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଖବର ଅନୁଯାୟୀ, ବହୁ ପ୍ରତୀକ୍ଷାର ଅନ୍ତ ଘଟିବ, ଲୋକାର୍ପଣ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟାଲ। ସୋମବାର ଅପରାହ୍ଣ ୫ଟାରେ ମେଡିକାଲ କଲେଜ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ସେଠାରୁ ମେଡିକାଲ କଲେଜକୁ ଯାଇ ଲୋକାର୍ପଣ ଉତ୍ସବରେ ଯୋଗଦେବେ ନବୀନ। ଲୋକାର୍ପଣ କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ, ପ୍ରଥମ ଦିନର ପାଠପଢ଼ା ସହ ବିଭିନ୍ନ ବ୍ୟବସ୍ଥା ବିଷୟରେ ପଚାରି ବୁଝିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପୁରୀ ଏସପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।

ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ପ୍ରଥମ ବ୍ୟାଚ୍ ପାଇଁ ଶହେ ଜଣ ଛାତ୍ରଛାତ୍ରୀ ଆଡ଼ମିଶନ ନେଇଥିବା ବେଳେ ପାଠପଢା ପାଇଁ ସମସ୍ତ କ୍ଲାସ ରୁମ୍ ସେମାନଙ୍କୁ ଅପେକ୍ଷା କରିଥିବା ବିଦ୍ୟାର୍ଥୀ କହିଛନ୍ତି। ମେଡିକାଲ କଲେଜରେ ପଢାଇବା ପାଇଁ ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସର ମଧ୍ୟ ଯୋଗ ଦେଇ ସାରିଛନ୍ତି।

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଗତକାଲି ନାମ ଲେଖା ଶେଷ ହୋଇଥିବା ବେଳେ ପ୍ରଥମ ବ୍ୟାଚରେ ୭୦ ଜଣ ଛାତ୍ର ଓ ୩୦ ଜଣ ଛାତ୍ରୀ ରହିଛନ୍ତି। ସେହିପରି ମେଡିକାଲ କଲେଜର କ୍ୟାମ୍ପସ ପାଖରେ ମେଡିକାଲର ନିଜସ୍ଵ ଡାକ୍ତରଖାନା ନିର୍ମାଣ ଚାଲିଥିବା ବେଳେ ଖୁବଶିଘ୍ର ଏହି କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ଅନ୍ୟପଟେ ପୁରୀ ମେଡିକାଲ କଲେଜ ଉଦଘାଟନ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର, ଏହାର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବା ଉଚିତ ବୋଲି ଟ୍ୱିଟ୍ କରିବା ପରେ ପ୍ରତିକ୍ରିୟା ର୍ଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ସାଂସ ପିନାକୀ ମିଶ୍ର ଟ୍ୱିଟ୍ କରି କହିଛନ୍ତି, ପୁରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ମୋଟ୍ ୬୩୪ କୋଟି ଖର୍ଚ୍ଚ ହେବ । ଏଥିରେ ୧୭ ଦଶମିକ ୮ ପ୍ରତିଶତ ଅର୍ଥାତ୍ ୧୧୩ କୋଟି କେନ୍ଦ୍ର ସରକାର ଦେଇଛନ୍ତି ।

ବର୍ଷକୁ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହା ରାଜ୍ୟ ସରକାର ବହନ କରିବେ । ରାଜ୍ୟର ହିତ ପାଇଁ ଯେଉଁ ସହାୟତା ଦିଆଯାଇଛି ସେଥିପାଇଁ ଆମେ କୃତଜ୍ଞ । ଧାର୍ଯ୍ୟ ପ୍ରୋଟୋକଲ ଅନୁଯାୟୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମେଡିକାଲ କଲେଜ ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି । ଗତକାଲି ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ଟ୍ୱିଟ୍ କରି କହିଥିଲେ ପୁରୀ ମେଡିକାଲ କଲେଜ ପାଇଁ ଖର୍ଚ୍ଚ ହେଉଥିବା ପ୍ରାୟ ୧୮୯ କୋଟିରୁ ୬୦ ପ୍ରତିଶତ ଅର୍ଥାତ୍ ୧୧୩ କୋଟି ୪୦ ଲକ୍ଷ ଟଙ୍କା କେନ୍ଦ୍ର ସରକାର ଦେଇଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଉଦ୍ଘାଟନ ନେଇ କୌଣସି ସୂଚନା ଦିଆଯାଇନାହିଁ । ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଡକା ହୋଇନାହିଁ ।

Related Posts