ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍କୁଲ ମିଶ୍ରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ରିଟ୍ ଅପିଲ‌୍‌ରେ ୨୦୨୧, ଜୁଲାଇ ୨୦ରେ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶକୁ ବଳବତ୍ତର ରଖିଛନ୍ତି ହାଇକୋର୍ଟ। ଏଥିସହିତ ଆସନ୍ତା ୨୦୨୩, ମାର୍ଚ୍ଚ ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଯଶୱନ୍ତ ସିଂହ ଓ ଜଷ୍ଟିସ ଏମ.ଏସ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ରିଟ୍ ଅପିଲର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମିଶ୍ରଣ ପୂର୍ବରୁ ସ୍କୁଲ ଗୁଡିକର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ମାଗଣା ବହି ଓ ୟୁନିଫର୍ମ ଭଳି ସୁବିଧା ଉପଲବ୍ଧ ହେଉଥିବା ବେଳେ ସାନି ସ୍ଥିତି କ’ଣ ରହିଛି, ସେ ନେଇ ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ଏପ୍ରିଲ ୪ରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ପାଳନ କରାଯାଇ ହାଇକୋର୍ଟରେ ଗତ ଜୁନ୍ ୨୭ରେ ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଥିଲା। ସତ୍ୟପାଠରେ ପ୍ରତିପକ୍ଷ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ମାଗଣା ବହି ଓ ୟୁନିଫର୍ମ ପ୍ରଦାନ ପ୍ରସଙ୍ଗରେ ତଥ୍ୟ ଉଲ୍ଲେଖ କରାଯାଇଥିଲା।

ମାମଲା ଅନୁସାରେ, ରାଜ୍ୟରେ ଶତାଧିକ ସରକାରୀ ସ୍କୁଲ୍‌କୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ୍‌ ସହିତ ମିଶ୍ରଣ କରିବା ସଂପର୍କିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକୁ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୧, ମେ ୪ରେ ରଦ୍ଦ କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ପ୍ରକାଶିତ ୨୦୨୦, ମାର୍ଚ୍ଚ ୧୧ର ମୂଳ ବିଜ୍ଞପ୍ତି ସହିତ ପରବର୍ତ୍ତୀ ସମୟରେ ୨୦୨୦, ଡିସେମ୍ବର ୧୪ରେ ପ୍ରକାଶିତ ବିଜ୍ଞପ୍ତିକୁ ମେ ୪ରେ ରଦ୍ଦ କରାଯାଇଥିଲା। ରାଜ୍ୟ ସରକାରଙ୍କ ସ୍କୁଲ୍‌ ମିଶ୍ରଣ ସଂପର୍କିତ ବିଜ୍ଞପ୍ତି ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ଶିଶୁଙ୍କ ଅଧିକାର ଆଇନ, ୨୦୦୯ ଓ ଓଡ଼ିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦ର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହାକୁ ରଦ୍ଦ କରିବା ସପକ୍ଷରେ ରାୟ ପ୍ରଦାନ କରାଯାଇଥିଲା। ଏଥିସହିତ ମିଶ୍ରଣ ପୂର୍ବର ଅବସ୍ଥାରେ ଆବେଦନକାରୀ ସ୍କୁଲକୁ ପୁନଃସ୍ଥାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୧, ମେ ୪ରେ ପ୍ରଦାନ କରିଥବା ଏହି ରାୟ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରାଯାଇଥିଲା। ୨୦୨୧, ଜୁଲାଇ ୨୦ରେ ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ରିଟ୍ ଅପିଲର ଶୁଣାଣି କରି ଜଣିକିଆ ବିଚାରପତିଙ୍କ ୨୦୨୧, ମେ ୪ର ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଯଦି କୌଣସି ପକ୍ଷ ସ୍କୁଲ ମିଶ୍ରଣ ନିଷ୍ପତ୍ତି ସଂପର୍କିତ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୁଅନ୍ତି ତେବେ ସେ ଗ୍ରିଭାନ୍ସ ରିଡ୍ରେସାଲ ସେଲର ଦ୍ବାରସ୍ଥ ହୋଇପାରିବେ ବୋଲି ହାଇକୋର୍ଟ କହିଥିଲେ। ତେବେ, ସରକାରଙ୍କ ନୀତିଗତ ନିଷ୍ପତ୍ତିରେ ହସ୍ତକ୍ଷେପ କରାଯିବା ଉଚିତ ନୁହେଁ ବୋଲି ମାମଲାର ଶୁଣାଣି ସମୟରେ ଗଣଶିକ୍ଷା ବିଭାଗ ହାଇକୋର୍ଟରେ ଦର୍ଶାଇଥିଲା।