ସଂସଦୀୟ ବୋର୍ଡର ପରିବର୍ତ୍ତନକୁ ନେଇ ଅସନ୍ତୋଷ ଜାହିର କଲେ ସୁବ୍ରମଣ୍ୟମ ସ୍ୱାମୀ, ବିଜେପିକୁ ମନେ ପକାଇଦେଲେ ପୁରୁଣା ପରମ୍ପରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର ବିଜେପି ନିଜର ସଂସଦୀୟ ବୋର୍ଡର ବଡ଼ ପରିବର୍ତ୍ତନ କରିଛି। ସଂସଦୀୟ ବୋର୍ଡରେ ହୋଇଥିବା ଏହି ପରିବର୍ତ୍ତନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ବିଜେପିର ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରି ବିଜେପିର ପୁରୁଣା ପରମ୍ପରାକୁ ମନେ ପକାଇଛନ୍ତି। ସେ କହିଛନ୍ତି, ସେତେବେଳେ ଦଳର ପଦାଧିକାରୀ ଚୟନ ବେଳେ ପାର୍ଟିର ସଂସଦୀୟ ଦଳର ନିର୍ବାଚନ ହେଉଥିଲା। ସ୍ୱାମୀ ଟ୍ୱିଟ କରି ସାଙ୍ଗଠନିକ ନିର୍ବାଚନ ହେଉନଥିବାରୁ ବିଜେପି ନତୃତ୍ୱକୁ ମଧ୍ୟ କଟାକ୍ଷ କରିଛନ୍ତି।

ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟରେ କହିଛନ୍ତି, ” ବିଜେପିର ପ୍ରାରମ୍ଭ ଦିନରୁ ପଦାଧିକାରୀ ଚୟନ ପାଇଁ ସଂସଦୀୟ ଦଳର ନିର୍ବାଚନ ହେଉଥିଲା। ସେ ସମୟରେ ଦଳରେ ସାମ୍ୱିଧାନିକ ଅନୁସାରେ ଏହା ବାଧ୍ୟତାମୂଳକ ଥିଲା। ହେଲେ ଆଜି ବିଜେପିରେ କେଉଁଠି ବି କୌଣସି ନିର୍ବାଚନ ହେଉନାହିଁ। ପ୍ରତ୍ୟେକ ପଦ ପାଇଁ ନାମାଙ୍କାନ ଆଧାରରେ ସଦସ୍ୟ ଚୟନ କରାଯାଉଛି ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରୁ ଅନୁମତି ନେବାକୁ ପଡ଼ୁଛି।”

ଅନ୍ୟପଟେ ଏହାକୁ ନେଇ ବିଜେପି କହିଛି, ଦଳ ଭିତରେ ସବୁବେଳେ ଏହି ପରମ୍ପରା ରହିଛି। ଏହାର ଅଧ୍ୟକ୍ଷ ଦଳର ସଦସ୍ୟଙ୍କୁ ବିଭିନ୍ନ ପଦରେ ମନୋନିତ କରିଥାନ୍ତି। ଦଳ କହିଛି ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କିମ୍ୱା ରାଜ୍ୟର ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଦଳର ଅଧକ୍ଷ ହିଁ ସ୍ପଷ୍ଟ କରିଥାନ୍ତି।

ସୂଚନାଯୋଗ୍ୟ, ବୁଧବାର ଭାରତୀୟ ଜନତା ପାର୍ଟି ତାର ନୂଆ ସଂସଦୀୟ ବୋର୍ଡ ଘୋଷଣା କରିଛି। ଏଥିରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ବୋର୍ଡରେ ସ୍ଥାନ ମିଳିନାହିଁ। ଅନ୍ୟପଟେ ବିଏସ୍ ୟେଦିୟୁରପ୍ପା ଏବଂ ସରବାନନ୍ଦ ସୋନୋୱାଲଙ୍କ ପରି ନେତାଙ୍କୁ ସଂସଦୀୟ ବୋର୍ଡରେ ସ୍ଥାନ ମିଳିଛି। ଏମିତିକ କେନ୍ଦ୍ରୀୟ ନିର୍ବାଚନ କମିଟିରୁ ମଧ୍ୟ ଶିବରାଜ ସିଂହ ଚୌହାନ ଏବଂ ନୀତୀନ ଗଡକରୀଙ୍କୁ ବାଦ୍‌ ଦିଆଯାଇଛି ।

Related Posts