ଭେଟିବାକୁ ସମୟ ନଦେଇ ପ୍ରଧାନମନ୍ତ୍ରୀ ମୋଦୀ ନିତୀଶ କୁମାରଙ୍କୁ ଅପମାନିତ କରୁଛନ୍ତି : ତେଜସ୍ବୀ ଯାଦବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାତି ଭିତ୍ତିକ ଜନଗଣନାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ବିରୋଧୀ ଦଳ ଗୁଡ଼ିକ ଏହି ଦାବି କରି ଆସୁଥିବା ବେଳେ ଏନଡିଏ ସହଯୋଗୀ ଜେଡିୟୁ ଏହି ପ୍ରସଙ୍ଗକୁ ଜୋରଦାର ଉଠାଉଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ସମୟ ମାଗିଥିଲେ କିନ୍ତୁ ପିଏମଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନଥିବା ସେ କହିଥିଲେ। ତେବେ ଏହି ପ୍ରସଙ୍ଗରେ ଉଭୟ ବିଜେପି ଏବଂ ଜେଡିୟୁ ଉପରେ ହମଲା କରିଛନ୍ତି  ରାଷ୍ଟ୍ରିୟ ଜନତା ଦଳର ନେତା ତେଜସ୍ୱୀ ଯାଦବ। ତେଜସ୍ବୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାକ୍ଷାତ କରିବାକୁ ସମୟ ନଦେଇ ତାଙ୍କୁ ଅପମାନିତ କରୁଛନ୍ତି।

ଶୁକ୍ରବାର ଦିନ ତେଜସ୍ୱୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିହାରର ବିରୋଧୀ ଦଳର ସମସ୍ତ ପ୍ରତିଷ୍ଠିତ ନେତା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ଜାତି ଜନଗଣନା ପ୍ରସଙ୍ଗରେ ଗୁରୁତ୍ୱାରୋପ କରିଛନ୍ତି । କାରଣ ବିହାର ବିଧାନସଭାରେ ଏହି ପ୍ରସଙ୍ଗରେ ଦୁଇ ଦୁଇ ଥର ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଛି।

 ତେଜସ୍ୱୀ ଯାଦବ କହିଛନ୍ତି ଯେ “ଅଗଷ୍ଟ ୪ ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ସାକ୍ଷାତ କରିବାକୁ ସମୟ ମାଗିଥିଲେ। ତେବେ ନିତୀଶ କୁମାର ଚିଠି ଲେଖିବାର ଏକ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ସମୟ ଦେଇ ନାହାନ୍ତି। ସେ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ବିଟର ହ୍ୟାଣ୍ଡେଲକୁ ଦେଖି ଲାଗୁଛି ଯେ ତାଙ୍କର ସମସ୍ତଙ୍କୁ ଭେଟିବାର ସମୟ ଅଛି କେବଳ ବିହାରର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ନାହିଁ। 

 ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ, ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି, କିନ୍ତୁ ନୀତୀଶ ନୀତୀଶ କୁମାରଙ୍କୁ ଭେଟିବା ପାଇଁ କାହିଁକି ସମୟ ଦେଉନାହାନ୍ତି ଏହା ତାଙ୍କୁ ବୁଝିବାର ଆବଶ୍ୟକତା ରହିଛି। ତେଜସ୍ୱୀ ଯାଦବ କହିଛନ୍ତି ଯେ ସେ ଜାତି ଜନଗଣନା ଦାବି କରି ଜାତି ରାଜନୀତି କରୁନାହାଁନ୍ତି, କିନ୍ତୁ ପଛୁଆବର୍ଗର ସମସ୍ୟାକୁ ବୁଝିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Related Posts