କାବୁଲ ଏୟାରପୋର୍ଟ ନିକଟରୁ ଭାରତୀୟଙ୍କ ସମେତ ୧୫୦ ଜଣଙ୍କୁ ଅପହରଣ କରି ନେଲେ ତାଲିବାନି: ଆଫଗାନ ମିଡିଆ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନରୁ ଭାରତ ପାଇଁ ଚିନ୍ତା ଜନକ ଖବର। ଅଲ-ଇଟେହା ରୁଜ ରିପୋର୍ଟ ଅନୁଯାୟୀ ପ୍ରାୟ ୧୫୦ ଜଣ ଲୋକଙ୍କ ଆଫଗାନିସ୍ତାନ ରାଜଧାନୀ କାବୁଲର ଏୟାରପୋର୍ଟରୁ ଅପହରଣ କରାଯାଇଛି। ଅପହୃତ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ବୋଲି କୁହାଯାଉଛି।  ଅଲ-ଇଟେହା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅପହରଣକାରୀମାନେ ତାଲିବାନ ସଂଗଠନ ସହ ଜଡିତ ଥିଲେ ଏବଂ ସେମାନେ ଆଠଟି ମିନିଭ୍ଯାନରେ ଲୋକଙ୍କୁ ତେରଖିଲ ଆଡକୁ ନେଇ ଯାଇଥିଲେ।

କୁହାଯାଉଛି ଯେ ଅପହରଣକାରୀମାନେ ଦ୍ୱିତୀୟ ଗେଟ୍ ରୁ ବିମାନବନ୍ଦରକୁ ନେଇଯିବାର ପ୍ରତିଶ୍ରୁତି ଦେଇ ଅପହରଣ କରିନେଇଥିବାର ସୂଚନା ମିଳୁଛି। କିନ୍ତୁ ସେମାନେ କେଉଁଠାରେ ଲୋକଙ୍କୁ ନେଇଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅପରପକ୍ଷରେ ତାଲିବାନ ମୁଖପାତ୍ର ଅହମ୍ମଦୁଲ୍ଲା ୱାସିକ 150 ରୁ ଅଧିକ ଲୋକଙ୍କୁ ଅପହରଣ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଏପର୍ଯ୍ୟନ୍ତ ଭାରତ ସରକାର ଅଲ-ଇଟେହାଙ୍କ ଏହି ରିପୋର୍ଟ ଉପରେ କୌଣସି ଆଧିକାରିକ ପ୍ରତିକ୍ରିୟା ଦେଇନାହାଁନ୍ତି।

ସୂଚନା ଥାଉକି ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପୂର୍ବରୁ ମଧ୍ୟ ପରିସ୍ଥିତି ଦେଖି ଭାରତ ସରକାର ସେଠାରୁ ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବାରେ ନିୟୋଜିତ ଅଛନ୍ତି। ତଥାପି ବି ଅନେକ ଭାରତୀୟ ଆଫଗାନିସ୍ତାନରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରୁଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ ଆଫଗାନିସ୍ତାନରେ ଥିବା ଭାରତୀୟ ଦୂତାବାସ ଅନେକ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରି ସାରିଛି। କିନ୍ତୁ ଏବେ ବି ଆଫଗାନିସ୍ତାନରେ ଅନେକ ଭାରତୀୟ ଫସି ରହିଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି। ବିଭିନ୍ନ ସହରର ତାଲିବାନୀ ବନ୍ଧୁକ ଧରି ଆତଙ୍କ ଖେଳାଉଥିବାରୁ ନାଗରିକଙ୍କୁ ଉଦ୍ଧାର କରିବା ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି।

ଅନ୍ୟପଟେ ଆଉ ଏକ ସୂଚନା ପ୍ରାପ୍ତ ହୋଇଛି ଯେ ଆଫଗାନିସ୍ତାନରେ ଥିବା ଭାରତୀୟ ସୁରକ୍ଷିତ। ଆଫଗାନିସ୍ତାନ ମିଡିଆରେ ଏହି ଖବର ପ୍ରକାଶିତ ହୋଇଥିବା ସୂଚନା ରହିଛି।

Related Posts