ବେଙ୍ଗଲ ସରକାର ରାଜ୍ୟର ବିଭାଜନ ହେବାକୁ କଦାପି ଅନୁମତି ଦେବେ ନାହିଁ : ରାଜ୍ୟପାଳ ଜଗଦୀପ ଧନଖଡ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ଶୁକ୍ରବାର ଠାରୁ ବେଙ୍ଗଲ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ଅଭିଭାଷଣ ଦେଇଥିଲେ। ଏହି ସମୟରେ ବିଜେପିର ବିଧାୟକ ମାନେ ସଦନରେ ଜୋରଦାର ହଙ୍ଗାମା କରିଥିଲେ। ହଙ୍ଗାମା ମଧ୍ୟରେ ରାଜ୍ୟପାଳ ଜଗଦୀପ ଧନଖଡ ତାଙ୍କର ଅଭିଭାଷଣରେ କହିଥିଲେ ଯେ ରାଜ୍ୟ ସରକାର କୌଣସି ବି ପରିସ୍ଥିତିରେ ପଶ୍ଚିମବଙ୍ଗର ବିଭାଜନକୁ ଅନୁମତି ଦେବେ ନାହିଁ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଦୁଇ ବିଜେପି ନେତା ରାଜ୍ୟର ବିଭାଜନ ଦାବି କରିଥିଲେ। ଜଣେ ବିଜେପି ନେତା ଦାବି କରିଥିଲେ ଯେ ଉତ୍ତର ବଙ୍ଗାଳକୁ ଅଲଗା କରି ଏକ ୟୁନିଅନ ଟେରିଟୋରୀ କରାଯିବା ଉଚିତ ଏବଂ ଅନ୍ୟ ଜଣେ ନେତା ଦାବି କରିଥିଲେ ଯେ ଜଙ୍ଗଲମାହଲ ଏବଂ ଏହାର ଆଖପାଖ ଅଞ୍ଚଳକୁ ନେଇ ଏକ ପୃଥକ ରାଜ୍ୟ ଗଠନ କରାଯାଉ। ତେବେ ବିଧାନସଭାରେ ଉଦବୋଧନ ଦେବା ଅବସରରେ ଧନଖଡ କହିଥିଲେ ଯେ ବଙ୍ଗଳାବାସୀଙ୍କ ମଧ୍ୟରେ ବିଭାଜନର ମଞ୍ଜି ବୁଣିବାକୁ ଚେଷ୍ଟା କରୁଥିବା ଲୋକଙ୍କ ପ୍ରତି ଟିଏମସି ସଜାଗ ରହିଛି । ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର କୌଣସି ପରିସ୍ଥିତିରେ ରାଜ୍ୟର ବିଭାଜନକୁ ଅନୁମତି ଦେବେ ନାହିଁ।ପରମ୍ପରା ଅନୁଯାୟୀ ରାଜ୍ୟପାଳ ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବାଚସ୍ପତି ବିମନ ବାନାର୍ଜୀଙ୍କ ଉପସ୍ଥିତିରେ ଗୃହରେ ଭାଷଣ ପଢିବା ଆରମ୍ଭ କରିଥିଲେ, ସେହି ସମୟରେ ବିରୋଧୀ ବିଜେପି ବିଧାୟକମାନେ ପୋଡିୟମ ସମ୍ମୁଖକୁ ଆସି ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ। ହଙ୍ଗାମା ଯୋଗୁଁ ରାଜ୍ୟପାଳ ଭାଷଣ ସମ୍ପୂର୍ଣ୍ଣ ନକରି କକ୍ଷତ୍ୟାଗ କରିଥିଲେ। ରାଜ୍ୟପାଳଙ୍କ ଭାଷଣକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଶାସକ ଦଳ ଦ୍ୱାରା ପ୍ରସ୍ତୁତ ଏକ ଅଭିଭାଷଣରେ ଟିଏମସି ସରକାର ସମସ୍ତ ପ୍ରକାର ହିଂସାକୁ ନିନ୍ଦା କରି କହିଛନ୍ତି, “ନିର୍ବାଚନ ପ୍ରକ୍ରିୟା ସମୟରେ ଏବଂ ନିର୍ବାଚନ ପରେ ହୋଇଥିବା ସମସ୍ତ ହିଂସାକାଣ୍ଡ ସମୟରେ ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱ ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଥିଲା। ଏବଂ ନିର୍ବାଚନ ପରେ ରାଜ୍ୟ ସରକାରଙ୍କ ପାଖକୁ କ୍ଷମତା ଆସିବା ପରେ ସରକାର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜନତାଙ୍କ ସମର୍ଥନରେ ନିର୍ବାଚିତ ହୋଇ ଆସିଥିବା ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ ଅର୍ଧ ସତ୍ୟ ଓ ମିଥ୍ୟା ପ୍ରଚାର କରାଯାଉଛି। ଏହି ଅଭିଭାଷଣରେ କୁହାଯାଇଛି ଯେ ବେଙ୍ଗଲ ହେଉଛି ସବୁଠାରୁ ସୁରକ୍ଷିତ ରାଜ୍ୟ ଏବଂ କୋଲକାତା ହେଉଛି ଦେଶର ସବୁଠାରୁ ସୁରକ୍ଷିତ ସହର। ନକଲି ଭିଡିଓ ଏବଂ ସୋସିଆଲ ମିଡିଆ ପୋଷ୍ଟ କରୁଥିବା ଲୋକଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏପର୍ଯ୍ୟନ୍ତ ୯୩ ଟି ମାମଲା ରୁଜୁ ହୋଇଛି ଏବଂ ୪୭୭ ଟି ସୋସିଆଲ ମିଡ଼ିଆ ପୋଷ୍ଟ୍ ହଟାଇ ଦିଆଯାଇଛି। ରାଜ୍ୟପାଳଙ୍କ ଅଭିଭାଷଣରେ କୁହାଯାଇଥିଲା ଯେ ଲମ୍ବା ନିର୍ବାଚନ ପ୍ରକ୍ରିୟା ଯୋଗୁଁ ବଙ୍ଗାଳରେ କୋଭିଡ -19 ମହାମାରୀର ଦ୍ୱିତୀୟ ତରଙ୍ଗ ଦେଖାଦେଇଥିଲା । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସଂକ୍ରମଣର ହାର ୩.୩୨ ପ୍ରତିଶତ ଥିଲା, ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ବେଳକୁ ଏହା ବୃଦ୍ଧି ପାଇ ୩୩ ପ୍ରତିଶତରେ ପହଞ୍ଚିଥିଲା।

Related Posts