ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଠାରେ ଆୟୋଜିତ ରାଜ୍ୟ ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଶେଷ ହୋଇଛି । ଗୁରୁବାର ଶେଷ ଦିନରେ ରାଜ୍ୟ ନେତୃତ୍ୱଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଷ୍ଟ୍ରୀୟ ଉପାଧକ୍ଷ ରାଧାମୋହନ ସିଂହଂ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଓ ଯୋଜନା ବିଷୟରେ ଆଲୋକପାତ କରିଛନ୍ତି । ୨୦୨୪ ନିର୍ବାଚନରେ ଦଳ ଓଡ଼ିଶାରେ ଶାସନକୁ ଆସିବ। ଦୁର୍ଗା ପୂଜାପରେ ନିର୍ବାଚନ ନେଇ ଜୋରଦାର ଲଢ଼େଇ ହେବ। ଗାଁ’ ଗାଁରେ ମୋଦୀଙ୍କ ବିକାଶର ନାରା ବାଜିବ। ଆମ ନାଆରେ ଗୋଡ଼ ଦେଇ ନଦୀ ପାର ହୋଇଥିବା ବିଜେଡିର ପତନ ହେବ। ପୁଣିଥରେ ଓଡ଼ିଶାରେ ପଦ୍ମ ଫୁଟିବ। ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନୀ ଦିବସରେ ‌ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା।୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବୁଥ, ପଞ୍ଚାୟତ ସ୍ତରରୁ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ଗୁରୁବାର ଶେଷ ଦିନରେ ଦଳକୁ ମହାମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ସାଂଗଠନିକ ମହାମନ୍ତ୍ରୀ ବି ଏଲ ସନ୍ତୋଷ । ରାଷ୍ଟ୍ର ଗଠନରେ ବିଜେପିର ଅବଦାନକୁ ନେଇ ରାଜ୍ୟ ନେତୃତ୍ୱଙ୍କୁ ସେ ମାର୍ଗଦର୍ଶନ ଦେଇଛନ୍ତି । ରାଜନୀତିରେ କିପିର ଆଗକୁ ଯାଇ ସରକାର ଗଠନ ହୁଏ ସେ ବିଷୟରେ କହିଛନ୍ତି । ନେତାମାନେ କିପରି ପରିଶ୍ରମ କରିବା ଦରକାର ଏବଂ ଲୋକଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ କିପରି ପହଁଚାଇବା ଦରକାର ସେ ବିଷୟରେ କହିଛନ୍ତି । ଶେଷ ଦିନରେ ୪ ଟି ସେସନରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଥମ ସେସନରେ ରାଜ୍ୟ ସଭାପତି ସମୀର ମହାନ୍ତି ପଲିଟିକାଲ ରୋଡ ମ୍ୟାପ ବିଷୟରେ ଆଲୋଚନା କରିଥିବା ବେଳେ ଦ୍ଵିତୀୟ ସେସନରେ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଇଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତୃତୀୟ ସେସନରେ କୃଷି ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଧାମୋହନ ସିଂହ । ଶେଷ ତଥା ଅନ୍ତିମ ସେସନରେ ରାଷ୍ଟ୍ରୀୟ ଗଠନରେ ଦଳର ଆଭିମୁଖ୍ୟ ଓ ଅବଦାନ ନେଇ ଅବଲୋକନ କରିଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି ଏଲ ସନ୍ତୋଷ । ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ପ୍ରସ୍ତୁତ କରିଛି ରଣନୀତି ।