ପିଏମ୍ ଙ୍କ ବାତ୍ୟା ସମୀକ୍ଷା ବୈଠକରେ ଉପସ୍ଥିତ ନଥିବାରୁ ଅଲପନ ବାନ୍ଦୋପାଧ୍ୟାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା କେନ୍ଦ୍ର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଲପନ ବାନ୍ଦୋପାଧ୍ୟାୟଙ୍କୁ ନେଇ ରାଜନୀତି ଥମିବାର ନାଁ ନେଉନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାତ୍ୟା ୟାସ୍ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅଲାପନ ବାନ୍ଦୋପାଧ୍ୟାୟ ଉପସ୍ଥିତ ନଥିବାରୁ କେନ୍ଦ୍ର ସରକାର ଗତ କାଲି ତାଙ୍କୁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏବଂ ତିନି ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ କ୍ଷୟକ୍ଷତି ରିପୋର୍ଟ ଧରାଇ ଦେଇ ଦିଘା ଗସ୍ତରେ ଚାଲି ଯାଇଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାର ଅଲପନଙ୍କୁ ଦିଲ୍ଲୀ ତଲବ କରିବା ସହ ମେ ୩୧ ତାରିଖ ଦିନ ୧୦ଟା ସୁଦ୍ଧା ହାଜର ହେବାକୁ ଚିଠି ଲେଖି ଥିଲେ। କିନ୍ତୁ ଅଲପନ ଦିଲ୍ଲୀ ଯାଇନଥିଲେ। ଗତକାଲି ମମତା ବାନାର୍ଜୀ ତାଙ୍କ ବଦଳି ଉପରେ ରୋକ ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ତେବେ କେନ୍ଦ୍ର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ଲଢେଇ ମଧ୍ୟରେ ସୋମବାର ଅଲପନ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି। ଅବସର ନେବା ପରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି କରିଛନ୍ତି।

Related Posts