କରୋନା ସଂକ୍ରମଣ ଦୃଷ୍ଟିରୁ ପିପିଲି ଉପନିର୍ବାଚନ ବିଳମ୍ବ କରିବା ପାଇଁ କଂଗ୍ରେସ ର ଦାବି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାମାରୀ କରୋନା ର ଭୟାବହତା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ ଦାବି କରିଛି ପ୍ରଦେଶ କଂଗ୍ରେସ | ରାଜ୍ୟରେ ସଂକ୍ରମଣ ର ପ୍ରକୋପ ଆଶାତୀତ ଭାବେ ଉପର ମୁହାଁ ହେଉଥିବାରୁ ଏବେ ଉପ ନିର୍ବାଚନକୁ ସାମୟିକ ସ୍ଥଗିତ ରଖିବା ପାଇଁ କହିଛି କଂଗ୍ରେସ । କରୋନା ର ସଙ୍କଟଜନକ ସ୍ଥିତିରେ ସମସ୍ତେ ସନ୍ତୁଳି ହେଉଛନ୍ତି | ରାଜ୍ୟରେ ଲୋକଙ୍କ ଜୀବନ ବିପନ୍ନ ଆଡକୁ ଗତିକରୁଛି । ଏ ସମ୍ପର୍କରେ ଭାରତୀୟ ନିର୍ବାଚନ କମିଶନଙ୍କୁ ପତ୍ର ଲେଖିବା ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିବ ରାଜ୍ୟ କଂଗ୍ରେସ ।ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଆଜି ସାମ୍ବାଦିକ ସମ୍ବିଳନୀ କରି କହିଛନ୍ତି ଦଳ ନିର୍ବାଚନ ଲଢ଼ିବାକୁ ସଦାସର୍ବଦା ପ୍ରସ୍ତୁତ ରହିଛି , ହେଲେ କ୍ଷମତା ପାଇଁ ଲୋକଙ୍କ ଜୀବନକୁ ଆମେ ବାଜି ଲଗାଇବାକୁ ଚାହୁଁନାହୁଁ ।ରାଜ୍ୟରେ କରୋନା ଭୟଙ୍କର ଭାବେ ତାଣ୍ଡବ ରଚୁଥିବା ବେଳେ ନିର୍ବାଚନ ଲଢ଼ିବା ଆଦୌ ସମୀଚିନ ନୁହେଁ | ଓଡ଼ିଶାରେ କରୋନା ବିସ୍ଫୋରକ ଓ ଆଶ୍ଚର୍ଯ୍ୟଜନକ ମୁଦ୍ରାରେ ଅଛି ।ଆମପାଇଁ ଭୋଟ ପରିବର୍ତ୍ତେ ଜୀବନ ଆଗ , ଜୀବନ ଥିଲେ ଆଗକୁ ଅନେକ ନିର୍ବାଚନ ଓ ଭୋଟ ଆସିବ । ତେଣୁ ସମସ୍ତ ରାଜନୈତିକ ଦଳ ଭୋଟ୍ ଅପେକ୍ଷା ଲୋକଙ୍କ ଜୀବନକୁ ଅଗ୍ରାଧିକାର ଦିଅନ୍ତୁ । ପିପିଲି ଡେଲାଙ୍ଗରେ ପଶ୍ଚିମବଙ୍ଗ ସ୍ଥିତି ନହେଉ | ସୂଚନାଯୋଗ୍ୟ ଦିବଂଗତ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ସଂକ୍ରମିତ ହେବାରୁ ତାଙ୍କର ଦେହାନ୍ତ ହୋଇଥିଲା । ଏବଂ ଅନ୍ୟ କିଛି ନେତା ବି ଏହି ଶୋଭାଯାତ୍ରାରେ କରୋନାରେ ସଂକ୍ରମିତ ହୋଇଥିଲେ । ମେ ୧୬ ତାରିଖରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ ।

ଅପରପକ୍ଷରେ କଂଗ୍ରେସ ଦାବି ପରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, କଂଗ୍ରେସର ଅଭିଯୋଗକୁ ଅବାସ୍ତବ ଓ ଅମୂଳକ ବୋଲି କହିଛନ୍ତି | ଆମେ କରୋନା ନିୟମ ଅନୁସାରେ ଉପନିର୍ବାଚନ ଚାହୁଁଛୁ । ଏହା ଏକ ରାଜନୈତିକ ବୟାନବାଜି । ଗଣତାନ୍ତିକ ରାଷ୍ଟ୍ରରେ ନିର୍ବାଚନ ଏକ ଗଣତାନ୍ତିକ ପ୍ରକ୍ରିୟା । ବିଜ୍ଞପ୍ତି ପ୍ରକାଶ ପଇସାରିଛି। ନିର୍ବାଚନ ବନ୍ଦ ହେବାର କୌଣସି ସମ୍ଭାବନା ନାହିଁ । ରାଜନୈତିକ ଦଳ ମାନେ ଯଦି ଶହେ ପ୍ରତିଶତ କୋଭିଡ୍-୧୯ ର ନୀତିନିୟମ ମାନି ନିର୍ବାଚନ ଲଢ଼ିବେ, ତେବେ ଏହା ସମସ୍ତଙ୍କ ପାଇଁ ଉଦାହରଣ ହେବ ।ଅନ୍ୟପଟରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କଂଗ୍ରେସ କଥାରେ ତାଳ ମେଳା ନାହିଁ , ଏ ଗୋଟେ କଥା କହୁଛନ୍ତି ତାଙ୍କ ନେତା ସୁରେଶ ରାଉତରାୟ ଭିନ୍ନ କଥା କହୁଛନ୍ତି । ତାଙ୍କ ଦଳ ଭିତରେ ଆଗ ଗୋଟିଏ ନିଷ୍ପତ୍ତି କରନ୍ତୁ କଣ କରିବେ ତାପରେ କହିବେ । ନିର୍ବାଚନ କମିଶନ ଯେଉଁ ନୀତିନିୟମ ନିର୍ଦ୍ଧାରଣ କରିଛନ୍ତି, ସେହି ଅନୁସାରେ ଆମେ ପ୍ରସ୍ତୁତ ଅଛୁ । ମୁଖ୍ୟମନ୍ତ୍ରୀ ଙ୍କ ଆଦେଶକ୍ରମେ ପ୍ରାର୍ଥୀଙ୍କ ସହ ୫ ଜଣ ପ୍ରଚାର ମୈଦାନ ରେ ଅଛନ୍ତି । ବୈଠକ ଓ ଶୋଭାଯାତ୍ରା ରାଜ୍ୟ ସରକାର ବାରଣ କରିଛନ୍ତି ।

Related Posts