ପରୀ ହତ୍ୟା ମାମଲା; ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ ପ୍ରଦାନ କଲେ ହାଇକୋର୍ଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନୟାଗଡ଼ର ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟା ଘଟଣାର ଅଭିଯୁକ୍ତକୁ ହାଇକୋର୍ଟ ୧୦ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ୨୦୨୦, ଡିସେମ୍ବର ୨୧ରେ ଗିରଫ ହୋଇଥିବା ନାବାଳକ ଅଭିଯୁକ୍ତକୁ ୧୦ ଦିନ ପାଇଁ ଜାମିନରେ ଛାଡ଼ିବାକୁ ନୟାଗଡ଼ ଜିଲ୍ଲା ଓ ଦୌରାଜଜ୍ ତଥା ଚିଲଡ୍ରେନ୍ସ କୋର୍ଟଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଅଭିଯୁକ୍ତ ଜାମିନ ପାଇଁ ଆବେଦନ କରିଥିଲା। ଅନ୍ତରୀଣ ଜାମିନରେ ଯିବାପରେ ଅଭିଯୁକ୍ତ ନିଜ ଚିକିତ୍ସା କରାଇବ, ସାକ୍ଷ୍ୟ ପ୍ରମାଣକୁ ପ୍ରାଭାବିତ କରିବା ଭଳି କୌଣସି କାମ କରିବ ନାହିଁ ବୋଲି ସର୍ତ୍ତରେ ତାକୁ ଜାମିନ ପ୍ରଦାନ କରାଯାଇଛି। ଏଥିସହିତ ଅନ୍ୟ ସର୍ତ୍ତ ନିମ୍ନ ଅଦାଲତ ଧାର୍ଯ୍ୟ କରିବେ ବୋଲି ହାଇକୋର୍ଟ କହିଛନ୍ତି। ୧୦ ଦିନର ଅନ୍ତରୀଣ ଜାମିନ ମିଆଦ ପୂରିବା ପରେ ଅଭିଯୁକ୍ତ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି। ଏ ନେଇ ଅଭିଯୁକ୍ତ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପରୀ ହତ୍ୟା ପାଇଁ ଗଠନ କରାଯାଇଥିବା ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ନାବାଳକ ଅଭିଯୁକ୍ତ ବିରୋଧରେ ୩୭୬(ଏ), ୩୭୬(ଏବି), ୩୬୪, ୩୬୩, ୩୦୨, ୨୦୧, ପୋକ୍‌ସୋ ଆଇନର ଧାରା ୬ରେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା। ଏଥିରେ ସାକ୍ଷୀଙ୍କ ତାଲିକା, ତଦନ୍ତ ବେଳେ ଜବତ ସାମଗ୍ରୀ ଓ ଅନ୍ୟ‌ାନ୍ୟ ତଥ୍ୟ ପ୍ରମାଣ ରହିଥିଲା। ୪୦ ଜଣ ସାକ୍ଷୀଙ୍କ ମଧ୍ୟରୁ ୨୭ଜଣ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ନେଇ ଗତ ସେପ୍ଟେମ୍ବର ୨୧ରେ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଅଭିଯୁକ୍ତର ଆବେଦନର ଶୁଣାଣି କରି ହାଇକୋର୍ଟ ନିମ୍ନ ଅଦାଲତରୁ ମାମଲାର ଷ୍ଟାଟସ୍ ରିପୋର୍ଟ ତଲବ କରିଥିଲେ।

Related Posts