ମୁଖ୍ୟମନ୍ତ୍ରୀ ଗେହଲାଟଙ୍କ ସମେତ ରାଜସ୍ଥାନର ସବୁ ନେତାଙ୍କୁ ଡାକି ଦିଲ୍ଲୀରେ ଆଲୋଚନା କରିବାକୁ ପାଇଲଟ୍ ଗୋଷ୍ଠୀଙ୍କ ଜିଦ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଜାବ କଂଗ୍ରେସର ଦଳୀୟ କନ୍ଦଳର ସମାଧାନ ପାଇଁ ହାଇକମାଣ୍ଡ ଡେଡ୍ ଲାଇନ୍ ଘୋଷଣା କରିଛନ୍ତି। ବିବାଦର ଅନ୍ତ ଘଟାଇବା ପାଇଁ ଏଆଇସିସି ପକ୍ଷରୁ ବରିଷ୍ଠ ନେତା ମଲିକାର୍ଜୁନ୍ ଖଡେଗଙ୍କ ନେତୃତ୍ୱରେ ଗଠିତ ରିଜୋଲ୍ୟୁସନ୍ କମିଟି ଜୁଲାଇ ୧୦ ସୁଦ୍ଧା କୌଣସି ସମାଧାନର ରାସ୍ତା ବାହାର କରିବା ନେଇ ଘୋଷଣା କରିଛନ୍ତି। ଏପଟେ ପଞ୍ଜାବ ନିଷ୍ପତ୍ତି ଉପରେ ରାଜସ୍ଥାନ କଂଗ୍ରେସ ନେତାଙ୍କ ନଜର ରହିଛି। ନିଜର ସମର୍ଥକଙ୍କ ବଳରେ ଶକ୍ତି ପ୍ରଦର୍ଶନ କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ସଚିନ ପାଇଲଟ୍ ମଧ୍ୟ ପଞ୍ଜାବକୁ ନେଇ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ନଜର ରଖିଛନ୍ତି। ସଚିନ୍ ପାଇଲଟ୍ ଗୋଷ୍ଠୀର ନେତାମାନେ ଚାହୁଁଛନ୍ତି ଯେ ପଞ୍ଜାବ ଭଳି ରାଜସ୍ଥାନର ସିଏମ୍ ସମେତ ସମସ୍ତ ନେତାଙ୍କୁ ଦିଲ୍ଲୀ ଡକାଯାଇ ହାଇକମାଣ୍ଡ ଆଲୋଚନା କରନ୍ତୁ । କାରଣ ଗତ ବର୍ଷ ସଚିନ ପାଇଲଟ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କ ଅଭିଯୋଗ ଶୁଣିବା ପାଇଁ ଗଠିତ ହୋଇଥିବା କମିଟି ଏପର୍ଯ୍ୟନ୍ତ କାମ ଆରମ୍ଭ କରିନାହିଁ। ଅହମ୍ମଦ ପଟେଲଙ୍କ ମୃତ୍ୟୁ ପରେ କମିଟି କାମ କରିବା ବନ୍ଦ କରିଦେଇଛି। ଏପଟେ ପଞ୍ଜାବ ଭଳି ରାଜସ୍ଥାନର ନେତାଙ୍କ ଉପରେ ମଧ୍ୟ ହାଇକମାଣ୍ଡଙ୍କ ନଜର ରହିଛି । ଏହି କାରଣରୁ ଗେହଲୋଟ୍ ଗୋଷ୍ଠୀର ନେତା ମାନେ ବୟାନବାଜି କରୁଥିବା ବେଳେ ପାଇଲଟ୍ ସମର୍ଥକ ଶାନ୍ତ ଅଛନ୍ତି । ତିନି ଦିନ ଧରି ଦିଲ୍ଲୀରେ ରହିବା ପରେ ମଧ୍ୟ ଗଣମାଧ୍ୟମରେ ଏଭଳି କିଛି ବୟାନ ଦେଇ ନାହାନ୍ତି ଯାହା ସେମାନଙ୍କ ବିରୋଧରେ ଯିବ । ରାଜସ୍ଥାନ ଦାୟିତ୍ୱରେ ଥିବା କଂଗ୍ରେସ ନେତା ଅଜୟ ମାକେନ୍ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପାଇଲଟ ଦଳର ନେତା ଏବଂ ସେ କେନ୍ଦ୍ରୀୟ ନେତୃତ୍ୱ ସହ ସାକ୍ଷାତକାର ପାଇଁ ସମୟ ମାଗି ନାହାନ୍ତି । ତେବେ ସଙ୍କେତ ସ୍ପଷ୍ଟ ଯେ ଯଦି ପାଇଲଟ ଗୋଷ୍ଠୀ ଅନୁଭବ କରନ୍ତି ଯେ କେବଳ ସାକ୍ଷାତକାର ଦ୍ୱାରା ସମାଧାନର ବାଟ ଖୋଲିଯିବ, ତେବେ ସେମାନେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ପଞ୍ଜାବରେ ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ଶୀର୍ଷ ନେତୃତ୍ୱ କେଉଁ ନିଷ୍ପତ୍ତି ନେଵାକୁ ଯାଉଛନ୍ତି ଏହାରି ଉପରେ ସମସ୍ତଙ୍କ ନଜର ରହିଛି।

Related Posts