ୟୁପି ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ବିଏସପି : ମାୟାବତୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଆଗାମୀ ବିଧାନସଭା ନିର୍ବାଚନରେ ଗଠବନ୍ଧନକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନା ମଧ୍ୟରେ ବିଏସପି ସୁପ୍ରିମୋ ମାୟାବତୀ ସ୍ପଷ୍ଟୀକରଣ ଦେଇଛନ୍ତି। ମାୟାବତୀ ରବିବାର ଦିନ ଟ୍ବିଟ୍ କରି କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଦଳ ଏକାକୀ ଲଢିବ । ଗତ କିଛିଦିନ ହେବ ଅସଦୁଦ୍ଦିନ ଓୱାଇସିଙ୍କ ନେତୃତ୍ୱାଧୀନ ଏଆଇଏମ୍ଆଇଏମ୍ ସହ ବିଏସପିର ଗଠବନ୍ଧନ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ତେବେ ଏହି ସବୁ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ମାୟାବତୀ । ସେ ଟ୍ବିଟ୍ କରି କହିଛନ୍ତି, ” ଗତକାଲି ଠାରୁ ଏକ ନ୍ୟୁଜ୍ ଚ୍ୟାନେଲରେ AIMIM ଏବଂ BSP ଆଗାମୀ ୟୁପି ବିଧାନସଭା ନିର୍ବାଚନରେ ଗଠବନ୍ଧନରେ ଲଢିବା ନେଇ ଚର୍ଚ୍ଚା ହେଉଛି । ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା, ବିଭ୍ରାନ୍ତକାରୀ ଏବଂ ସତ୍ୟହୀନ। ଏଥିରେ କୌଣସି ସତ୍ୟତା ନାହିଁ ଏବଂ ବିଏସପି ଏହାକୁ ଅସ୍ୱୀକାର କରୁଛି। ବିଏସପି ପକ୍ଷରୁ ପୁଣି ଥରେ ସ୍ପଷ୍ଟ କରିଦିଆଯାଉଛି ଯେ ପଞ୍ଜାବ ବ୍ୟତୀତ ୟୁପି ଏବଂ ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଏସପି କୌଣସି ଗଠବନ୍ଧନରେ ନିର୍ବାଚନ ଲଢିବ ନାହିଁ। ”

ସୂଚନାଯୋଗ୍ୟ ଯେ 1996 ପଞ୍ଜାବ ଲୋକସଭା ନିର୍ବାଚନରେ ବିଏସପି ଓ ଶିରୋମଣି ଅକାଳୀ ଦଳ ଗଠବନ୍ଧନରେ ନିର୍ବାଚନ ଲଢିଥିଲେ। ପଞ୍ଜାବର 13 ଟି ସିଟ୍ ମଧ୍ୟରୁ 11 ଟିରେ ଜିତିଥିଲେ। ବର୍ତ୍ତମାନ 25 ବର୍ଷ ପରେ ପୁଣି ଦୁଇ ଦଳ ହାତ ମିଳାଇଛନ୍ତି। ଏହା ପୂର୍ବରୁ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ଘୋଷଣା କରିଥିଲେ ଯେ ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିଏସପି ସହ ଗଠବନ୍ଧନ କରାଯିବ ନାହିଁ। ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପାର୍ଟି ୟୁପି ବିଧାନସଭା ନିର୍ବାଚନ ଲଢିବ ବୋଲି କିଛିଦିନ ତଳେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦ୍ ଘୋଷଣା କରିଥିଲେ। ଏପଟେ ବିଜେପିରେ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ନିର୍ବାଚନ ଲଢିବାକୁ ନେଇ ଦଳ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଥିବା ବେଳେ ପାର୍ଟିର ବଡ ବଡ ନେତା ଯୋଗୀଙ୍କୁ ସମର୍ଥନ କରିଛନ୍ତି।

Related Posts