ଆସନ୍ତା 22 ତାରିଖରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା 22 ତାରିଖ ଅର୍ଥାତ ଗୁରୁବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ ସାଢ଼େ 5ଟାରେ ଏହି ବୈଠକ ବସିବ । ମୁଖ୍ୟମନ୍ତ୍ରୀ ଭିସି ଜରିଆରେ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବେ । କ୍ୟାବିନେଟ ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ ।

କ୍ୟାବିନେଟ ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ 10ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବ । ଆଗକୁ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା କ୍ୟାବିନେଟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଣିବେ ସରକାର । ଆସନ୍ତା ବୈଠକରେ ପଞ୍ଚାୟତିରାଜ, ପାନୀୟଜଳ, ମହିଳା ଏବଂ ଶିଶୁ ବିକାଶ, ସ୍ୱାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ, ଆଇନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ଗତ କ୍ୟାବିନେଟ ବୈଠକ ଅଗଷ୍ଟ 12 ତାରିଖରେ ବସିଥିଲା । ରାଜ୍ୟ କ୍ୟାବିନେଟରେ 17 ପ୍ରସ୍ତାବକୁ ମଞ୍ଜୁରୀ ହୋଇଥିଲା । ମିଶନ ଶକ୍ତି, ପାନୀୟ ଜଳ, ଜଳସେଚନ, ଶିଳ୍ପ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ କ୍ୟାବିନେଟ । ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଆହୁରି 6 ବର୍ଷ ଲାଗି ସମ୍ପ୍ରସାରିତ କରାଯାଇଛି । ଏଥିପାଇଁ 2808 କୋଟି ଟଙ୍କା ଖର୍ଚ୍ଚ କରାଯିବ । 19 ଟି ଜିଲ୍ଲାର 142 ବ୍ଲକରେ ଏହା କାର୍ଯ୍ୟକାରୀ କରାଯିବ ।ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀ ଓ କ୍ଷୁଦ୍ର ଏବଂ ନାମକୁ ମାତ୍ର ଚାଷୀ ମିଲେଟ ମିଶନ ଦ୍ୱାରା ଉପକୃତ ହେବ । ଜିଲ୍ଲା ଯୋଜନା କମିଟି ଆଇନ 1998ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି । ରାଜ୍ୟ ରାଜସ୍ବ ସେବା କ୍ୟାଡର ସଂଖ୍ୟା ବୃଦ୍ଧିକୁ କ୍ୟାବିନେଟ ମୋହର ମାରିଛି । 4 ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଂଜୁରୀ ମିଳିଛି । ସେହିପରି କ୍ୟାବିନେଟ୍ ବୈଠକରେ ଏକାଧିକ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ବାଲେଶ୍ୱର, ରେମୁଣାରେ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି । ଓଏମସି ସହ କଳିଙ୍ଗ ଆଇରନ ଓ୍ୱାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି

Related Posts