(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ‘କିଷାନ ସଭା’ କାର୍ଡ ନାଁରେ ଠକେଇର ଶିକାର ହେଲେ ଚାଷୀ। ଚାଷୀଙ୍କୁ କିଷାନ ସଭା କାର୍ଡ ଦେଇ ସେଥିରେ ସମସ୍ତ ପ୍ରକାର ସୁବିଧା ମିଳୁଥିବା କହି ଠକେଇ ହୋଇଥିବା ଅଭିଯୋଗ ଆସିଛି। ଏଭଳି ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳର ଚାଷୀ । 

କିଷାନ ସଭା କାର୍ଡ ଦ୍ବାରା ଚାଷୀଙ୍କୁ ବିଭିନ୍ନ ସୁବିଧା ମିଳିବ କହି କିଛି ଯୁବକ ଗୁଣୁପୁର ଲୁଙ୍ଗୁରୁତାଲ ଗାଁ ଲୋକଙ୍କୁ କାର୍ଡ ବାଣ୍ଟି ଥିଲେ। ଏହି କାର୍ଡ ଦ୍ବାରା ଚାଷୀ ମାନେ ଋଣ, ସବ୍‌ସିଡି ସହ ସରକାରଙ୍କ ସମସ୍ତ ଆନୁଷଙ୍ଗିକ ସୁବିଧା ମିଳିବ ବୋଲି କହି କିଛି ଯୁବକ ଠକି ଥିବାର ଅଭିଯୋଗ ହୋଇଛି। ଏଥିପାଇଁ ଗାଁର ପ୍ରତି ପରିବାର ଲୋକଙ୍କୁ ୨ଟିରୁ ଅଧିକ କାର୍ଡ ଦିଆଯାଇଥିଲା। କେବଳ ଏତିକି ନୁହେଁ ପ୍ରତି କାର୍ଡ ପିଛା ୨ ଶହ ଟଙ୍କା ମଧ୍ୟ ଆଦାୟ କରାଯାଇଥିବାର ଅଭିଯୋଗ ହୋଇଛି। କିନ୍ତୁ ସେହି କାର୍ଡ଼ ଦେଖାଇଲେ କୌଣସି ପ୍ରକାର ସରକାରୀ ସୁବିଧା ମିଳୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ କହିଛନ୍ତି, ‘ଗାଁ ପାଖର ଜଣେ ଦିଦି ଆସି କିଷାନ ସଭା କାର୍ଡ ଆମକୁ ଦେଇଥିଲେ। ଆଉ ଏଥିପାଇଁ କାର୍ଡ଼ ପିଛା ସେ ୨୦୦ ଟଙ୍କା ନେଇଥିଲେ। ଏହି କାର୍ଡ କରିବା ଦ୍ୱାରା ଇନ୍‌ସ୍ୟୁରାନ୍ସ, ସବ୍‌ସିଡି ସହ ଅନ୍ୟାନ୍ୟ ସୁବିଧା ମିଳିବ ବୋଲି କହିଥିଲେ।’

ତେବେ ଏମିତି କାର୍ଡ଼ର ବ୍ଯବସ୍ଥା ହିଁ ନାହିଁ। ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ପାଇଁ ଏମିତି କୌଣସି ଯୋଜନା ନଥିବା ଜଣାପଡିଛି। ତେବେ ଯେଉଁମାନେ ଚାଷୀଙ୍କୁ ଠକିଛନ୍ତି ସେମାନଙ୍କର ଖୋଜଖବର ନାହିଁ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି। 

ତେବେ ଏ ଘଟଣା ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି, ‘ କିଷାନ ସଭା ନାଁରେ ଏମିତି କୌଣସି କାର୍ଡ ଦିଆଯାଉ ନାହିଁ। ବିଭାଗ ପକ୍ଷରୁ ମଧ୍ୟ ଏଭଳି କିଛି ନିର୍ଦ୍ଦେଶ ଆସି ନାହିଁ। ଏନେଇ ଗୁଣୁପୁର ବ୍ଲକ୍‌ରୁ ଅଭିଯୋଗ ଆସିଛି ଯେ, କିଛି ଲୋକ ୨୦୦ ଟଙ୍କା ନେଇ ଏଭଳି କାର୍ଡ ଦେଉଛନ୍ତି। ତେବେ ଟଙ୍କା ଦେଇ ଏଭଳି କିଛି କାର୍ଡ ନକରିବା ପାଇଁ ଆମେ ଲୋକଙ୍କୁ ସତର୍କ କରାଇଛୁ ବୋଲି ସେ କହିଛନ୍ତି ।’