ଟିକା କିଣିବା ଲାଗି ଓଡିଶା ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ସପ୍ତାହେ ଘୁଞ୍ଚିଲା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଟିକା ପାଇଁ ଆଜି ହେବାକୁ ଥିବା ଗ୍ଲୋବାଲ୍ ଟେଣ୍ଡର୍ ପ୍ରକ୍ରିୟାକୁ ଘୁଞ୍ଚାଇଲେ ଓଡିଶା ସରକାର । ଆଜି ସରିବାକୁ ଥିବା ଏହି ପ୍ରକ୍ରିୟାକୁ ଗୋଟିଏ ସପ୍ତାହ ପାଇଁ ଅର୍ଥାତ୍ ଆସନ୍ତା ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କାରଣ ପ୍ରଥମତଃ ଭେଣ୍ଡରଙ୍କ ଅନୁରୋଧ ଏବଂ ବାତ୍ୟା ୟାସ୍‌ ପାଇଁ ସରକାର ଏହି ତାରିଖ ଘୁଞ୍ଚାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏସିଏସ୍ ପ୍ରଦୀପ୍ତ କୁମାର ମହାପାତ୍ର । ସମସ୍ତ ରାଜ୍ୟବାସୀଙ୍କୁ ଟୀକାକରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମେ ୧୪ ତାରିଖରେ ୩ କୋଟି ୮୦ ଲକ୍ଷ ଡୋଜ କୋଭିଡ୍ ଟିକା ବଜାରରୁ କିଣିବା ଲାଗି ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲେ। ଏଥିରେ ବିଦେଶର ଅନେକ ଟିକା ଉତ୍ପାଦନକାରୀ କଂପାନୀ ଅଂଶଗ୍ରହଣ କରିଥିଲେ। ଆଜି ପୂର୍ବାହ୍ନ ୧୧ଟାରେ ଟେକ୍ନିକାଲ୍ ବିଡ୍ ଖୋଲାଯିବାର ଥିଲା। ଏହା ପରେ ଫାଇନାନ୍‌ସିଆଲ୍ ବିଡ୍ ଖୋଲା ଯାଇଥା’ନ୍ତା। ହେଲେ ସରକାରଙ୍କ ପକ୍ଷରୁ ଏହାକୁ ଆଉ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।

ଏହାପୂର୍ବରୁ OSMCL ସ୍ପଷ୍ଟ କରିସାରିଛି ଯେ କିଣାଯିବାକୁ ଥିବା ସମସ୍ତ ଟିକାର ଅଧା ଅର୍ଡର L1 ବିଡରଙ୍କୁ ପ୍ରଦାନ କରାଯିବ । ଟେଣ୍ଡର ଡକ୍ୟୁମେଣ୍ଟ ଅନୁଯାୟୀ ରାଜ୍ୟ ସରକାର କମ୍ପାନୀକୁ ୩୦ ପ୍ରତିଶତ ପେମେଣ୍ଟ୍ ଆଡଭାନ୍ସରେ ଦେବେ ଏବଂ ବାକି ପେମେଣ୍ଟ ଟିକା ମିଳିବାର ଦୁଇଟି କାର୍ଯ୍ୟଦିବସ ମଧ୍ୟରେ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ରାଜ୍ୟ କ୍ୟାବିନେଟ୍ ମେ ୧୦ ତାରିଖରେ ଗ୍ଲୋବାଲ ଟେଣ୍ଡର ଜାରି କରିବାକୁ ଅନୁମୋଦନ କରିଥିଲେ ​​। ସୂଚନାଯୋଗ୍ୟ ଦେଶରେ ଉତ୍ପାଦନ ହେଉଥିବା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଉପଯୁକ୍ତ ପରିମାଣର ମିଳି ପାରୁନଥିବାରୁ ଗ୍ଲୋବାଲ୍ ଟେଣ୍ଡର ଜରିଆରେ ରାଜ୍ୟ ସରକାର ଟିକା କିଣି ଲୋକଙ୍କୁ ଦେବା ଲାଗି ଯୋଜନା କରିଛନ୍ତି। ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ ଟିକା ଦେବେ ବୋଲି ଘୋଷଣା କରିଛନ୍ତି।

Related Posts