ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ । ଆଜି ଦ୍ୱିପହରରେ ରୁପାଣୀ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ପତ୍ର ଦେବା ପରେ ରୁପାଣୀ ବିଜେପି ନେତୃତ୍ୱକୁ ଧନ୍ୟବାଦ ଜଣାଇଛନ୍ତି। ସେ ପାଞ୍ଚ ବର୍ଷ ଧରି ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ। ତେବେ ହଠାତ କାହିଁକି ଏଭଳି ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ଇସ୍ତଫା ଦେଇଛନ୍ତି ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । ଇସ୍ତଫା ଦେବା ପରେ ବିଜୟ ରୂପାଣୀ କହିଛନ୍ତି, ଦଳରେ ଏହା ଏକ ସ୍ୱାଭାବିକ ପକ୍ରିୟା । ମୋତେ ୫ ବର୍ଷ ଯାଏଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ଗ୍ରହଣ କରିବି । ଏଭଳି ଦାୟିତ୍ୱ ଦେଇଥିବାରୁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ।” 

ତେବେ ବିଜେପି କ୍ଷମତାସୀନ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରଥମ ଘଟଣା ନୁହେଁ। ଗତ ପାଞ୍ଚ ମାସ ଭିତରେ ବିଜେପି ଶାସିତ ୪ଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛି। ଏହା ପୂର୍ବରୁ ଜୁଲାଇରେ କର୍ଣ୍ଣାଟକରୁ ବିଏସ୍ ୟେଦୁରପ୍ପା, ଉତ୍ତରାଖଣ୍ଡରୁ ତୀରଥ ସିଂହ ରାୱତ, ଆସାମରୁ ସର୍ବାନନ୍ଦ ସୋନୋୱାଲଙ୍କ ପରେ ରୁପାଣୀ ଚତୁର୍ଥ ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଛନ୍ତି।

ଦୁଇଟି ପାଳିରେ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିବା ବିଜୟ ରୂପାଣୀ ୨୦୧୬ରେ ପ୍ରଥମଥର ପାଇଁ ଗୁଜୁରାଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଆନନ୍ଦିବେନ ପଟେଲଙ୍କ ସ୍ଥାନରେ ବିଜୟଙ୍କୁ ବାଛିଥିଲା ବିଜେପି । ଏହାପରେ ୨୦୧୭ ବିଧାନସଭା ନିର୍ବାଚନ ପରେ ଦଳ ବିଜୟଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିଥିଲା । 

ହଠାତ୍ ବିଜୟଙ୍କ ଏଭଳି ନିଷ୍ପତ୍ତି ଗୁଜୁରାଟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ତେବେ ଆଗକୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବିଜୟ କହିଛନ୍ତି ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଦଳ ସ୍ଥିର କରିବ । କାରଣ ଦଳ ଯାହାକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବ ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନକୁ ଓହ୍ଲାଇବ । 

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ , ବିଜେପି ଗୁଜରାଟରେ ଏବେ ନୂଆ ନେତୃତ୍ୱରୋ ନିର୍ବାଚନ ଲଢ଼ିବାକୁ ଯାଉଛି। ଗତ କିଛି ମାସ ଧରି ଆମ୍ ଆଦମୀ ପାର୍ଟି ମଧ୍ୟ ସେଠାରେ ବିଜେପିକୁ କଡ଼ା ଟକ୍କର ଦେଇଆସୁଛି। କରୋନା ଭାଇରସର ଦ୍ୱିତୀୟ ଲହର ସମେତ ଅନେକ ପ୍ରସଙ୍ଗ ଉଠାଇ ଆପ୍ ବିଜେପି ସରକାରକୁ ଘେରିଛି। ଅନ୍ୟପକ୍ଷରେ କଂଗ୍ରେସ ଗୁଜରାଟର ପୂର୍ବରୁ ବିଧାନସଭା ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ଏହା ପରେ କଂଗ୍ରେସ କର୍ମକର୍ତ୍ତା ଲଗାତର ଗୁଜରାଟରେ ସକ୍ରିୟ ହୋଇ ବିଭିନ୍ନ ପ୍ରସଙ୍ଗ ଉଠାଉଛନ୍ତି।

ଏଭଳି ସ୍ଥିତିରେ ନୂଆ ଚେହେରାକୁ ନେଇ ଦଳ ଆଗାମୀ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ସ୍ଥିର କରିଥିବା କୁହାଯାଉଛି । ଗୁଜୁରାଟରେ ଦୀର୍ଘ ବର୍ଷ ହେବ ବିଜେପି ସରକାର ରହିଛି । ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ଦୀର୍ଘ ବର୍ଷ ଧରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି । 

Related Posts